କନକ ବ୍ୟୁରୋ: ମାଞ୍ଚେଷ୍ଟର କ୍ରିକେଟ୍ ଇତିହାସର ଏକ ରୋଚକ ତଥା ନୈରାଶ୍ୟଜନକ ପୃଷ୍ଠା ଓଲଟାଇବାକୁ ଯାଉଛି ଭାରତୀୟ କ୍ରିକେଟ୍ ଦଳ । ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଭାରତୀୟ ଦଳର ୮୯ ବର୍ଷ ହେବ ବିଜୟର ଅପେକ୍ଷାରେ ରହିଛି, ଯାହାକୁ ଶେଷ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଆସନ୍ତା ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ ଭାରତ ଏହି ଐତିହାସିକ ମଇଦାନରେ ଇଂଲଣ୍ଡକୁ ଭେଟିବ । 

Advertisment

୧୯୩୬ ମସିହାରୁ ଭାରତ ଏହି ଗ୍ରାଉଣ୍ଡରେ ୯ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ ମଧ୍ୟ ଗୋଟିଏ ବି ଜିତିପାରି ନାହିଁ । ଏଥିମଧ୍ୟରୁ ୪ଟି ମ୍ୟାଚ୍‌ରେ ପରାଜୟ ଓ ୫ଟି ଡ୍ର ରହିଛି । ୨୦୧୪ରେ ଏଠାରେ ଖେଳାଯାଇଥିବା ଶେଷ ମ୍ୟାଚ୍‌ରେ ମଧ୍ୟ ଭାରତକୁ ଏକ ଇନିଂସ ଓ ୫୪ ରନ୍‌ରେ ପରାସ୍ତ ହେବାକୁ ପଡ଼ିଥିଲା । ସୁନୀଲ ଗାଭାସ୍କର, ମହମ୍ମଦ ଆଝାରୁଦ୍ଦିନ, ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ଖେଳାଳି ଯେଉଁଠି ଫେଲ୍ ମାରିଛନ୍ତି ସେଠି ଗିଲଙ୍କ ପାଖରେ ବଡ଼ ସୁଯୋଗ ରହିଛି । ଆଉ ଏଭଳି ଏକ ଖରାପ ରେକର୍ଡ ଭାଙ୍ଗି ସେ ଇତିହାସ ରଚିପାରନ୍ତି ।

ଯୁବ ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ଐତିହାସିକ ଭୁଲକୁ ସୁଧାରିବାକୁ ପ୍ରୟାସ କରିବ । ଗିଲ୍ ନିଜେ ଚମତ୍କାର ଫର୍ମରେ ଅଛନ୍ତି । ଚଳିତ ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ୩ଟି ଟେଷ୍ଟରେ ସେ ୧୦୧.୧୬ ହାରରେ ୬୦୭ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୩ଟି ଶତକ ସାମିଲ ରହିଛି । ସେ ରାହୁଲ ଦ୍ରାବିଡ଼ଙ୍କୁ ପଛରେ ପକାଇ ଇଂଲଣ୍ଡ ମାଟିରେ ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ରନ୍ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇସାରିଛନ୍ତି । 

ବର୍ତ୍ତମାନ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ୧-୨ରେ ପଛରେ ରହିଛି, ତେଣୁ ସିରିଜ୍‌କୁ ବରାବର ସ୍ଥିତିକୁ ଆଣିବା ପାଇଁ ଏହି ମ୍ୟାଚ୍ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଓଲ୍ଡ ଟ୍ରାଫୋର୍ଡର ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଇବାର ସମ୍ଭାବନା ଥିବାରୁ ଏହା ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ଏହାଛଡ଼ା ଇଂଲଣ୍ଡର ଏହି ମଇଦାନରେ ୨୦୧୯ ପରଠାରୁ ଅପରାଜେୟ ରହିବାର ରେକର୍ଡ ମଧ୍ୟ ରହିଛି ।

 ଏହିସବୁ ପ୍ରତିକୂଳ ପରିସଂଖ୍ୟାନ ସତ୍ତ୍ୱେ, ଭାରତୀୟ ଦଳ ଇତିହାସ ରଚିବାକୁ ଆଶାବାଦୀ । ପୂର୍ବରୁ ସଚିନ ତେନ୍ଦୁଲକର, ମହମ୍ମଦ ଆଝାରୁଦ୍ଦିନଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଏହି ମାଟିରେ ଶତକ ହାସଲ କରିଛନ୍ତି । ବର୍ତ୍ତମାନର ଯୁବ ଭାରତୀୟ ଦଳ ନିଜର ଦମଦାର ପ୍ରଦର୍ଶନ ବଳରେ ଏହି ୮୯ ବର୍ଷର ମରୁଡ଼ିକୁ ଶେଷ କରିବାରେ ସକ୍ଷମ ହେବ କି ନାହିଁ, ତାହା ଦେଖିବାକୁ କ୍ରିକେଟ୍ ପ୍ରେମୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।