କନକ ବ୍ୟୁରୋ:  ଆଉ ଦିନ କେଇଟା ପରେ ଆମେରିକା ରାଷ୍ଟ୍ରପତି  ନିର୍ବାଚନ  ।  କମଲା ହାରିସ୍ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପାଖାପାଖି ୨୫ କୋଟି  ଭୋଟର  ।  ହେଲେ ଏହା ପୂର୍ବରୁ   ନିର୍ବାଚନୀ ସର୍ଭେ କଣ କହୁଛି? କଣ ପୁଣି ଥରେ ଟ୍ର୍ରମ୍ପ ଆମେରିକାରେ ସତ୍ତାକୁ ଆସିବାରେ ସକ୍ଷମ ହେବେ କି?  ନା କମଲା ହାରିସ୍ ରଚିବେ ନୂଆ ଇତିହାସ ? ଏପର୍ଯ୍ୟନ୍ତ ଆସିଥିବା  ସମସ୍ତ ସର୍ଭେରୁ ଏହା ସ୍ପଷ୍ଟ ଯେ ଏହି  ଦୁଇ ଜଣଙ୍କ ମଧ୍ୟରେ ମୁକାବିଲା ଜୋରଦାର ହେବାକୁ ଯାଉଛି । ରଏଟର୍ସ  ରିପୋର୍ଟ ଅନୁସାରେ ଭୋଟର୍ସ ଟର୍ଣ୍ଣଆଉଟ୍  ଏବଂ ସ୍ୱିଙ୍ଗ ଷ୍ଟେଟସ୍ ଏଥର ନିଷ୍ପତ୍ତି କରିପାରନ୍ତି । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ପୋଲ ଟ୍ରାକର ଅନୁସାରେ କମଲା ହାରିସ୍ ଏବେ ବି ଟ୍ରମ୍ପଙ୍କ ଉପରେ ଭାରି ପଡିବାର ଦେଖାଯାଉଛି ।  ଯଦି ଆମେ ଜାତୀୟ ହାରକୁ ଦେଖିବା  ତେବେ  ୪୯  ପ୍ରତିଶତ ଭୋଟ୍ କମଲା  ହାରିସଙ୍କୁ ମିଳିବା ନଜର ଆସୁଛି ।  ଅନ୍ୟପଟେ ଟ୍ରମ୍ପଙ୍କୁ  ୪୮ ପ୍ରତିଶତ ଭୋଟ୍ ମିଳିବା ସର୍ଭେ କହୁଛି ।  ଟ୍ରମ୍ପ ଦ୍ରୁତ ଗତିରେ   କମଲା ହାରିସଙ୍କ ନିକଟତର ହେବାର ଦେଖାଯାଉଛି ଏବଂ ସେଥିପାଇଁ ଖୁବ୍ ଚେଷ୍ଟା ଚଳାଇଛନ୍ତି । ୧ ଅକ୍ଟୋବରରେ ଟ୍ରମ୍ପଙ୍କୁ ୪୬ ପ୍ରତିଶତ ଭୋଟ ପାଇବାର ଦେଖାଯାଉଥିଲାବେଳେ କମଲା ହାରିସଙ୍କୁ ୫୦ ପ୍ରତିଶତ  ଭୋଟ ପାଇବା ସର୍ଭେ କହୁଥିଲା ଯାହା ଟ୍ରମ୍ପଙ୍କଠାରୁ ବହୁତ ଆଗରେ ଥିଲା  ।  କିନ୍ତୁ ଗୋଟିଏ ମାସ ମଧ୍ୟରେ ଖେଳ ବଦଳି ଗଲା । ଏବେ ଦୁଇ ଜଣଙ୍କ ମଧ୍ୟରେ କେବଳ ୧  ପ୍ରତିଶତର ଗ୍ୟାପ୍ ରହିଅଛି ।