କନକ ବ୍ୟୁରୋ: ଆଇପିଏଲ୍ ୧୮ ସିଜିନ୍ ଜିତିବାକୁ ୧୮ ଘଣ୍ଟା ବି ପୂରିନଥିଲା, ଆଉ ଘଟିଲା ଏମିତି ଦଳାଚକଟା । ଜୀବନ ଯାଉଥିଲା ହେଲେ ତଥାପି ଚାଲିଥିଲା ବିଜୟ ସେଲିବ୍ରେସନ୍ । ହେଲେ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳଚକଟା ପାଇଁ ଦାୟୀ କିଏ? କିଏ ମୁଣ୍ଡାଇବ ଏ ୧୧ ମୃତ୍ୟୁର ବୋଝ ? କ୍ରିକେଟ୍ ଖେଳାଳି, ନା କର୍ଣ୍ଣାଟକ ସରକାର? ଏଥିପାଇଁ କାହାକୁ ସଜା ମିଳିବ, କିଏ ବନ୍ଧା ହେବ?

Advertisment

ଆରସିବି ଆଇପିଏଲ୍ ଚାମ୍ପିୟନ୍ ହେଇ ବେଙ୍ଗାଲୁରୁରରେ ପହଞ୍ଚିବା ପରେ ଆରମ୍ଭ ହେଇଥିଲା ସେଲିବ୍ରେସନ୍ । ଆଉ ଆରସିବି ଟିମ୍ ଯେତେବେଳେ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ପାଖରେ ପହଞ୍ଚିଥିଲା, ସେତେବେଳେ ଦେଖିଥିବା ମିଳିଥିଲା ଦଳାଚକଟା । ସ୍ଥିତି ଏମିତି ହେଲା ଯେ, ୧୧ ଲୋକଙ୍କ ଜୀବନ ଗଲା, ୫୦ରୁ ଅଧିକ ଲୋକ ଆହତ ହେଲେ । ହେଲେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏ ଦଳାଚକଟା ପାଇଁ କାହା ଉପରେ ଆକ୍ସନ୍ ହେବ?

ପୁଷ୍ପା-୨ ଫିଲ୍ମ ରିଲିଜ୍ ପୂର୍ବରୁ ଅଲ୍ଲୁ ଅର୍ଜୁନଙ୍କ ଏକ ଇଭେଣ୍ଟରେ ଏମିତି କିଛି ଦଳାଚକଟା ହେଇଥିଲା । ଆଉ ଏଥିପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡିଥିଲା । ଆଉ ଏବେ ଏ ଦଳାଚକଟା ପାଇଁ ବିରାଟ କୋହଲିଙ୍କ ସହ ଆରସିବିର ଖେଳାଳିମାନେ ଜେଲ୍ ଯିବେ କି? ଯଦି ସେତେବେଳେ ଅଲ୍ଲୁ ଅର୍ଜୁନଙ୍କୁ ଏ ଭିଡ଼ ପାଇଁ ଦାୟୀ କରି, ଜେଲକୁ ପଠାଗଲା, ତେବେ ବେଙ୍ଗାଲୁରୁର ଏ ଭିଡ଼ ପାଇଁ ଆରସିବିର ଖେଳାଳି ଦାୟୀ ହେବେନି କେମିତି?

ପ୍ରଶ୍ନ ଉଠୁଛି ଯେ, ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଜିତିବା ପରେ, ମୁମ୍ବାଇରେ ବିଜୟ ପ୍ୟାରେଡ୍ ହେଲା, ହେଲେ କିଛି ବି ଅଘଟଣ ହେଲାନି, ହେଲେ ଏବେ କିନ୍ତୁ ବେଙ୍ଗାଲୁରୁରେ ଏମିତି ଘଟଣା ଘଟିଲା କେମିତି? ସରକାର ଭିଡ଼ ନିୟନ୍ତ୍ରଣ କରିବାରେ ଭୁଲ୍ କଲେ? ନା ପୁଲିସ୍ ପ୍ରଶାସନ ଏତେ ଭିଡ଼ ପାଇଁ ସଜାଗ ନଥିଲା? ଭୁଲ୍ କେଉଁଠି ରହିଲା, ଆଉ କିଏ ଏଥିପାଇଁ ଦାୟୀ ରହିବ? ତାହା ହିଁ ସବୁଠୁ ଏବେ ବଡ଼ ପ୍ରଶ୍ନ । ପ୍ରଶ୍ନ ଏହା ମଧ୍ୟ ଉଠୁଛି ଯେ, ଯଦି ଭିଡ଼ରେ ଦଳାଚକଟା ପାଇଁ  ସେତେବେଳେ ଅଲ୍ଲୁ ଅର୍ଜୁନ ବନ୍ଧା ହେଲେ, ଏବେ ଏ ଭିଡ଼ରେ ଦଳାଚକଟା ପାଇଁ କିଏ ବନ୍ଧା ହେବ?