କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର୍ ଲିଗର ଆଗାମୀ ସିଜିନ୍ ଆରମ୍ଭ ହେବାକୁ ଏବେ ଅନେକ ସମୟ ବାକି ଅଛି । ହେଲେ ଏବେଠୁ କିନ୍ତୁ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ଚର୍ଚ୍ଚା ବଢ଼ିଛି । ଆସନ୍ତା ସିଜିନରେ କ୍ୟାପଟେନ୍ କୁଲ୍ ମାହି ଖେଳିବେ ନା ଖେଳିବେନି ତାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ବଢ଼ିଛି । ଆଉ ଏହାରି ଭିତରେ ଧୋନୀ ଦେଇଛନ୍ତି ବଡ଼ ବୟାନ ।
ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଧୋନୀ କହିଛନ୍ତି, ସେ ଆଇପିଏଲ୍ ଖେଳିବା ନେଇ ତାଙ୍କ ପାଖରେ ଭାବିବାକୁ ଯଥେଷ୍ଟ ସମୟ ଅଛି । ଆଗାମୀ ଡିସେମ୍ବର ମାସ ବେଳକୁ ସେ ଏ ସମ୍ପର୍କରେ ନିଷ୍ପତ୍ତି ନେବେ । ସେ ଆହୁରି ମଧ୍ୟ ଖୁଲାସା କରି କହିଛନ୍ତି ଯେ, ତାଙ୍କ ଆଣ୍ଠୁ ଏବେ ପର୍ଯ୍ୟନ୍ତ ଠିକ୍ ହୋଇନି । ତେଣୁ ସେ ଏପର୍ଯ୍ୟନ୍ତ ଜାଣିନାହାଁନ୍ତି ସେ ଆଗାମୀ ଆଇପିଏଲ୍ ଖେଳିବେ ନା ନାହିଁ । ତେବେ ତାଙ୍କ ପାଖରେ ଡିସେମ୍ବର ମାସ ପର୍ଯ୍ୟନ୍ତ ସମୟ ଅଛି ବୋଲି ସେ କହିଛନ୍ତି ।
ଜାଣିରଖିବା ଉଚିତ ଯେ, ୨୦୨୩ ମସିହାରେ ଆଇପିଏଲ୍ ଟାଇଟଲ୍ ଜିତିବା ପରେ ଧୋନୀ ନିଜର ଆଣ୍ଠୁର ସର୍ଜରି କରାଇଥିଲେ । ସର୍ଜରି ପରେ ସେ ୨୦୨୪ ଏବଂ ୨୦୨୫ ଆଇପିଏଲ୍ ଖେଳିଥିଲେ । ହେଲେ ଧୋନୀଙ୍କୁ କିନ୍ତୁ ଆଗଭଳି ଆକ୍ରମଣାତ୍ମକ ବ୍ୟାଟିଂ କରିବା ଦେଖିବାକୁ ମିଳିନଥିଲା । ଏପରିକି ଅନେକ ସମୟରେ ସେ ଲୋୟର ଅର୍ଡରରେ ବ୍ୟାଟିଂ କରିବାକୁ ଆସିଥିଲେ । ଯେଉଁଥିପାଇଁ ସେ ସମାଲୋଚନାର ମଧ୍ୟ ଶିକାର ହୋଇଥିଲେ । ଅନ୍ୟପଟେ ୨୦୨୫ ସିଜିନରେ ଯେତେବେଳେ ଋତୁରାଜ ଗାଏକ୍ୱାର୍ଡ ହଠାତ୍ ଆହତ ହୋଇ ଆଇପିଏଲରୁ ବାଦ୍ ପଡ଼ିଲେ, ସେତେବେଳେ ଧୋନୀ ପୁଣିଥରେ ଚେନ୍ନାଇ ସୁପର କିଙ୍ଗସର ନେତୃତ୍ୱ ନେଇଥିଲେ ।