କନକ ବ୍ୟୁରୋ : ଇଂଲଣ୍ଡ ଗସ୍ତରେ ରହିଛି ଭାରତୀୟ କ୍ରିକେଟ ଟିମ୍ । ଜୁନ୍‌ ୨୦ରୁ ଇଂଲଣ୍ଡ ବିପକ୍ଷରେ ଭାରତ ଖେଳିବ ଟେଷ୍ଟ୍‌ ସିରିଜ । ଏହି ଟେଷ୍ଟ୍‌ ସିରିଜ ଉଭୟ କ୍ୟାପଟେନ୍ ଓ କୋଚଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ସିରିଜରେ ଶୁବମନଙ୍କ ଅଧିନାକତ୍ୱକୁ ଜଜ୍ କରାଯିବ । ଆଉ ଗମ୍ଭୀରଙ୍କ ପାଇଁ ଏହା କୌଣସି ଅଗ୍ନି ପରୀକ୍ଷାଠାରୁ କମ ନୁହେଁ । କାରଣ ଭାରତ ପାଇଁ ଇଂଲଣ୍ଡ ଗସ୍ତ ସବୁବେଳେ ଚ୍ୟାଲେଞ୍ଜିଂ ରହିଛି । ଆଉ ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି କଣ ୧୮ ବର୍ଷ ପରେ ଭାରତ ଇଂଲଣ୍ଡରେ ଟେଷ୍ଟ୍‌ ସିରିଜ ଜିତି ପାରିବ ?

Advertisment

ଭାରତ ଇଂଲଣ୍ଡରେ ଶେଷ ଟେଷ୍ଟ୍‌ ସିରିଜ ୨୦୦୭ରେ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଜିତିଥିଲା । ସେତେବେଳେ ଭାରତ ୧-୦ରେ ବିଜୟୀ ହୋଇଥିଲା । ଏହାପରେ ଭାରତ ୪ଥର ଇଂଲଣ୍ଡ ଗସ୍ତ କରିଛି ହେଲେ ଥରେ ବି ସିରିଜ ବିଜୟର ସ୍ୱାଦ ଚାଖିନି । ସବୁଠାରୁ ଖାସ୍ କଥା ହେଉଛି ସେହି ସମୟରର ଗସ୍ତରେ ଗୌତମ ଗମ୍ଭୀର ଖେଳାଳି ଭାବେ ଟିମ ଇଣ୍ଡିଆର ସଦସ୍ୟ ଥିଲେ । 

ଭାରତୀୟ ଦଳ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ୨୦୧୧ ଏବଂ ୨୦୧୪ରେ ଦୁଇଥର ଇଂଲଣ୍ଡ ଗସ୍ତ କରିଥିଲା । ଉଭୟ ଥର ଭାରତୀୟ ଦଳ ସିରିଜ ହାରିଥିଲା । ଆଉ ଏହାପରେ ୨୦୧୮ ଏବଂ ୨୦୨୨ରେ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିଥିଲା । ୨୦୧୮ରେ, ଭାରତୀୟ ଦଳ ପରାସ୍ତ ହୋଇଥିଲା, ଆଉ ୨୦୨୨ର ସିରିଜ ଟାଇ ରହିଥିଲା । 

୨୦୧୧ ମସିହାରେ ଭାରତ ୪ ଟିକିଆ ଟେଷ୍ଟ ସିରିଜରେ ୦-୪ ରେ ପରାସ୍ତ ହୋଇଥିଲା । ୨୦୧୪ ମସିହାରେ ଭାରତୀୟ ଦଳ ୫ ଟିକିଆ ଟେଷ୍ଟ୍‌ ସିରିଜ ୧-୩ ରେ ପରାସ୍ତ ହୋଇଥିଲା ।  ୨୦୧୮ ମସିହାରେ, ଯେତେବେଳେ ଭାରତୀୟ ଦଳ କୋହଲିଙ୍କ ନେତୃତ୍ୱରେ ଇଂଲଣ୍ଡ ଯାଇଥିଲା , ସେତେବେଳେ ଏହି ୫ ଟିକିଆ ଟେଷ୍ଟ ସିରିଜ ୧-୪ ରେ ହାରିଥିଲା । ତଥାପି, ୩ ବର୍ଷ ପୂର୍ବେ ୨୦୨୨ ମସିହାରେ, ଭାରତ ୫ ଟିକିଆ ଟେଷ୍ଟ ସିରିଜକୁ ୨-୨ ରେ ବରାବର କରିଥିଲା । 

