କନକ ବ୍ୟୁରୋ: ଷ୍ଟାଲିନଙ୍କ ନିମନ୍ତ୍ରଣକୁ ନବୀନ ଗ୍ରହଣ କରିବା ପରେ ଏବେ ଚର୍ଚ୍ଚା ବିଜେଡିର ପରବର୍ତ୍ତୀ ଆଭିମୁଖ୍ୟକୁ ନେଇ। ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ନବୀନ ସମଦୂରତ୍ୱ ଫର୍ମୁଲାକୁ ପଛ କରି ଆଗକୁ ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ବଢୁଛି। ଯାହାକୁ ବଳ ଦେଉଛି ବିଧାନସଭାରେ ବିଜେଡିର ଆଭିମୁଖ୍ୟ।
ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ବର ଦ୍ବାହି ଦେଉଥିବା ନବୀନ ଗତ ୫ ବର୍ଷରେ ଏମିତି କିଛି ନିଷ୍ପତ୍ତି ନେଇଥିଲେ ଯାହା ବିଜେଡି ପାଇଁ ବୁମେରାଂ ହୋଇଛି। ସହଯୋଗୀ ନଥାଇ ମଧ୍ୟ ସିଏଏ, ଦିଲ୍ଲୀ ସେବା ବିଲ୍, ତିନି ତଲାକ ପ୍ରସଙ୍ଗରେ କେନ୍ଦ୍ରର ବିଜେପି ସରକାରକୁ ଅଯାଚିତ ସମର୍ଥନ ଦେଇ ଆସୁଥିଲା ବିଜେଡି। ଅଶ୍ବିନୀ ବୈଷ୍ଣବଙ୍କୁ ଲଗାତାର ୨ ଥର ରାଜ୍ୟସଭା ପଠାଇବାରେ ବିଜେଡିର ସହଯୋଗ ତାର ଏନଡିଏ ପ୍ରୀତିକୁ ପଦାରେ ପକାଇଥିଲା। ଏଥିପାଇଁ ୨୦୨୪ ନିର୍ବାଚନରେ ବିଜେଡିକୁ ବହୁମୂଲ୍ୟ ଦେବାକୁ ପଡିଲା ବୋଲି ଦଳର ବରିଷ୍ଠ ନେତା ଅନେକବାର କହିଛନ୍ତି। କିନ୍ତୁ ବିରୋଧୀ ଆସନରେ ବସିବା ପରେ ନବୀନ ଆପଣାଇଛନ୍ତି ଭିନ୍ନ ଆଭିମୁଖ୍ୟ। ଡିଲିମିଟେସନକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଇଣ୍ଡି ମେଣ୍ଟରେ ଥିବା ଦଳକୁ ନେଇ କେନ୍ଦ୍ର ବିରୋଧରେ ଯୁଦ୍ଧ ଡାକରା ଦେଇଥିବା ବେଳେ ଏଥିରେ ସାମିଲ ହେବାକୁ ସହମତି ଦେଇଛନ୍ତି ନବୀନ। ଅନ୍ୟପଟେ ବିଜେପି କହିଛି, ବିଜେଡିର ଅସ୍ତିତ୍ବ ବଞ୍ଚାଇବାକୁ ଏବେ ଇଣ୍ଡି ମେଣ୍ଟ ଶରଣରେ ନବୀନ।
ଷ୍ଟାଲିନ ଡାକିଥିବା ବୈଠକରେ ଯୋଗ ଦେବାକୁ ନବୀନ ହଁ ଭରିବା ପରେ ବିଜେଡିକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ବଢିଛି। ଏନଡିଏ ଠାରୁ ମୋହଭଙ୍ଗ ହେବା ପରେ ଇଣ୍ଡି ମେଣ୍ଟ ଆଡକୁ ନବୀନ ଢଳୁଥିବା କୁହାଯାଉଛି। ଏପରିକି ବିଧାନସଭାରୁ ନିଲମ୍ବିତ କଂଗ୍ରେସ ବିଧାୟକ ତାରାଙ୍କ ସମର୍ଥନରେ ବିଜେଡି ବାହାରିବା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ଯାହାକୁ ନେଇ ବିଜେଡି କହିଛି, ଦଳ ପାଇଁ ରାଜ୍ୟ ସ୍ବାର୍ଥ ସର୍ବୋପରି। କିନ୍ତୁ କଂଗ୍ରେସ ଏଭଳି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣି କହିଛି, ଏବେ ବି ବିଜେଡି-ବିଜେପି ମିଶିକି ଅଛନ୍ତି।
ବିରୋଧୀ ଆସନରେ ବସିବା ପରେ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ଜୋରଦାର ବିରୋଧ କରୁଛି ବିଜେଡି। ସେହିଭଳି କଂଗ୍ରେସ ପାଇଁ ବିଜେଡିର ଦରଦ ଅନେକ ଚର୍ଚ୍ଚାକୁ ଜନ୍ମ ଦେଉଛି। କିନ୍ତୁ ପରିବର୍ତ୍ତିତ ରାଜନୈତିକ ସ୍ଥିତି ଭିତରେ ବିଜେଡି ସମଦୂରତ୍ବ ଫର୍ମୁଲାରେ ଆଗକୁ ବଢୁଛି ନା ବିରୋଧୀ ମେଣ୍ଟ ଆଡକୁ ଢଳୁଛି ତାହା ସବୁଠୁ ବଡ ପ୍ରଶ୍ନ।