କନକ ବ୍ୟୁରୋ : ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁରକୁ ମିଶାଇ ୨୦୦୮ ମସିହାରେ ତତ୍କାଳୀନ ସରକାର ଗ୍ରେଟର ବ୍ରହ୍ମପୁରର ପରିକଳ୍ପନା କରିଥିଲେ । ୨୦୦୯ ନିର୍ବାଚନରେ ଏହା ମୁଖ୍ୟ ପ୍ରସଙ୍ଗ ଥିଲା । ବିଜେଡିକୁ ବ୍ରହ୍ମପୁରରେ ବିଜୟୀ କରିବାରେ ମୁଖ୍ୟ ଭୂମିକା ନେଇଥିଲା ଏହି ପ୍ରସଙ୍ଗ । କିନ୍ତୁ ନିର୍ବାଚନ ପରେ ପରିକଳ୍ପନା ବାସ୍ତବ ରୂପ ନେଇ ପାରିଲାନାହିଁ । ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା ଡିପିଆର୍ ପ୍ରସ୍ତୁତ ହୋଇପାରିଲା ନାହିଁ । ଭୁବନେଶ୍ୱର, କଟକ, ରାଉରକେଲା, ପୁରୀ ସହରର ପରିଧି ଯେମିତି ବୃଦ୍ଧି ପାଇଛି, ସେହି ତୁଳନାରେ ପଛେଇ ଯାଇଛି ସିଲ୍କସିଟି । ବାକି ସହରଠାରୁ ରେସ୍ରେ ବହୁ ପଛରେ ବ୍ରହ୍ମପୁର ।
ଗ୍ରେଟର ବ୍ରହ୍ମପୁର ଗଠନ ହେଲେ ସହରର ଆକାର ବଢ଼ିବା ସହ ବିଭିନ୍ନ ଶିଳ୍ପାନୁଷ୍ଠାନ ଗଢ଼ି ଉଠିବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଅନେକ ସୁଵିଧା ମିଳିବ ଓ ସରକାରୀ ଅନୁଦାନ ମଧ୍ୟ ମିଳିବ। ହେଲେ ରାଜନୈତିକ ଉଦାସୀନତା ଯୋଗୁ ପୂର୍ବ ସରକାରଙ୍କ ଦୀର୍ଘବର୍ଷ ଶାସନରେ ଏହା ସମ୍ଭବ ହୋଇ ପାରିଲା ନାହିଁ । ଏବେ ନୂଆ ସରକାରଙ୍କଠାରୁ ଆଶା ରଖିଛନ୍ତି ସହରବାସୀ । ବ୍ରହ୍ମପୁର ବିଧାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଖୁବଶୀଘ୍ର ସରକାର ଏଥିପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ସ୍ୱପ୍ନରେ ରହିଯିବ କି ଗ୍ରେଟର୍ ବ୍ରହ୍ମପୁର ସ୍ୱପ୍ନ । ଏକଦା ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ଆଜି ହଜିଗଲାଣି । ଅନ୍ୟ ସହର ତୁଳନାରେ ପଛେଇ ଯାଇଛି ସିଲ୍କସିଟି । ଏବେ ନୂଆ ସରକାର ଭରସା ।