କନକ ବ୍ୟୁରୋ : ପହଲଗାମ ଆକ୍ରମଣକୁ ନେଇ ଆକ୍ସନ ମୋଡ଼ରେ ଭାରତ । ସିନ୍ଧୁ ଜଳଚୁକ୍ତି ବାତିଲ, ଡିଜିଟାଲ ଷ୍ଟ୍ରାଇକ ପରେ ପାକିସ୍ତାନ ସହ ବ୍ୟବସାୟିକ ସମ୍ପର୍କରେ ପୂର୍ଣ୍ଣଛେଦ୍ଦ ଟାଣିଲେ କେନ୍ଦ୍ର ସରକାର । ସମସ୍ତ ପ୍ରକାରର ଆମଦାନୀ ଓ ରପ୍ତାନୀ ବନ୍ଦ । ସେପଟେ ସୀମାପାର ଆତଙ୍କବାଦ ବିରୋଧରେ ଏଥର ନିର୍ଣ୍ଣାୟକ ଲଢେଇ ହେବ, ପହଲଗାମର ପ୍ରତିଶୋଧ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
ପହଲଗାମ ହମଲା ପରେ ଆକ୍ରମଣାତ୍ମକ ମୁଦ୍ରାରେ ଭାରତ, ଶତ୍ରୁ ରାଷ୍ଟ୍ରକୁ ହାତରେ ନୁହେଁ ଭାତରେ ମାରିବା ପାଇଁ ରଣନୀତିକୁ ପ୍ରମୁଖ ଯୁଦ୍ଧାସ୍ତ୍ର ଭାବେ ଆପଣାଇଛନ୍ତି ମୋଦୀ ସରକାର । ସିନ୍ଧୁ ଜଳଚୁକ୍ତି ବାତିଲ, ଡିଜିଟାଲ ଷ୍ଟ୍ରାଇକ ପରେ ପାକିସ୍ତାନ ସହ ବ୍ୟବସାୟିକ ସମ୍ପର୍କରେ ପୂର୍ଣ୍ଣଛେଦ୍ଦ ପଡ଼ିଛି । ପଡ଼ୋଶୀ ଦେଶ ସହ ସମସ୍ତ ପ୍ରକାରର ଆମଦାନୀ ଓ ରପ୍ତାନୀ ବନ୍ଦ ହୋଇଛି । ଦେଶରେ ଥିବା ବନ୍ଦର ଗୁଡ଼ିକୁ ପାକିସ୍ତାନ ଜାହାଜର ପ୍ରବେଶ ଉପରେ କଟକଣା ଲଗାଯାଇଛି । ପାକିସ୍ତାନ ସହ ଡାକ ଓ ପାର୍ସଲ ଆଦାନ ପ୍ରଦାନ ଉପରେ ଲାଗିଲା ରୋକ୍ । ଏହାପୂର୍ବରୁ ପାକିସ୍ତାନ ଏୟାରସ୍ପେଶକୁ ମଧ୍ୟ ବାରଣ କରିସାରିଛନ୍ତି କେନ୍ଦ୍ର ସରକାର ।
ଆଙ୍ଗୋଲା ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ସମୟରେ ପୁଣିଥରେ ସୀମାପାର ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକ୍ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆତଙ୍କବାଦ ମାନବଜାତି ପାଇଁ ବଡ଼ ବିପଦ ହୋଇ ଛିଡ଼ା ହୋଇଥିବା ବେଳେ ଏଥର ନିର୍ଣ୍ଣାୟକ ଲଢ଼େଇ ହେବ । ପହଲଗାମ ଘଟଣାରେ ପ୍ରତିଶୋଧ ନେବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୋଦୀ ।
ପହଲଗାମ ଆକ୍ରମଣକୁ ନେଇ କେତେବେଳେ ବି ପାଲଟା ଜବାବ ଦେଇପାରେ ଭାରତ । କିଛି ଏଭଳି ଆଶଙ୍କା କରି ଭୟରେ ଥରୁଛି ଶତ୍ରୁରାଷ୍ଟ୍ର ପାକିସ୍ତାନ । ଆତଙ୍କିତ ଅବସ୍ଥାରେ ଥିବା ପଡ଼ୋଶୀ ଦେଶ କ୍ଷେପଣାସ୍ତ୍ର ପରୀକ୍ଷଣ ଦ୍ବାରା କରିଛି ଶକ୍ତି ପ୍ରଦର୍ଶନ । ଭୂମିରୁ ଭୂମିକୁ ନିକ୍ଷେପକାରୀ ଅବଦାଲି କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିବା ବେଳେ ଏହାକୁ ବଡ଼ ସଫଳତାର ରୂପ ଦେଇଛି ପାକ୍ ଗଣମାଧ୍ୟମ ।
ଶ୍ରୀଲଙ୍କା ଭଣ୍ଡାରନାୟକ ଅର୍ନ୍ତଜାତୀୟ ବିମାନବନ୍ଦରରେ ଖାନତଲାସି । ଚେନ୍ନାଇରୁ କଲମ୍ବୋ ପହଁଚିଥିବା ଏକ ବିମାନବନ୍ଦରରେ ଛାନଭିନ କରାଯାଇଛି । ସୂଚନା ଅନୁସାରେ ବିମାନରେ ପହଲଗାମ ଆତଙ୍କୀ ଆକ୍ରମଣରେ ସମ୍ପୃକ୍ତ କିଛି ଆତଙ୍କୀ ଥିବା ନେଇ ଆଶଙ୍କା ପ୍ରକାଶ ପାଇବା ପରେ ଏହି ଖାନତଲାସି କରାଯାଇଛି । ଭାରତୀୟ ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ବିମାନ ଅବତରଣ କରିବା ମାତ୍ରକେ ଖୋଜ କରାଯାଇଛି । କଲମ୍ବୋର ଆଜି ସକାଳ ୧୧.୫୦ରେ ଅବତରଣ କରିଥଲା ଶ୍ରୀଲଙ୍କା ଏୟାରଲାଇନ୍ସର ବିମାନ ୟୁଏଲ ୧୧୨ । ବିମାନରେ ଜଣେ ସନ୍ଦିଗ୍ଧ ଥିବା ନେଇ କଲମ୍ବୋ ବିମାନବନ୍ଦରକୁ ସୂଚନା ଦେଇଥିଲା ଚେନ୍ନାଇ କଣ୍ଟ୍ରୋଲ ରୁମ୍ । ତେବେ ଘଟଣାକୁ ନେଇ ଅଧିକ ସୂଚନା ମିଳିପାରିନି ।