ଏପରି ପରିସ୍ଥିତିରେ, ଏହା ସ୍ପଷ୍ଟ ଯେ ଟିମ୍ ଇଣ୍ଡିଆର ନୂତନ ଟେଷ୍ଟ ଅଧିନାୟକ ଶୁବମନ ଗିଲଙ୍କ ସମ୍ମୁଖରେ ଏହା ଏକ ବଡ଼ ଚ୍ୟାଲେଞ୍ଜ୍‌ । ଏବେ ତାଙ୍କୁ ସେହି କାମ କରିବାକୁ ପଡ଼ିବ ଯାହା ମହେନ୍ଦ୍ର ସିଂହ ଧୋନୀ ଏବଂ ବିରାଟ କୋହଲିଙ୍କ ଭଳି ମହାନ ଅଧିନାୟକ ମଧ୍ୟ କରିପାରି ନଥିଲେ । ଶୁବମନଙ୍କ ସହିତ, ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପାଇଁ ବି ଏହି ସିରିଜ ଅଗ୍ନି ପରୀକ୍ଷା ଭଳି ରହିବ । କାରଣ ଅଷ୍ଟ୍ରେଲିଆ ଗସ୍ତରେ ୧-୩ରେ ପରାସ୍ତ ହୋଇଥିଲା ଭାରତ । ଏହି ସିରିଜରେ ଅଶ୍ୱିନ ଅବସର ନେଇଥିଲେ, ଆଉ ଏହାପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । 

ଟିମ୍ ଇଣ୍ଡିଆରେ ପ୍ରତିଭାବାନ ଖେଳାଳି ଅଛନ୍ତି, କିନ୍ତୁ ଇଂଲଣ୍ଡରେ ଟେଷ୍ଟ୍‌ କ୍ରିକେଟ୍ ଖେଳିବା ସର୍ବଦା କଷ୍ଟକର ହୋଇଆସିଛି । ବଲ୍‌କୁ ସ୍ୱିଙ୍ଗ୍ ଏବଂ ସିମ୍ କରିବାର ଚ୍ୟାଲେଞ୍ଜ, ପିଚ୍ ଉପରେ ବାଉନ୍ସ ଏବଂ ଇଂଲଣ୍ଡ ବୋଲରଙ୍କ ଅଭିଜ୍ଞତା ଭାରତର ବ୍ୟାଟ୍ସମ୍ୟାନମାନଙ୍କୁ କଠିନ ପରୀକ୍ଷାରେ ପକାଇବ । ସେହି ସମୟରେ, ଶୁଭମନ ଗିଲ୍ ବ୍ୟାଟିଂ ଏବଂ ଅଧିନାୟକତ୍ୱର ଚାପରେ ରହିବେ । ତାଙ୍କର ଇଂଲଣ୍ଡରେ ଖେଳିବାର ଅଧିକ ଅଭିଜ୍ଞତା ନାହିଁ । ଇଂଲଣ୍ଡରେ, ସେ ୨୦୨୧-୨୦୨୩ ମଧ୍ୟରେ ୩ଟି ଟେଷ୍ଟର ୬ଟି ଇନିଂସରେ ୧୪.୬୬ ହାରରେ ୮୮ ରନ୍ କରିଛନ୍ତି । ତାଙ୍କର ସର୍ବାଧିକ ସ୍କୋର ଥିଲା ୨୮ । ଏପରି ପରିସ୍ଥିତିରେ, ନୂତନ ଅଧିନାୟକ ଗିଲଙ୍କୁ ନିଜକୁ ପ୍ରମାଣ କରିବାକୁ ପଡ଼ିବ ।