କନକ ବ୍ୟୁରୋ: ବର୍ଷବର୍ଷ ଧରି ବନ୍ଦ ହୋଇ ରହିଥିବା ସୁତାକଳର ବଦଳିବ କି ଭାଗ୍ୟ ! ନୁଆ ସରକାର ଆସିକା ଚିନି କଳର ନବକଳେବର କଥା ଚିନ୍ତା କରିବା ପରେ ଏବେ ଆସିକା ସୁତାକଳକୁ ନେଇ ଆଶା ବଢ଼ିଛି । କଳ ବନ୍ଦ ହେବା ପରେ ଛଟେଇ ହୋଇଥିବା କର୍ମଚାରୀଙ୍କ ମନରେ କ୍ଷୀଣ ଆଶାଟିଏ ସଂଚାର ହୋଇଛି । ପୁଣି କାର୍ଯ୍ୟକ୍ଷମ ହେବ ସୂତାକଳ, ପୁଣି ମିଳିବ କର୍ମ ସଂସ୍ଥାନ ।

Advertisment

୧୧ ବର୍ଷ ହେଲା ବନ୍ଦ ହୋଇ ପଡ଼ିଛି ଗଂଜାମର ଆସିକା ସୂତାକଳ । ୧୯୮୦ରେ ସ୍ଥାପିତ କାରଖାନା ଏବେ ଭୂତକୋଠି ପାଲଟିଛି । ଆଉ ଶୁଭୁନାହିଁ ସେହି ଗୁରୁଗର୍ଜନ ଶବ୍ଦ । ନିରବି ଯାଇଛି ପରିବେଶ । ଦିନ ରାତି ଯେଉଁ ସ୍ଥାନରେ ଗହଳଚହଳ ଲାଗି ରହୁଥିଲା ସେହି ସ୍ଥାନ ଆଜି ଜନଶୂନ୍ୟ । କେବଳ କାରଖାନାର କଳଙ୍କି ଲଗା ଯନ୍ତ୍ରପାତିକୁ ଜଗି ରହିଛନ୍ତି କେଇ ଜଣ କର୍ମଚାରୀ । କାରଖାନା ବନ୍ଦ ଯୋଗୁଁ ରୋଜଗାର ହରାଇଛନ୍ତି କର୍ମଚାରୀ । ସେମାନେ ଆଜି ବି କାରଖାନା ପଛପଟେ ଥିବା ଭଙ୍ଗା କ୍ୟାଟରରେ ଦୟନିୟ ସ୍ଥିତିରେ ପଡି ରହିଛନ୍ତି । ଦୁଃଖ ଦୁର୍ଦଶାରେ ଦିନ କାଟୁଛନ୍ତି । ରାଜ୍ୟରେ ସରକାର ବଦଳିବା ପରେ ସୂତାକଳ ପୁନଃ କାର୍ଯ୍ୟକ୍ଷମ ହେବ, ଅଭାବ ଭିତରୁ ଜୀବନ ମୁକୁଳିବ ବୋଲି ଆଶା ରଖିଛନ୍ତି ଛଟେଇ କର୍ମଚାରୀ।

ଚିନି ଶିଳ୍ପ ପରେ ୬୬ ଏକର ଜମିରେ ଗଢ଼ି ଉଠିଥିଲା ଆସିକା ସୂତାକଳ । ଜମିହରାଙ୍କୁ ମିଳିଥିଲା ନିଯୁକ୍ତି । ଦୈନିକ ୪ହଜାର କିଲୋର ସୂତା ଉତ୍ପାଦନ ହେଉଥିଲା । ୧୭ଶହ ଶ୍ରମିକ କାମ କରୁଥିଲେ । ହେଲେ ପର୍ଯ୍ୟାୟକ୍ରମେ ବଦଳିଲା କାରଖାନାର ମାଲିକାନା । ଆଉ ପରିଚାଳନାଗତ ତ୍ରୁଟି ଯୋଗୁଁ ବନ୍ଦ ହୋଇଗଲା କାରଖାନା । ୨୦୦୨ରୁ ୫ ବର୍ଷ ପାଇଁ ବନ୍ଦ ରହିଥିଲା । ପରେ ପୁଣି ୨୦୦୭ରୁ ବାଲାଜୀ ସୂତାକଳ ନାମକ  ଘରୋଇ କମ୍ପାନି ପରିଚାଳନା ଦାୟିତ୍ୱ ନେଇ କାରଖାନା ଖୋଲିଥିଲା । ହେଲେ ୨୦୧୩ ବାତ୍ୟା ଫାଇଲିନ୍‌ ପରେ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି ।

ନିଜ ଅଞ୍ଚଳ ସୂତାକଳର କଳ-କବଜା ସହ ଯନ୍ତ୍ରପାତି ମାଟିରେ ମିସିଲାଣି । ସେପଟେ ଆସିକାର କୁଶଳୀ କାରିଗର ବାହାର ରାଜ୍ୟରେ କାମ କରିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟର ବର୍ତମାନ ସରକାର ଆସିକା ଚିନି କଳ ପୁନଃରୁଦ୍ଧାର ପାଇଁ ନିଷ୍ପତି ନେଇଥିବା ବେଳେ ସୂତାକଳ ଦିଗରେ ମଧ୍ୟ ପଦକ୍ଷେପ ନେବେ ବୋଲି ଆଶା ରଖିଛନ୍ତି ଛଟେଇ କର୍ମଚାରୀ ।