Photograph: (kanak news)
କନକ ବ୍ୟୁରୋ: ଚାଲିଛି ଆଇପିଏଲ ମହାସମର । ଫଟାଫଟ କ୍ରିକେଟର ମଜା ନେଉଛନ୍ତି ଦର୍ଶକ । ଆଉ ଏହାରି ଭିତରେ ଲଗାତାର ଚର୍ଚ୍ଚାର ବିଷୟ ରହିଛି ଚେନ୍ନାଇ ସୁପର କିଙ୍ଗସ ଆଉ ମହେନ୍ଦ୍ର ସିଂ ଧୋନୀ । ଗତ ମ୍ୟାଚରେ ଚେନ୍ନାଇ ଦିଲ୍ଲୀଠାରୁ ପରାଜିତ ହୋଇଥିଲା । ଆଉ ଏହି ମ୍ୟାଚରେ ଏମିତି କିଛି ଦେଖିବାକୁ ମିଳିଥିଲା ଯେଉଁଥିପାଇଁ ଧୋନୀଙ୍କ ଅବସର ନେବା ଚର୍ଚ୍ଚା ପୁଣି ବଢିଚାଲିଥିଲା । କାରଣ ପ୍ରଥମ ଥର ପାଇଁ ଧୋନୀଙ୍କ ବାପା, ମା’ ଚେନ୍ନାଇର ମ୍ୟାଚ ଦେଖିବାକୁ ଷ୍ଟାଡିୟମକୁ ଆସିଥିଲେ ।
ମିଡିଆ ରିପୋର୍ଟ ଅନୁସାରେ, ଏହା ପ୍ରଥମଥର ପାଇଁ ହୋଇଛି ଯେତେବେଳେ ଧୋନୀଙ୍କ ଖେଳ ଦେଖିବାକୁ ତାଙ୍କ ବାପା ମା ଷ୍ଟାଡିୟମ ଯାଇଛନ୍ତି । ଆଉ ଏହା ହିଁ ଧୋନୀଙ୍କ ଅବସର ଚର୍ଚ୍ଚାକୁ ଖୋରାକ ଯୋଗାଉଛି । ଅନୁମାନ କରାଯାଉଛି କି ଏହା ଧୋନୀଙ୍କ ଶେଷ ଆଇପିଏଲ ହୋଇପାରେ । ଚଳିତ ଆଇପିଏଲରେ ଚେନ୍ନାଇ ୪ଟି ମ୍ୟାଚ ଖେଳିଛି ଯେଉଁଥିରେ ଧୋନୀଙ୍କ ଧିମା ବ୍ୟାଟିଂ ଦେଖିବାକୁ ମିଳିଥିଲା । ଏମିତି କି ୨ଟି ମ୍ୟାଚରେ ମ୍ୟାଚ ଜିତାଇବାର ସୁଯୋଗ ରହିଥିଲା ଧୋନୀଙ୍କ ପାଖରେ ହେଲେ ସେ ଜିତାଇ ପାରିନଥିଲେ ।
ତେବେ ଚଳିତ ଆଇପିଏଲରେ ଧୋନୀଙ୍କ ଏହି ପ୍ରଦର୍ଶନ ପରେ ଚର୍ଚ୍ଚା ହୋଇଥିଲା କି ଧୋନୀ ଦଲ ପାଇଁ ବୋଝ ହେଉଛନ୍ତି ବୋଲି । ଅଧିକ ବୟସ ସତ୍ତ୍ୱେ ଧୋନୀ ଚେନ୍ନାଇରେ ଖେଳୁଛନ୍ତି ହେଲେ ଟିମକୁ ଜିତାଇ ପାରୁନାହାନ୍ତି । ଏହି ବିବାଦ ଭିତରେ ଚେନ୍ନାଇ ସୁପର କିଙ୍ଗସର କୋଚ ପ୍ରତିକ୍ରିୟା ରଖିଥିଲେ ଆଉ କହିଥିଲେ ଧୋନୀ ୧୦ ଓଭର ଯାଏଁ ବ୍ୟାଟିଂ କରିପାରିବେନି । କାରଣ ତାଙ୍କ ଆଣ୍ଠୁରେ ସମସ୍ୟା ରହିଛି । ଏହାପରେ ଧୋନୀଙ୍କ ଫିଟନେସ୍ ଉପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଫିଟନେସ୍ ନଥାଇ ତାଙ୍କୁ କାହିଁକି ଦଳରେ ସାମିଲ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ କ୍ରିଡ଼ା ବିଶେଷଜ୍ଞ ।
ଧୋନୀ କ୍ରିକେଟ ଜଗତରେ ଜଣେ ବଡ ଖେଳାଳି । ଜଣେ ସଫଳ ଅଧିନାୟକ ସହ ପଡିଆରେ ତାଙ୍କ ଆଖି ୩୬୦ ଡିଗ୍ରୀ ଚାଲିଥାଏ, ଖାସ କରି ସିଚୁଏସନ ଅନୁସାରେ ଧୋନୀ ଆସିଥାନ୍ତି ବ୍ୟାଟିଂ କରିବାକୁ, ଆଉ କ୍ରିଜରେ ଧୋନୀ ଥିଲେ କୁହାଯାଏ, ‘ଅନହୋନୀ କୋ ହୋନି କରଦେ ନାମ ହେ ଉସକା ଧୋନୀ’ ତାଙ୍କ କ୍ୟାରିୟରେ ଭିତରେ ସେ ସିଏସକେକୁ ତାଙ୍କ ହାର୍ଡ-ହିଟିଂ ବ୍ୟାଟିଂ ଜରିଆରେ ଜିତାଇଛନ୍ତି ତ ପୁଣି କେତେବେଳେ ପଡିଆରେ ଚାଣକ୍ୟ ହୋଇ ୱିକେଟ ପଛରେ ଛିଡା ହୋଇ ହାରିବା ମ୍ୟାଚକୁ ଜିତିବାରେ ବଦଳାଇ ଦିଅନ୍ତି । ଅନେକ ଜଣଙ୍କୁ ଜିରୋରୁ ହିରୋ କରିଛନ୍ତି ମାହି , ହେଲେ ୨୦୨୫ ଆଇପିଏଲରେ କଣ ହୋଇଛି ଧୋନୀଙ୍କୁ? ଲାଗୁଛି ଯେମିତି ବାଧ୍ୟରେ ଆସୁଛନ୍ତି ବ୍ୟାଟିଂ କରିବାକୁ , ଲୋୟର ଡାଉନରେ ଆସି ସତେ ଯେମିତି ଦୋଷ ଛଡାଇ ଚାଲିଯାଉଛନ୍ତି । ଦେଖିଲେ ଲାଗୁଛି ସେ ଧୋନୀ ଓ ଆଜିର ଧୋନୀ ଭିତରେ ବଡ ପାର୍ଥକ୍ୟ ରହିଛି ।
ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ୫ଥର ଆଇପିଏଲ ଚାମ୍ପିୟନ ହୋଇଛି । ସେ ନିଜ କ୍ୟାପଟେନ୍ସିରେ ଦଳକୁ ବେଶ ସଫଳତା କରାଇଥିଲେ । ଏବେ ଦୁଇଟି ସିଜିନରେ ଋତୁରାଜ ଗାଏକ୍ୱାଡ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି । ଧୋନୀ କେବଳ ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ଦଳରେ ରହୁଛନ୍ତି । ତେଣୁ ତାଙ୍କ ଅବସରକୁ ନେଇ ଚଳତି ବର୍ଷ ଚର୍ଚ୍ଚା ଜୋର ଧରିଛି ।
Follow Us