କନକ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଆଇପିଏଲ୍ ୨୦୨୫ । ଚଳିତ ବର୍ଷ ଚାମ୍ପିୟନ ଟିମ୍ ଚେନ୍ନାଇ ଲିଗ୍ ପର୍ଯ୍ୟାୟରୁ ବିଦା ହୋଇଛି । ଦଳର ପ୍ରଦର୍ଶନ ଏଥର ସମସ୍ତଙ୍କୁ ନିରାଶ କରିଛି । ଦଳ ତା'ର ଶେଷ ଲିଗ୍ ମ୍ୟାଚ୍ ଗୁଜରାଟ ବିପକ୍ଷରେ ବିଜୟୀ ହୋଇ ଚଳିତ ଆଇପିଏଲରୁ ବିଦାୟ ନେଇଛି । ତେବେ ଚଳିତ ବର୍ଷ ଆଇପିଏଲ ଶେଷ ହେବା ସହ କ'ଣ ହେବ ଧୋନୀଙ୍କ କ୍ୟାରିୟର? ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଧୋନୀ ଆସନ୍ତାବର୍ଷ ଆଇପିଏଲ ଖେଳିବେ କି ନାହିଁ ତାହା ସ୍ପଷ୍ଟ କରିନଥିବା ବେଳେ ଆଇପିଏଲରୁ ମଧ୍ୟ ଅବସର ନେଇନାହାନ୍ତି ।  ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

Advertisment

ମ୍ୟାଚ୍ ପରେ ଧୋନୀ କହିଥିଲେ, 'ମୋ ପାଖରେ ନିଷ୍ପତ୍ତି ନେବା ପାଇଁ ୪-୫ ମାସ ଅଛି ।' କ’ଣ କରିବେ ସେ ବିଷୟରେ କୌଣସି ତରବରିଆ ନିଷ୍ପତ୍ତି ନେବାର ଆବଶ୍ୟକତା ନାହିଁ । ପ୍ରତିବର୍ଷ ଶରୀରକୁ ଫିଟ୍ ରଖିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ । ଯଦି ଖେଳାଳିମାନେ ପ୍ରଦର୍ଶନ ଆଧାରରେ ଅବସର ନେବା ଆରମ୍ଭ କରନ୍ତି, ତେବେ ସେମାନଙ୍କ ମଧ୍ୟରୁ ଅନେକ ୨୨ ବର୍ଷ ବୟସରେ ଅବସର ନେବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କ ଭିତରେ କ୍ରିକେଟକୁ ନେଇ କେତେ ଭୋକ ଅଛି? ଆପଣ କେତେ ଫିଟ୍? ଏବଂ ଆପଣ ଦଳକୁ କେତେ ଯୋଗଦାନ ଦେଇପାରିବେ? ଦଳକୁ ଆପଣଙ୍କର ଆବଶ୍ୟକତା ଅଛି କି ନାହିଁ? ଏବେ ମୋ ପାଖରେ ଯଥେଷ୍ଟ ସମୟ ଅଛି । ଅବସର ନେଇ ୨-୩ ମାସ ପରେ ନିଷ୍ପତ୍ତି ନେବି ।

ଧୋନୀ କହିଥିଲେ 'ମୁଁ କହୁନାହିଁ ଯେ ମୋ କ୍ୟାରିୟର ଏଠି ସରଗଲା କି ଏହା ମଧ୍ୟ କହୁନାହିଁ କି ମୁଁ ପୁଣି ଫେରିବି ବୋଲି । ନିଷ୍ପତ୍ତି ନେବା ପାଇଁ ମୋ ପାଖରେ ଯଥେଷ୍ଟ ସମୟର ସୁବିଧା ଅଛି । ଧୋନୀଙ୍କ ଏହି କଥା ଏବେ ଫ୍ୟାନ୍ସଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ତେବେ ଆଗାମୀ ସିଜିନ୍ ପାଇଁ ଧୋନୀ କ'ଣ କରିବେ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । 

ଧୋନୀ ୨୦୦୭ରୁ ଲଗାତାର ଭାବେ ଚେନ୍ନାଇ ପାଇଁ ଆଇପିଏଲ୍ ଖେଳି ଆସୁଛନ୍ତି । ମଝିରେ ଦୁଇ ବର୍ଷ ଚେନ୍ନାଇ ବ୍ୟାନ୍ ହେବା ପରେ ସେ ପୁଣେ ଦଳର ଅଧିନାୟକ ରହିଥିଲେ । ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୫ ଥର ଆଇପିଏଲ ଟ୍ରଫି ହାତେଇଛି । ସେହିପରି ଦଳ ୧୦ଥର ଫାଇନାଲ୍ ମ୍ୟାଚ ଖେଳିଥିବା ବେଳେ ୧୨ଥର ପ୍ଲେଅଫରେ ପ୍ରବେଶ କରିଛି । ତେବେ କହିବାକୁ ଗଲେ ଧୋନୀ ତାଙ୍କ ନେତୃତ୍ୱରେ ଦଳକୁ ସଫଳତାର ଶିଖରରେ ପହଞ୍ଚାଇଥିଲେ । 

୨୦୨୪ରେ ଧୋନୀ ଅଧିନାୟକ ପଦ ଛାଡ଼ିବା ପରେ ଋତୁରାଜ ଗାଏକ୍ୱାଡଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ଚଳିତ ବର୍ଷ କିନ୍ତୁ ଋତୁରାଜ ନିଜ ଅଧିନାୟକତ୍ୱରେ ବେଶି ପ୍ରଭାବ ଦେଖାଇପାରିନଥିଲେ । ଟୁର୍ଣ୍ଣାମେଣ୍ଟ ଅଧାରୁ ଋତୁରାଜ ଆହତ କାରଣରୁ ସିଜିନରୁ ବାଦ ପଡ଼ିବା ପରେ ଧୋନୀଙ୍କୁ ପୁଣି ଅଧିନାୟକ ପଦ ମିଳିଥିଲା । ତଥାପି ଦଳ କିଛି କମାଲ କରିପାରିନଥିଲା । ତେଣୁ ଦଳ ଏଥର ପଏଣ୍ଟ ଟେବୁଲର ଶେଷରେ ରହି ନିଜ ଅଭିଯାନ ଶେଷ କରିଛି । ଏବେ ଦେଖିବାକୁ ବାକି ରହିଲା ଆଗାମୀ ସିଜିନ ପାଇଁ ଧୋନୀଙ୍କ ନିଷ୍ପତ୍ତି କ'ଣ ହେଉଛି ।