କନକ ବ୍ୟୁରୋ: ଯେତେବେଳେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ଇଂଲଣ୍ଡ ଗସ୍ତରେ ଯାଉଥିଲେ, ସମସ୍ତଙ୍କ ନଜର ତାଙ୍କ ଉପରେ ଥିଲା । ବିଶ୍ୱାସ କରାଯାଉଥିଲା ଯେ ଯଦି ଭାରତକୁ ସିରିଜ ଜିତିବାକୁ ପଡ଼ିବ ତେବେ ବୁମରାହ ଭଲ ପ୍ରଦର୍ଶନ କରିବା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ବୁମରାହ ଏହି ସିରିଜରେ ଆଶା କରାଯାଉଥିବା ଫର୍ମରେ ଦେଖାଯାଇ ନଥିଲେ ।

Advertisment

ମାଞ୍ଚେଷ୍ଟରରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଯଶପ୍ରିତ ବୁମରାହ ବହୁତ କ୍ଳାନ୍ତ ଦେଖାଯାଉଥିଲେ । ତାଙ୍କ ବଲରେ ସ୍ପିଡ୍ ବି ନଥିଲା । ଯାହା ଇଂଲଣ୍ଡ ବୋଲରଙ୍କୁ ଫାଇଦା ଦେଇଥିଲେ । ଆଉ ସେମାନେ ବୁମରାହଙ୍କୁ ଫାଇଦା ନେଇଥିଲେ । ସେ ତାଙ୍କର ପୁରୁଣା ଲୟରେ ଦେଖାଯାଉନଥିଲେ । ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ବୁମରାହ ଏପର୍ୟ୍ୟନ୍ତ ୩୩ ଓଭର ବୋଲିଂ କରି, ମାତ୍ର ୨ ଓ୍ୱିକେଟ ନେଇଛନ୍ତି । ଏହି ସମୟରେ ବୁମରାହ ୧୧୨ ରନ ଦେଇଛନ୍ତି । 

ଆଉ ଏହି ଟେଷ୍ଟ ମ୍ୟାଚ ପରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହଙ୍କ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷକରି ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜ୍ ପରେ ସେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ଆକଳନ କରାଯାଉଛି । ତେବେ ଏନେଇ ବୁମରାହ କିମ୍ବା ବିସିସିଆଇ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ ।

ନିକଟରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି ବରିଷ୍ଠ ଖେଳାଳିମାନେ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ବୁମରାଙ୍କୁ ନେଇ ଏହି କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ବୁମରାହଙ୍କର ବାରମ୍ବାର ଆହତ ସମସ୍ୟା ଏବଂ କାର୍ଯ୍ୟଭାର ପରିଚାଳନା ପାଇଁ ସେ ଟେଷ୍ଟ ଅଧିନାୟକ ପଦକୁ ମଧ୍ୟ ମନା କରିଦେଇଥିଲେ, ଯାହା ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଥିଲା । 

ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଏହି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି । ତାଙ୍କ ଅନୁଯାୟୀ, ବୁମରାହ ଖୁବଶୀଘ୍ର ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇପାରନ୍ତି । କୈଫ କହିଛନ୍ତି ଯେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ବୁମରାହଙ୍କ ବୋଲିଂ ଗତିରେ ହ୍ରାସ ପରିଲକ୍ଷିତ ହୋଇଛି ଏବଂ ସେ ଶାରୀରିକ ଭାବେ ସଂଘର୍ଷ କରୁଥିବା ଜଣାପଡୁଛି । ଯଦି ସେ ଅନୁଭବ କରନ୍ତି ଯେ ସେ ଦେଶ ପାଇଁ ନିଜର ୧୦୦ ପ୍ରତିଶତ ଦେଇପାରୁ ନାହାନ୍ତି, ତେବେ ସେ ନିଜେ ଏହି ନିଷ୍ପତ୍ତି ନେଇପାରନ୍ତି ବୋଲି କୈଫ ମତ ଦେଇଛନ୍ତି । 

ପୂର୍ବରୁ ଅବସର ଗୁଜବ ଉପରେ ବୁମରା ନିଜେ ମଧ୍ୟ ମତ ରଖିଛନ୍ତି । ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ମାଇକେଲ କ୍ଲାର୍କଙ୍କ ସହ ଏକ ଆଲୋଚନାରେ ସେ କହିଥିଲେ ଯେ ସେ ଏବେ ଖେଳ ଜାରି ରଖିବେ ଏବଂ ଅବସର ନେଇ କୌଣସି ଚିନ୍ତା କରିନାହାନ୍ତି । ତେବେ ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଆଘାତ କାରଣରୁ ହରାଇଥିବା ସମୟ ତାଙ୍କୁ ଶିଖାଇଛି ଯେ କିଛି ବି ସବୁଦିନ ପାଇଁ ରହେ ନାହିଁ । ଯେତେବେଳେ ତାଙ୍କ ଶରୀର ସଂଘର୍ଷ କରିବ କିମ୍ବା ଖେଳିବାର ଆଗ୍ରହ କମିଯିବ, ସେତେବେଳେ ସେ ଅବସର ନେବାକୁ ବିଚାର କରିବେ ବୋଲି କହିଛନ୍ତି ।

ଇଂଲଣ୍ଡ ସିରିଜ ପରେ ବୁମରାଙ୍କ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବା ଏକ ଅନୁମାନ ମାତ୍ର । ଏହା ଉପରେ କୌଣସି ନିଶ୍ଚିତ ସୂଚନା ମିଳିନାହିଁ । ବୁମରାଙ୍କ ଭବିଷ୍ୟତ ନିଷ୍ପତ୍ତି ତାଙ୍କ ଶାରୀରିକ ଫିଟନେସ୍ ଏବଂ ବ୍ୟକ୍ତିଗତ ଇଚ୍ଛା ଉପରେ ନିର୍ଭର କରିବ ।