କନକ ବ୍ୟୁରୋ : ‘ପିଓକେର ଲୋକମାନେ ଆମ ନିଜର, ସେମାନଙ୍କୁ କେବଳ ଭ୍ରମିତ କରାଯାଉଛି’ । ‘ଏହି ଭୂଖଣ୍ଡ ଆମ ଦେଶର ଏକ ଅଭିନ୍ନ ଅଙ୍ଗ, ବିଶ୍ୱାସ ଅଛି ଯେ ଗୋଟିଏ ଦିନ ପିଓକେ ନିଜେ କହିବ ଯେ ଏହା ଭାରତର ଏକ ଅଂଶ’ । ନୂଆଦିଲ୍ଲୀରେ ସିଆଇଆଇ ପକ୍ଷରୁ ଅନୁଷ୍ଠିତ ଶିଖର ସମ୍ମିଳନୀରେ ଏଭଳି ବଡ଼ ବୟାନ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ପିଓକେ କିଛି ସମୟ ପାଇଁ ଆମଠାରୁ ଅଲଗା ହୋଇଯାଇଛି । ଯେପର୍ଯ୍ୟନ୍ତ ଆମେ ପିଓକେକୁ ଫେରାଇ ନଆଣିଛୁ, ସେଯାଏ ଆମେ ଅଟକିବୁନି ବୋଲି ଦୃଢୋକ୍ତି ଦେଖାଇଛନ୍ତି ରାଜନାଥ ସିଂ । ଏହି ଅବସରରେ ଅପରେସନ ସିନ୍ଦୂର ଓ ଭାରତୀୟ ସେନାର ଶୌର୍ଯ୍ୟକୁ ସେ ଭୂରି ଭୂରି ପ୍ରଶଂସା କରିଛନ୍ତି । ଆତଙ୍କବାଦ ବିରୋଧରେ ଭାରତର ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନରେ ମେକ୍ ଇନ୍ ଇଣ୍ଡିଆର ଭୂମିକା ଉପରେ ଆଲୋକପାତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।
ଦକ୍ଷିଣାରେ ପିଓକେ ମାଗିଲେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ
ମଧ୍ୟପ୍ରଦେଶର ଚିତ୍ରକୂଟରେ ଥିବା ତୁଳସୀ ଆଶ୍ରମରେ ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ରାମଦୀକ୍ଷା ଗ୍ରହଣ କରିଛନ୍ତି । ଦକ୍ଷିଣା ସ୍ବରୂପ ପିଓକେ ମାଗିଛନ୍ତି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ । ଯେଉଁ ଦୀକ୍ଷାକୁ ନେଇ ହନୁମାନ ଲଙ୍କାରେ ବିଜୟ ହାସଲ କରିଥିଲେ, ଠିକ୍ ସେହିପରି ଭାରତୀୟ ସେନା ପିଓକେ ଦଖଲ କରି ଏହାକୁ ଭାରତରେ ମିଶାଇଦେଉ । ସେନାମୁଖ୍ୟଙ୍କୁ ଦୀକ୍ଷା ଦେବା ବହୁତ ଗର୍ବର ବିଷୟ । କୌଣସି ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେଲେ ପାକିସ୍ତାନ ଧ୍ବଂସ ହୋଇଯିବ ବୋଲି କହିଛନ୍ତି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ।
ଅପରେସନ ସିନ୍ଦୂର ପରେ ଭାରତ ପାକିସ୍ତାନ ଭିତରେ ଲାଗି ରହିଛି ଉତ୍ତେଜନାମୂଳକ ସ୍ଥିତି । ଠିକ୍ ଏତିକି ବେଳେ ପିଓକେକୁ ଭାରତକୁ ଫେରାଇଆଣିବାକୁ ଦେଶବ୍ୟାପୀ ଉଠୁଛି ଦାବି । ଆଗକୁ ଏନେଇ ମୋଦୀ ସରକାର କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ।