କନକ ବ୍ୟୁରୋ : ଓଡ଼ିଆ ଭାଷାର ବିକାଶ ଓ ପ୍ରଚାର ପ୍ରସାର ପାଇଁ ସରକାରୀ କଲେଜରେ ସ୍ନାତକରେ ଓଡ଼ିଆ ପାଠ୍ୟକ୍ରମ ପାଇଁ ଦେୟ ଛାଡ଼ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । କିନ୍ତୁ ବିଶ୍ବବିଦ୍ୟାଳୟ ମାନୁନାହାନ୍ତି । ଦେୟ ପଇଠରେ ସମସ୍ୟା ଯୋଗୁ ଓଡ଼ିଆ ବିଷୟ ବନ୍ଦ କରିଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେଜ ଅଧ୍ୟକ୍ଷ ଚିଠି ଲେଖିଛନ୍ତି ।
ସାମ୍ନାକୁ ଆସିଛି ସବୁ ସରକାରୀ କଲେଜ ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି । ୨୦୧୮ ଜାନୁଆରି ୧୯ ତାରିଖରେ ଏହି ଚିଠି ଲେଖାଯାଇଥିଲା । ଏଥିରେ ଉଲ୍ଲେଖ ଅଛି ଯେ, ସରକାରୀ କଲେଜର ସ୍ନାତକ ଶ୍ରେଣୀରେ ଓଡ଼ିଆ ବିଷୟ ପଢୁଥିବା ଛାତ୍ରଛାତ୍ରୀଙ୍କଠାରୁ କେବଳ ହଷ୍ଟେଲ ଦେୟକୁ ଛାଡ଼ି ଅନ୍ୟ କୌଣସି ଦେୟ ନିଆଯିବ ନାହିଁ । ୨୦୧୮-୧୯ ଶିକ୍ଷାବର୍ଷରୁ ଏହା ଲାଗୁ ହେବ । କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶକୁ ପରୀକ୍ଷା ପରିଚାଳନା କର୍ତ୍ତୃପକ୍ଷ ମାନୁ ନାହାନ୍ତି । ଏମିତିକି ଅତୀତରେ ପରୀକ୍ଷାଫଳ ମଧ୍ୟ ପ୍ରକାଶ କରି ନଥିଲେ । ଫଳରେ ପିଲା ଏବେ ଓଡ଼ିଆ ବିଷୟ ପଢ଼ିବାକୁ ମୁହଁ ମୋଡୁଛନ୍ତି ।
ଆଉ ଏହା ହେଉଛି ଉଚ୍ଚଶିକ୍ଷା ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କୁ ରାୟଗଡ଼ା ଅମ୍ଳାଭଟ୍ଟାସ୍ଥିତ ମଡେଲ ଡିଗ୍ରି କଲେଜ ଅଧ୍ୟକ୍ଷଙ୍କ ଚିଠି । ସେ ଲେଖିଛନ୍ତି, ରାୟଗଡ଼ା ଜିଲ୍ଲାରେ ଗରିବ ଆଦିବାସୀ ଛାତ୍ରଛାତ୍ରୀ ଦେୟ ଦେବା ସମ୍ଭବ ହେଉନାହିଁ । ଅନ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ଅର୍ଥରୁ ବାହାର କରି ପ୍ରତିବର୍ଷ ପରୀକ୍ଷା କରୁଥିବା ବିଶ୍ବବିଦ୍ୟାଳୟକୁ ଦେବାକୁ ପଡୁଛି । ଫଳରେ ଅନ୍ୟ ବିଭାଗର ଛାତ୍ରଛାତ୍ରୀ ଅସୁବିଧାରେ ପଡୁଛନ୍ତି । ତେଣୁ ରାଜ୍ୟ ସରକାର ‘ଓଡ଼ିଆ ସମ୍ମାନ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଅନୁଦାନ ବ୍ୟବସ୍ଥା କରନ୍ତୁ’, ‘ନଚେତ୍ ଓଡ଼ିଆ ସମ୍ମାନ ବିଷୟକୁ ବନ୍ଦ କିରିଦିଅନ୍ତୁ’ ବୋଲି ଲେଖାଯାଇଛି ।
ଏହା କେବଳ ଗୋଟିଏ ସରକାରୀ ଡିଗ୍ରି କଲେଜର ସମସ୍ୟା ନୁହେଁ, ପ୍ରାୟ ସବୁ ଡିଗ୍ରି କଲେଜର ସମସ୍ୟା। ବିଶେଷକରି, ରାୟଗଡ଼ା ଭଳି ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ଅସ୍ତିତ୍ବ ରକ୍ଷା ନେଇ ଆଶଙ୍କା ସୃଷ୍ଟି ହେଉଛି । ରାଜ୍ୟ ସରକାର ଓଡ଼ିଆ ଅସ୍ମିତା କଥା କହୁଥିବା ବେଳେ ଓଡ଼ିଆ ଅସ୍ମିତାର ପ୍ରଥମ ପରିଚୟ ଓଡ଼ିଆ ଭାଷାର ସୁରକ୍ଷା ନେଇ ସରକାର କି ପଦକ୍ଷେପ ନେଉଛନ୍ତି ?