କନକ ବ୍ୟୁରୋ : ଜେଲରେ ଥିବା କଟକର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଡି. ବ୍ରଦର୍ସ ପ୍ରମାଣ ଅଭାବରୁ ମୁକୁଳିଯିବେ ନା ଦଣ୍ଡ ପାଇବେ? ଡି. ବ୍ରଦର୍ସ ସୁଶୀଲ ଧଳସାମନ୍ତ ଓ ସୁଶାନ୍ତ ଧଳସାମନ୍ତଙ୍କ ନାଁରେ ୩୦ରୁ ଅଧିକ ମାମଲା ବିଚାରାଧୀନ ଅଛି । ଆଇନଜୀବୀ କହିଛନ୍ତି, ବହୁ ମାମଲାରେ ପୁଲିସ ସାକ୍ଷ୍ୟ ପ୍ରମାଣ ଜୁଟାଇ ପାରୁନାହିଁ । ସେପଟେ ପୁଲିସ କହିଛି, ଦୁଇଭାଇଙ୍କ ବିରୋଧରେ ଯଥେଷ୍ଟ ତଥ୍ୟ ପ୍ରମାଣ ଅଛି ଓ ଠିକ୍ ସମୟରେ କୋର୍ଟରେ ଦାଖଲ କରାଯିବ।
ଖସି ଯିବେ କି ଡି. ବ୍ରଦର୍ସ? ତଥ୍ୟ ପ୍ରମାଣ ଦେଇପାରିବ ତ ପୁଲିସ? କଟକରେ ହତ୍ୟା, ଚୋରା ବନ୍ଧୁକ କାରବାର, ଟେଣ୍ଡର ଫିକ୍ସିଂ ଆଦି ଅପରାଧରେ ଡି. ବ୍ରଦର୍ସ ସୁଶୀଲ ଧଳସାମନ୍ତ ଓ ସୁଶାନ୍ତ ଧଳସାମନ୍ତଙ୍କୁ ପୁଲିସ ୨୦୧୬ରେ ଗିରଫ କରି ୩୦ରୁ ଅଧିକ ମାମଲା ରୁଜୁ କରିଛି । ଦୁଇଭାଇଙ୍କ ନାଁରେ ଅପରାଧର ତାଲିକା ପ୍ରସ୍ତୁତ କରିଥିବା ପୁଲିସ କିଛି ମାମଲାରେ କୋର୍ଟରେ ତଥ୍ୟ ପ୍ରମାଣ ଦେଇପାରୁନାହିଁ । ତେଣୁ ଉଦ୍ଦେଶ୍ୟମୂଳକ ଭାବେ କିମ୍ବା ରାଜନୈତିକ ଚାପରେ ପୁଲିସ ମାମଲା ରୁଜୁ କରିଥିବା ଡି. ବ୍ରଦର୍ସଙ୍କ ଓକିଲ ସନ୍ଦେହ ପ୍ରକାଶ କରିଛନ୍ତି ।
ଏହା ମଧ୍ୟରେ ଜେଲରୁ ଖଲାସ ହୋଇଥିବା ଡି. ବ୍ରଦସଙ୍କ ପୁରୁଣା ସହଯୋଗୀଙ୍କ ଉପରେ ପୁଲିସ ନଜର ରଖିଛି । ନିକଟରେ କଟକରେ ଜଣେ ବାଲିଘାଟ ବ୍ୟବସାୟୀଙ୍କୁ ଡି. ବ୍ରଦର୍ସଙ୍କ ଜଣେ ପୁରୁଣା ସହଯୋଗୀ ଧମକ ଦେଇଥିବା ଅଭିଯୋଗ ନେଇ ତଦନ୍ତ କରୁଛି ପୁଲିସ । ଡି. ବ୍ରଦର୍ସଙ୍କ ନାଁରେ ଥିବା ମାମଲାଗୁଡ଼ିକରେ ତଥ୍ୟ ପ୍ରମାଣ ଦାଖଲ ପାଇଁ ସ୍ୱତନ୍ତ୍ର ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ଓମ୍ ଦୀପୁ ହତ୍ୟା ମାମଲାରେ ଡି. ବ୍ରଦର୍ସଙ୍କ ବିରୋଧରେ କୋର୍ଟରେ ଯଥେଷ୍ଟ ପ୍ରମାଣ ଦାଖଲ କରିଥିବା କଟକର ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା କହି-ଛନ୍ତି। ୨୦୧୬ ପୂର୍ବରୁ କଟକରେ ଡି. ବ୍ରଦର୍ସ ଅପରାଧର ଏକ ବଡ଼ ନେଟୱର୍କ ଚଳାଇଥିଲେ । ଡି. ବ୍ରଦର୍ସ ଓ ତାଙ୍କ ସହଯୋଗୀଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲେ ବି ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କୋର୍ଟରେ ପୁଲିସ ଯଥେଷ୍ଟ ତଥ୍ୟ ପ୍ରମାଣ ଦେଇପାରୁଛି କି ନାହିଁ, ତା' ଉପରେ ସମସ୍ତଙ୍କ ନଜର ରହିଛି ।