କନକ ବ୍ୟୁରୋ: ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ବଢି ଚାଲିଛି । ଭାରତ ପାକିସ୍ତାନ ସହ ସମସ୍ତ ବ୍ୟାପାର ସମ୍ୱନ୍ଧୀୟ ସମ୍ପର୍କ ଛିନ୍ନ କରି ସାରିଛି । ଏହାସହ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିବା ସହ ଭାରତରୁ ପାକିସ୍ତାନୀଙ୍କୁ ବିଦା କରୁଛି । ଏତେ ସବୁ କଡା ପଦକ୍ଷେପ ପରେ ଏବେ ବିଳିବିଳାଉଛି ପାକିସ୍ତାନ । ଆଉ ଭାରତର ଆକ୍ରମଣ ଭୟରେ ନିଦ ଉଡ଼ିଗଲାଣି ଆତଙ୍କୀସ୍ଥାନର । ଆଉ ଏହାରି ଭିତରେ ଏବେ ପାକିସ୍ତାନ ଉପରେ ବଦଲା ନେବ ବିସିସିଆଇ । ଏସିଆକପରେ ପାକିସ୍ତାନ ଉପରେ ବଡ଼ ନିଷ୍ପତ୍ତି ନେଇପାରେ ଭାରତ । 

Advertisment

ଚଳିତ ବର୍ଷ ସେପ୍ଟେମ୍ୱର ମାସରେ ଟି-୨୦ ଫର୍ମାଟରେ ଏସିଆକପ ଖେଳାଯିବ । ଆଉ ଏହାର ଆୟୋଜନ କରିବ ଭାରତ । ୨୦୨୬ ଟି-୨୦ ବିଶ୍ୱକପ ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନ ବାହାର ହୋଇପାରେ ବୋଲି ଭାରତୀୟ ପୂର୍ବତନ କ୍ରିକେଟର ଦାବି କରିଛନ୍ତି । ଗାଭାସ୍କରଙ୍କ କହିବାନୁସାରେ ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ବହୁତ କିଛି ପରିବର୍ତ୍ତନ ହୋଇଯାଇଛି । ଆଉ ଏଭଳି ସ୍ଥିତିରେ ପାକିସ୍ତାନ ଭାରତ ଆସି ଏସିଆ କପ ଖେଳିବା ଏକ ପ୍ରକାର ଅସମ୍ଭବ । ତାଙ୍କ ମତରେ ବିସିସିଆଇ ସବୁବେଳେ ଭାରତ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିଥାଏ ଆଉ ଏସିଆ କପରେ ଏହା ହିଁ ଦେଖିବାକୁ ମିଳିପାରେ । 

ସୁନୀଲ ଗାଭାସ୍କର ଆହୁରି କହିଛନ୍ତି କି, ପାକିସ୍ତାନକୁ ବାହାର କରିବା ପାଇଁ ଏସିସିକୁ ଭାଙ୍ଗିବାକୁ ପଡ଼ିପାରେ । ଅର୍ଥାତ ଏସିସିର ଭବିଷ୍ୟତ ବି ବିପଦରେ ରହିଛି । ଯଦି ସ୍ଥିତି ନସୁଧୁରେ ତେବେ ଏସିସିର ଅସ୍ତିତ୍ୱ ବି ରହିବ ନାହିଁ । ତାଙ୍କ ମତରେ ଏସିଆକପ ଜାଗାରେ ୩ କିମ୍ୱା ୪ ଦେଶ ମଧ୍ୟରେ କେବଳ ଗୋଟିଏ ଟୁର୍ଣ୍ଣାମେଣ୍ଟ ଖେଳ ହୋଇପାରେ । ଏସିଆକପର ଆୟୋଜନ ଦାୟିତ୍ୱ ଭାରତ ଶ୍ରୀଲଙ୍କା ପାଖରେ ରହିଛି । ସେଥିପାଇଁ ଭାରତ ପାକିସ୍ତାନ ବିରୋଧରେ କଠୋର ହୋଇପାରେ ବୋଲି ଗାଭାସ୍କର ମତ ରଖିଛନ୍ତି । 

ତେବେ ପହଲଗାମ ଆକ୍ରମଣ ପରେ ଭାରତର ବାଂଲାଦେଶ ଗସ୍ତ ବି ରଦ୍ଦ ହୋଇପାରେ । ଭାରତ-ବାଂଲାଦେଶ ମଧ୍ୟରେ ସୀମିତ ଓଭରର ସିରିଜ ରହିଛି ଆଉ ଏହାପରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ବି ଖେଳାଯିବାର ଅଛି । ଆଉ ଗତ କିଛି ମାସ ହେବ ବାଂଲାଦେଶରେ ବି ସ୍ଥିତି ବହୁତ ଖରାପ ରହିଛି । ଧାର୍ମିକ ଭାବାବେଗକୁ ନେଇ ସେଠାରେ ହିଂସା ବଢି ଚାଲିଛି । ତେବେ ଏଭଳି ସ୍ଥିତିରେ ସୁରକ୍ଷାକୁ ଦୃଷ୍ଟିରେ ରଖି ବିସିସିଆଇ ବଡ ନିଷ୍ପତ୍ତି ନେଇପାରେ । 

ପହଲଗାମରେ ଏପ୍ରିଲ ୨୨ ତାରିଖରେ କିଛି ଆତଙ୍କବାଦୀ ନିରୀହ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ । ହିନ୍ଦୁମାନଙ୍କୁ ଖୋଜି ଖୋଜି ଗୁଳିମାଡ କରିଥିଲେ ଆତଙ୍କୀ । ଯେଉଁଠି ୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ଚାଲିଯାଇଥିଲା । ଆଉ ଏହାକୁ ନେଇ ଭାରତ ପାକିସ୍ତାନ ବିରୁଦ୍ଧରେ କଡା ନିଷ୍ପତ୍ତି ନେଉଛି, ଯାହା ପାକିସ୍ତାନ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । 

ଗତ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରିଥିଲା ପାକିସ୍ତାନ ହେଲେ ଭାରତ ପାକିସ୍ତାନ ଯିବାକୁ ମନା କରିଦେଇଥିଲା । ଯେଉଁଠି ଭାରତ ହାଇବ୍ରିଡ ମଡେଲରେ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିଥିଲା । ଆଉ ଚାମ୍ପିୟନ ବି ହୋଇଥିଲା । ତେବେ ଭାରତ-ପାକିସ୍ତାନର ଏହି ତିକ୍ତତା ଭିତରେ ଏସିଆ କପର ଭବିଷ୍ୟତ କଣ ହେଉଛି ତାହା ଦେଖିବା ବାକି ରହିଲା ।