କନକ ବ୍ୟୁରୋ : କଂଗ୍ରେସ ଟିକେଟରୁ ସାଂସଦ ହୋଇଥିଲେ, ହେଲେ ପୁଣି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଲେ ଆଉ ଏବେ ପୁଣି କଂଗ୍ରେସକୁ ଫେରିପାରନ୍ତି ନବରଙ୍ଗପୁର ବିଜେଡିର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ଏନେଇ ଗଣମାଧ୍ୟମରେ ବାରମ୍ବାର ଚର୍ଚ୍ଚା ହେଉଥିବା ବେଳେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନକୁ ଖୋଲାଖୋଲି ସମର୍ଥନ କରିଛନ୍ତି ପ୍ରଦୀପ ମାଝୀ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନିର୍ବାଚନ କମିସନ ଅନିୟମିତତା କରିଥିବା ନେଇ ରାହୁଲ ଗାନ୍ଧୀ ବାରମ୍ବାର ଅଭିଯୋଗ କରୁଛନ୍ତି । ଏନେଇ ସେ ମଧ୍ୟ ଏକ ସ୍ତମ୍ବ ଲେଖିଥିଲେ । ଯାହାକି ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଏହାକୁ ନେଇ ନିର୍ବାଚନ କମିସନ ସଫେଇ ଦେଇଥିବା ବେଳେ ରାହୁଲ ଗାନ୍ଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ତଥ୍ୟ ସମ୍ବଳିତ ବୋଲି କହିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ ।
ପ୍ରଦୀପ ମାଝୀ କହିଛନ୍ତି କି, ରାହୁଲ ଗାନ୍ଧୀ ତଥ୍ୟ ପ୍ରମାଣ ସହ ଅଭିଯୋଗ କରିଛନ୍ତି । ବିଜେପି କେବଳ ନିର୍ବାଚନ ନୁହେଁ ନିର୍ବାଚନ କମିସନଙ୍କୁ ମଧ୍ୟ ହାଇଜାକ କରିଛି । କମିସନ ନିଯୁକ୍ତିରେ କେନ୍ଦ୍ର ସରକାର ଯେଉଁ ଚଞ୍ଚକତା କରିଛନ୍ତି ତାହାର ପ୍ରମାଣ ମିଳିଛି । କିଭଳି ନକଲି ଭୋଟିଂ କରାଯାଏ ସେକଥାର ଯେଉଁ ପ୍ରମାଣ ଦିଆଯାଇଛି ତାକୁ ଦେଖିବା ପରେ ପ୍ରତ୍ୟକ୍ଷ ରାଜନୀତିରେ ଥିବା ନେତାମାନେ ଚିନ୍ତାରେ ଅଛନ୍ତି ବୋଲି ପ୍ରଦୀପ ମାଝୀ କହିଛନ୍ତି । ଭୋଟରେ ହେରାଫେରି କରିବା ବିଜେପିକୁ ବେଶ ଜଣା, ଏଥିପାଇଁ ଅନ୍ୟ ରାଜନୈତିକ ଦଳମାନେ ସଚେତନ ରହିବାକୁ ପ୍ରଦୀପ ମାଝୀ ପରାମର୍ଶ ଦେଇଛନ୍ତି ।
ଅନ୍ୟପଟେ ରାଜ୍ୟରେ ମଧ୍ୟ ବିଜେପି ଭୋଟ ଚଞ୍ଚକତା କରିଥିବା ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି । ବିଜେପି ଠାରୁ ରାଜ୍ୟରେ ବିଜେଡି ଅଧିକ ପ୍ରତିଶତ ଭୋଟ ପାଇ କିଭଳି ପରାଜିତ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । କିଛି ନିର୍ବାଚନମଣ୍ଡଳୀରେ ଯେତି ପୋଲିଂ ହୋଇଛି ତା ଠାରୁ ଅଧିକ ଭୋଟ କାଉଣ୍ଟିଂ ହୋଇଛି । ୬ ରୁ ୭ ଟି ଲୋକସଭା କ୍ଷେତ୍ରରେ ଏଭଳି ଭୋଟ ହାଇଜାକ ହୋଇଛି ବୋଲି ପ୍ରଦୀପ ଅଭିଯୋଗ କରିଛନ୍ତି । ଏଥିପାଇଁ ସାରା ଭାରତରେ ସବୁ ରାଜନୈତିକ ଦଳ ଏକ ମିଳିତ ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