କନକ ବ୍ୟୁରୋ : ବିହାରରେ ରାହୁଲ ଗାନ୍ଧୀଙ୍କ ଭୋଟ୍ ଅଧିକାର ଯାତ୍ରାରୁ ଇଣ୍ଡିମେଣ୍ଟ କେବଳ ବିହାର ନୁହେଁ, ସାରା ଦେଶରୁ ବଳ ଗୋଟାଉଛି । ଇଣ୍ଡିମେଣ୍ଟର ବହୁ ସହଯୋଗୀ ଦଳର ତୁଙ୍ଗନେତା ରାହୁଲଙ୍କ ସାଥ୍ ଦେଉଛନ୍ତି । ଆଜି ସାମିଲ ହୋଇଥିଲେ ଡିଏମକେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ।
ବିହାରରେ ଅଗଷ୍ଟ ୧୭ରେ ରାହୁଲ ଗାନ୍ଧୀ ଆରମ୍ଭ କରିଥିବା ଭୋଟ୍ ଅଧିକାର ଯାତ୍ରା ବୁଧବାର ଦରଭଙ୍ଗାରୁ ଆରମ୍ଭ ହୋଇ ମୁଜଫରପୁରରେ ପହଞ୍ଚିଥିଲା । ରାହୁଲ ଗାନ୍ଧୀଙ୍କ ସହ ଯୋଗଦେଇଥିଲେ ତାଙ୍କ ଭଉଣୀ ତଥା କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଏମ୍.କେ ଷ୍ଟାଲିନ, ଆରଜେଡି ନେତା ତେଜସ୍ୱୀ ଯାଦବ ଓ ବାମନେତା ଦୀପଙ୍କର ଭଟ୍ଟାଚାର୍ୟ୍ୟଙ୍କ ସମେତ ଇଣ୍ଡିମେଣ୍ଟର ବହୁ ବରିଷ୍ଠ ନେତା । ମୁଜଫରପୁର ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ଦେଇ ଯାତ୍ରା ଅତିକ୍ରମ କରିଥିଲା। ଆୟୋଜିତ ଜନସଭାକୁ ନେତୃବୃନ୍ଦ ସମ୍ୱୋଧନ କରିଥିଲେ । ଟ୍ଟ
ବିହାରରେ ଭୋଟ୍ ଅଧିକାର ଯାତ୍ରା ୧୬ ଦିନ ଧରି ୧ ହଜାର ୩ ଶହ କିଲୋମିଟର ଅତିକ୍ରମ କରିବା ପରେ ସେପ୍ଟେମ୍ବର ୧ ତାରିଖରେ ପାଟନାରେ ସରିବ । ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନରେ ୬୫ ଲକ୍ଷରୁ ଅଧକ ନାଁ ବାଦ୍ ପଡ଼ିଥିବାରୁ ଲୋକଙ୍କୁ ଏସମ୍ପର୍କରେ ସଚେତନ କରିବା ପାଇଁ ରାହୁଲ ଗାନ୍ଧୀ ଭୋଟ୍ ଅଧିକାର ଯାତ୍ରା କରୁଛନ୍ତି। ଏଥିରେ କେବଳ ବିହାରରେ ନୁହେଁ, ସାରାଦେଶରୁ ଇଣ୍ଡିମେଣ୍ଟ ପ୍ରତି ସମର୍ଥନ ବଢୁଥିବା ଲକ୍ଷ୍ୟ କରାଯାଉଛି । ଗତକାଲି କଂଗ୍ରେସ ନେତା ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଯାତ୍ରାରେ ସାମିଲ ହୋଇଥିଲେ । ଆଗକୁ ଆହୁରି ବିରୋଧୀ ନେତା ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
ବୁଧବାର ଭୋଟ୍ ଅଧିକାର ଯାତ୍ରାରେ ରାହୁଲ ଗାନ୍ଧା, ତେଜସ୍ୱୀ ଯାଦବ ଓ ଅନ୍ୟ ନେତାମାନେ ମୋଟର ସାଇକେଲରେ ମୁଜଫରପୁରରେ ପହଞ୍ଚିଥିଲେ । ରାହୁଲ ଗାନ୍ଧୀ ଏକ ରୟାଲ ଏନଫିଲ୍ଡ ଚଳାଉଥିବା ବେଳେ ପ୍ରିୟଙ୍କା ତାଙ୍କ ପଛରେ ବସିଥିବା ଦେଖିବାକୁ ମିଳିଥିଲା ।
Follow Us