କନକ ବ୍ୟୁରୋ: ହରିୟାଣାରେ ହାଟ୍ରିକ ମାରିବ କି ବିଜେପି? ପୁଣି ରାଜ୍ୟରେ ଗଢାହେବ କି ବିଜେପି ସରକାର? ହରିୟାଣା ନିର୍ବାଚନ ଫଳାଫଳ ନେଇ ଆସୁଥିବା ଟ୍ରେଣ୍ଡରେ ବର୍ତ୍ତମାନ ସୁଦ୍ଧା ବିଜେପି ଆଗୁଆ ରହିଥିବାରୁ, ଏଭଳି କିଛି ଚର୍ଚ୍ଚା ଆରମ୍ଭ ହେଇଛି । ଖାଲି ସେତିକି ନୁହେଁ, ପୂର୍ବର ସବୁ ରେକର୍ଡକୁ କାଟି, ବିଜେପି ଏଥର ହରିୟାଣାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରେ ବୋଲି ମଧ୍ୟ କଥା ଉଠିଲାଣି ।
ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ହରିୟାଣାର ୯୦ ଆସନରୁ ବିଜେପି ୪୯ ଆସନରେ ଆଗୁଆ ଥିବାବେଳେ, କଂଗ୍ରେସ କେବଳ ୩୫ ଆସନରେ ଆଗୁଆ ଅଛି । ତେଣୁ ଏଠାରେ ଆସୁଥିବା ଟ୍ରେଣ୍ଡ ଯଦି ରେଜଲ୍ଟରେ ବଦଳେ, ତେବେ ପୁଣିଥରେ ବିଜେପି ସେଠାରେ ପୂର୍ଣ୍ଣ ବହୁମତର ସରକାର ଗଢିବ । ଆଉ ରାଜ୍ୟରେ ଲଗାତାର ୩ୟ ଥର ପାଇଁ ସରକାର ଗଢିବ ।
ତେବେ ହରିୟାଣାରେ ଏହା ବିଜେପିର ସର୍ବଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟ ହେଇପାରେ । କାହିଁକି ନା ୧୯୮୦ ମସିହାରେ ବିଜେପି ଗଢା ହେବାର ଦୁଇ ବର୍ଷ ପରେ ଦଳ ହରିୟାଣା ନିର୍ବାଚନ ଲଢିଥିଲା । ଆଉ ୧୯୮୨ ବିଧାନସଭା ନିର୍ବାଚନରେ ୬ଟି ସିଟ୍ ଜିତିଥିଲା । ଏହାପରେ ୧୯୮୭ରେ ୧୬ଟି, ୧୯୯୬ରେ ୧୧ଟି, ୨୦୦୦ ମସିହାରେ ଦଳ ୬ଟି ଆସନରେ ଜିତାପଟ ହାସଲ କରିଥିଲା । ତେବେ ୨୦୦୫ ଆଉ ୨୦୦୯ରେ ଦଳ ଖରାପ ପ୍ରଦର୍ଶନ କରିବା ସହ କେବଳ ୨ଟି ଏବଂ ୪ଟି ସିଟ୍ ଜିତିଥିଲା ।
ଏହାପରେ ୨୦୧୪ରେ ହରିୟାଣାରେ କମାଲ କରିଥିଲା ବିଜେପି । ବିଧାନସଭା ନିର୍ବାଚନରେ ଦଳ ୩୩.୩ ପ୍ରତିଶତ ଭୋଟ୍ ହାତେଇବା ସହ ୪୭ ଆସନରେ ବିଜୟ ହାସଲ କରିଥିଲା । ଆଉ ଏହି ସଫଳତାକୁ ୨୦୧୯ରେ ମଧ୍ୟ ଦୋହରାଇଥିଲା । ୨୦୧୯ରେ ଦଳ ୪୦ ସିଟ୍ ଜିତିବା ସହ ଜେଜେପି ସହ ମିଶି ସରକାର ଗଠନ କରିଥିଲା । ତେଣୁ ଏଥର ଯଦି ଦଳ ଟ୍ରେଣ୍ଡ ମୁତାବକ ୪୯ ସିଟରେ ଆଗୁଆ ରହି ବିଜୟ ହାସଲ କରେ, ତେବେ ଏହା ଦଳର ହେବ ସର୍ବଶ୍ରେଷ୍ଠ ପ୍ରଦର୍ଶନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/LCBE4k9zWLED9eg45wFI.jpg)