କନକବ୍ୟୁରୋ: ଜେଲରୁ ମୁକୁଳିବେ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ? ଆଜି ଚାଲିଛି ଗୁରୁତ୍ବପୂର୍ଣ୍ଣ ଶୁଣାଣି ।  ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ ଅବେଦନର ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଯାଇଛି । ମନୀଷ ସିସୋଦିଆ, କେ. କବିତାଙ୍କ ପରେ ଆପ୍ ସୁପ୍ରିମୋଙ୍କ ଏହି ମାମଲାରେ ବେଲ୍ ମିଳିବା ଆଶା ବଢ଼ିଯାଇଛି । ଏହି ମାମଲାରେ ଜଷ୍ଟିସ୍  ସୂର୍ୟ୍ୟକାନ୍ତ ଏବଂ ଜଷ୍ଟିସ୍ ଉଜ୍ଜ୍ବଳ ଭୂୟାଁଙ୍କ ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣି କରୁଛନ୍ତି । କେଜ୍ରିଓ୍ବାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ୍ ମନୁ ସଂଘବୀ ପକ୍ଷ ରଖୁଛନ୍ତି ।

Advertisment

ସଂଘବୀ ଖଣ୍ଡପୀଠଙ୍କ ଆଗରେ ଯୁକ୍ତି ବାଢିଛନ୍ତି, କେଜ୍ରିୱାଲ ସମାଜ ପାଇଁ ବିପଜ୍ଜନକ ବ୍ୟକ୍ତି ନୁହନ୍ତି, ସେ ଜଣେ ଅଭ୍ୟାସଗତ ଅପରାଧୀ ମଧ୍ୟ ନୁହେଁ ।  ସେପଟେ ସିବିଆଇ ପକ୍ଷରୁ ଅଡିସିନାଲ୍ ସଲିସିଟର ଜେନେରାଲ ଏସ.ବି ରାଜୁ ଉପସ୍ଥିତ ରହିଛନ୍ତି ।   ଉଭୟ ପକ୍ଷରୁ ଜୋରଦାର ଯୁକ୍ତି ଜାରି ରହିଥିବା ସୂଚନା ରହିଛି । ଆପ୍ ସୁପ୍ରିମୋଙ୍କୁ ଇଡି ମାର୍ଚ୍ଚ ୨୧ ତାରିଖରେ ଗିରଫ କରିଥିଲା । ପଚରାଉଚରା ପରେ ଏପ୍ରିଲ ପହିଲାରେ ତାଙ୍କୁ ତିହାର ଜେଲକୁ ପଠାଯାଇଥିଲା । ସୁପ୍ରିମକୋର୍ଟ ଆଜି ଜାମିନ୍ ପ୍ରଦାନ କଲେ ୧୪୮ ଦିନ ପରେ କେଜ୍ରିଓ୍ବାଲ ଜେଲରୁ ବାହାରିବେ ।