କନକ ବ୍ୟୁରୋ: ଜେଡିୟୁରୁ ସାମିଲ ହେବେ କି ନୀତିଶଙ୍କ ପୁଅ? ରାଜନୀତିରେ ଏଣ୍ଟ୍ରି ମାରିବେ କି ନିଶାନ୍ତ କୁମାର? ବିହାର ରାଜନୀତିରେ ଏଭଳି କିଛି ଚର୍ଚ୍ଚା ଭିତରେ, ଶନିବାର ହୋଲିରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ଜେଡିୟୁର ବରିଷ୍ଠ ନେତା ଓ କର୍ମୀଙ୍କୁ ଭେଟି ଆଲୋଚନା କରିଛନ୍ତି ନିଶାନ୍ତ। ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଝା ଏବଂ ବରିଷ୍ଠ ନେତା ବିଜୟ କୁମାର ଚୌଧୁରୀଙ୍କ ସହ ନିଶାନ୍ତ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି।
ଅନ୍ୟପଟେ ଜେଡିୟୁ କର୍ମୀମାନେ ଦଳୀୟ କାର୍ଯ୍ୟାଳୟରେ ନିଶାନ୍ତଙ୍କୁ ସ୍ୱାଗତ କରିବା ପାଇଁ ଅନେକ ପୋଷ୍ଟର ଲଗାଇଛନ୍ତି । ଜେଡିୟୁ କର୍ମୀମାନେ ଦାବି କରୁଛନ୍ତି ଯେ, ନିଶାନ୍ତ ରାଜନୀତିରେ ପ୍ରବେଶ କରିବାକୁ ସମ୍ମତି ଦେଇଛନ୍ତି । ଏବେ କେବଳ ନୀତିଶ କୁମାରଙ୍କୁ ନିଷ୍ପତ୍ତି ନେବାକୁ ପଡିବ। ଗୋଟିଏ କିମ୍ବା ଦୁଇ ଦିନ ଭିତରେ ନିଶାନ୍ତ ଆନୁଷ୍ଠାନିକ ଭାବରେ ଜେଡିୟୁରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ବରିଷ୍ଠ ଜେଡିୟୁ ନେତା ତଥା ମନ୍ତ୍ରୀ ବିଜୟ କୁମାର ଚୌଧୁରୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନୀତିଶ କୁମାର ନିଜେ ଜନତା ଦଳ ୟୁନାଇଟେଡକୁ ଛିଡା କରିଛନ୍ତି, ତେଣୁ ଶେଷ ନିଷ୍ପତ୍ତି ତାଙ୍କର ହେବ । ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ନିଶାନ୍ତ ରାଜନୀତିରେ ପ୍ରବେଶ କରିବେ କି ନାହିଁ ତାହା କେବଳ ନୀତିଶ କୁମାର ନିଷ୍ପତ୍ତି ନେବେ । ଏହା ବ୍ୟତୀତ, ଦଳର ନେତୃତ୍ୱ ଏବଂ ଏହାର ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବାର ଅଧିକାର ମଧ୍ୟ ତାଙ୍କର ଅଛି ବୋଲି କହିଛନ୍ତି ବିଜୟ କୁମାର ଚୌଧୁରୀ।
ତେବେ ନିଶାନ୍ତଙ୍କ ରାଜନୀତିରେ ପ୍ରବେଶ ନେଇ ଚାଲିଥିବା କଳ୍ପନାଜଳ୍ପନା ଉପରେ ଆରଜେଡିର ପ୍ରତିକ୍ରିୟା ଆସିଛି। ଆରଜେଡି ମୁଖପାତ୍ର ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି ଯେ, ଆମର ନେତା ତେଜସ୍ୱୀ ଯାଦବ ପୂର୍ବରୁ କହିସାରିଛନ୍ତି ଯେ, ସମସ୍ତଙ୍କର ରାଜନୀତିରେ ଆସିବାର ଅଧିକାର ଅଛି। ଯଦି ନିଶାନ୍ତ ରାଜନୀତିରେ ପ୍ରବେଶ କରନ୍ତି, ତେବେ ତାଙ୍କୁ ସ୍ୱାଗତ। ନିଶାନ୍ତଙ୍କ ରାଜନୀତିରେ ପ୍ରବେଶ ଯୋଗୁଁ ବିଜେପି ନିଦ ହଜାଇଦେବ। ନିଶାନ୍ତଙ୍କ ରାଜନୈତିକ ପ୍ରବେଶରେ ବିଜେପି ସବୁଠାରୁ ବଡ଼ ପ୍ରତିବନ୍ଧକ ହେବ ବୋଲି ଆରଜେଡି କହିଛି।