କନକ ବ୍ୟୁରୋ : ନବମ ଦିନରେ ଯୁଦ୍ଧରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଜୋରଦାର କରିଛି । ଇସ୍ରାଏଲ ବାୟୁସେନା ଇରାନର ସାମରିକ ଘାଟିକୁ ଟାର୍ଗେଟ କରି ଛାରଖାର କରିଛି । ସେପଟେ ଜେନେଭାରେ ୟୁରୋପୀୟ ବୈଦେଶିକ ମନ୍ତ୍ରୀ ଏବଂ ଇରାନ ଅଧିକାରୀଙ୍କ ବୈଠକରେ ବାହାରିପାରିନି ନିଷ୍କର୍ସ । ଇରାନ ଦୋହରାଇଛି ଇସ୍ରାଏଲ ଇରାନରେ ଆକ୍ରମଣ ଜାରି ରଖିଲେ ଆଲୋଚନା ହେବ ନାହିଁ । ନବମ ଦିନରେ ଜାରି ରହିଛି ଇରାନ-ଇସ୍ରାଏଲ ଯୁଦ୍ଧ । ଉଭୟ ଦେଶ ପରସ୍ପର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରୁଛନ୍ତି । ଦୁଇ ଦେଶରେ ଅନେକ କ୍ଷତି ହୋଇସାରିଲାଣି । ଯୁଦ୍ଧରେ ଶହଶହ ଲୋକ  ପ୍ରାଣ ହରାଇଛନ୍ତି । ଇରାନର କୋମ୍ ଏବଂ ଇସ୍ଫାହାନ୍ ସହର ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪ ଜଣ ଆହତ ହୋଇଛନ୍ତି । ଗତ ୬୦ ଘଣ୍ଟା ଧରି ଇରାନରେ ଇଣ୍ଟରନେଟ୍ ସେବା ପ୍ରାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ଇଣ୍ଟରନେଟ୍ ମନିଟରିଂ ସଂଗଠନ ନେଟବ୍ଲକ୍ସ ଏହି ସୂଚନା ଦେଇଛି।

Advertisment

ଯୁଦ୍ଧ ବଢିବା ଫଳରେ ଇରାନର ଡର ଆମେରିକାକୁ , ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି କହିଛନ୍ତି , ଯଦି ଆମେରିକା ସିଧାସଳଖ ଇସ୍ରାଏଲ ସହିତ ଚାଲିଥିବା ଯୁଦ୍ଧରେ ଯୋଗଦିଏ, ତେବେ ସମଗ୍ର ବିଶ୍ୱ ପାଇଁ ବହୁତ ବିପଦପୂର୍ଣ୍ଣ ପ୍ରମାଣିତ ହୋଇପାରେ । ବୈଦେଶିକ ମନ୍ତ୍ରୀ ଆବାସ୍ ଆରାକଚି ଆମେରିକା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଆମେରିକା ଆଲୋଚନା କରିବାର ଅଭିନୟ କରୁଥିଲା ।  ଯେତେବେଳେ ବାସ୍ତବରେ ଏହା ଇସ୍ରାଏଲ ଆକ୍ରମଣକୁ ଲୁଚାଉଥିଲା ।

ଇରାନ ଆଉ ଆମେରିକାକୁ ବିଶ୍ୱାସ କରେନାହିଁ ବୋଲି ଇରାନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ ରାତିରେ ଏକ ବଡ଼ ସାମରିକ ଆକ୍ରମଣ କରିଥିଲା । ଇସ୍ଫାହାନରେ ଇରାନର ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରିଛି । ଏହା ସହିତ, ଇରାନର ମିସାଇଲ ସହିତ ଜଡ଼ିତ ଘାଟି ଉପରେ ମଧ୍ୟ ଆକ୍ରମଣ କରିଛି ଆଇଡିଏଫ୍ । ଡ୍ରୋନ୍ ଆକ୍ରମଣର ସତର୍କତା ଯୋଗୁଁ ଦକ୍ଷିଣ ଇସ୍ରାଏଲର ଆରାଭା ଅଞ୍ଚଳର ଅନେକ ଅଞ୍ଚଳରେ ସାଇରନ୍ ବାଜିଥିଲା । ପ୍ରାରମ୍ଭରେ ଜୁକିମ୍ ଅଞ୍ଚଳରେ ସାଇରନ୍ ବାଜିଥିଲା, ତା’ପରେ ଆଖପାଖର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସତର୍କତା ଜାରି କରାଯାଇଥିଲା । 

ରୁଷ ରାଷ୍ଟ୍ରପତି ପୁଟିନ କହିଛନ୍ତି, ଇସ୍ରାଏଲକୁ ଆଶ୍ୱାସନା ଦିଆଯାଇଛି ଯେ ଇରାନର ପରମାଣୁ ଅସ୍ତ୍ର ତିଆରି କରିବାର କୌଣସି ଉଦ୍ଦେଶ୍ୟ ନାହିଁ । ପୁଟିନଙ୍କ ଅନୁଯାୟୀ, ରୁଷ ଲଗାତାର ସ୍ପଷ୍ଟ କରିଆସିଛି ଯେ ଇରାନ ପରମାଣୁ ଅସ୍ତ୍ର ହାସଲ କରିବାକୁ ଚାହୁନାହିଁ । ତୁର୍କୀ ପ୍ରଧାନମନ୍ତ୍ରୀ ଏର୍ଡୋଗାନ୍ କହିଛନ୍ତି, ନେତାନ୍ୟାହୁଙ୍କ ସରକାର ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠାରେ ସବୁଠାରୁ ବଡ଼ ପ୍ରତିବନ୍ଧକ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁରୋପୀୟ ମଧ୍ୟସ୍ଥତା ପ୍ରୟାସ ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି , ଇରାନ ୟୁରୋପ ସହ କଥା ହେବାକୁ ଚାହୁନାହିଁ । 

ଇରାନରେ ଇସ୍ରାଏଲ ଆକ୍ରମଣରେ ଜଣେ ଇରାନୀ ପରମାଣୁ ବୈଜ୍ଞାନିକଙ୍କ ସହ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଇରାନୀ ମିଡିଆ କହିଛି । ଅନ୍ୟପଟେ ଇରାନ ମାନବାଧିକାର କହିଛି, ଇସ୍ରାଏଲ ସହ ସହଯୋଗ ସମ୍ପର୍କିତ ଅଭିଯୋଗରେ ଦେଶବ୍ୟାପୀ ଅତି କମରେ ୨୨୩ ଜଣଙ୍କୁ ଗିରଫ କରାଯାଇଛି । ଇରାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଇସ୍ରାଏଲ ସହିତ ସଂଘର୍ଷ ଆରମ୍ଭ ହେବା ପରଠାରୁ ଇରାନରେ ଅତି କମରେ ୪୩୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩,୫୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।