କନକ ବ୍ୟୁରୋ: ରାଜ୍ୟରେ ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ବଦଳିବା ନେଇ ଚର୍ଚ୍ଚା ଥମିବାର ନା ନେଉନି । କେଉଁ ଜିଲ୍ଲାରୁ କିଏ ମନ୍ତ୍ରୀ ହେବ? କେଉଁ ନେତାଙ୍କ ମୁଣ୍ଡରେ ହାତୀ ସୁନା କଳସ ଢାଳିବ? ତାକୁ ନେଇ ଚର୍ଚ୍ଚା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଉ ଏହାରି ଭିତରେ ଅନ୍ଦର ମହଲରୁ ଯେଉଁ ଖବର ଆସିଛି, ତାକୁ ନେଇ ଜୋରସୋରରେ ଆରମ୍ଭ ହୋଇଛି ଆଲୋଚନା । ଅନ୍ଦର ମହଲରୁ ମିଳିଥିବା ସୂଚନା ମୁତାବକ, ଏଥର ମୋହନ କ୍ୟାବିନେଟରେ ମନ୍ତ୍ରୀ ପଦ ପାଇପାରେ ଅନୁଗୁଳ ଜିଲ୍ଲା । ଦୀର୍ଘ ୧୧ ବର୍ଷ ଧରି ମନ୍ତ୍ରୀ ମୁହଁ ଦେଖିନଥିବା ଅନୁଗୁଳ, ଏଥର ଇତିହାସ ବଦଳାଇବା ସହିତ ମୋହନଙ୍କ କ୍ୟାବିନେଟରେ ମନ୍ତ୍ରୀ ପଦ ପାଇପାରେ ।
ଅନୁଗୁଳ ଜିଲ୍ଲାରେ ୫ଟି ବିଧାନସଭା କ୍ଷେତ୍ର ରହିଛି । ପାଳଲହଡ଼ା, ତାଳଚେର, ଅନୁଗୁଳ, ଛେଣ୍ଡିପଦା ଆଉ ଆଠମଲ୍ଲିକ । ଏହା ମଧ୍ୟରୁ ୩ଟି ବିଧାନସଭା ଆସନ ଏବେ ବିଜେପି ହାତରେ । ଅନୁଗୁଳ ସହିତ ପାଳଲହଡ଼ା ଆଉ ଛେଣ୍ଡିପଦା ଆସନରେ ଏଥର ବାଜିମାରିଛି ବିଜେପି । ଯେଉଁଠୁ କି ପ୍ରତାପ ପ୍ରଧାନ, ଅଶୋକ ମହାନ୍ତି ଆଉ ଅଗସ୍ତି ବେହେରା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଚର୍ଚ୍ଚା ହେଉଛି, ଏହି ତିନି ନେତାଙ୍କ ଭିତରୁ ଜଣେ ନେତାଙ୍କୁ ଏଥର ମୋହନଙ୍କ କ୍ୟାବିନେଟରେ ଜାଗା ମିଳିପାରେ ।
ଅନୁଗୁଳର ପ୍ରତାପ ପ୍ରଧାନ କିମ୍ବା ପାଳଲହଡ଼ାର ଅଶୋକ ମହାନ୍ତିଙ୍କ ମଧ୍ୟରୁ ଜଣେ ମୋହନଙ୍କ କ୍ୟାବିନେଟରେ ମନ୍ତ୍ରୀ ହେବାର ସମ୍ଭାବନା ଅଧିକ ରହିଛି । କଂଗ୍ରେସରୁ ଆସି ବିଜେପିରେ ମିଶିବା ପରେ ପ୍ରଥମ ଥର ପାଇଁ ଦଳକୁ ଅନୁଗୁଳରେ ଜିତାଇଛନ୍ତି ପ୍ରତାପ । ଦୀର୍ଘ ବର୍ଷ ଧରି ଏହା ବିଜେଡିର ଗଡ଼ ହୋଇ ରହିଥିଲା, ଆଉ ରଜନୀକାନ୍ତ ସିଂହ ଏଠାରୁ ଲଗାତାର ନିର୍ବାଚନ ଜିତି ଆସୁଥିଲେ । ହେଲେ ଏଥର କିନ୍ତୁ ପ୍ରତାପ ପ୍ରଧାନ ସେଠାରୁ ବାଜି ମାରିବା ସହିତ ମନ୍ତ୍ରୀ ହେବା ରେସରେ ଆଗରେ ଅଛନ୍ତି ।
ମୋହନଙ୍କ ନୂଆ କ୍ୟାବିନେଟ୍ : ୨୧ ସଂସଦୀୟ କ୍ଷେତ୍ରରୁ ୨୧ ମନ୍ତ୍ରୀ !
ସେପଟେ ପାଳଲହଡ଼ାରୁ ଜିତି ଏଥର ବିଧାନସଭାକୁ ଆସିଥିବା ଅଶୋକ ମହାନ୍ତି ମଧ୍ୟ ମନ୍ତ୍ରୀ ହେବାକୁ ଆଶାୟୀ ଅଛନ୍ତି । ୨୦୦୦ ମସିହାରେ ଧର୍ମେନ୍ଦ୍ର ପ୍ରଧାନ ଏଠାରୁ ଶେଷଥର ପାଇଁ ବିଜେପି ବିଧାୟକ ଥିଲେ । ଏହାପରେ ସେଠାରୁ କଂଗ୍ରେସ ଆଉ ବିଜେଡି ନେତା ହିଁ ନିର୍ବାଚନ ଜିତି ଆସୁଥିଲେ । ହେଲେ ୨୦୨୪ରେ କିନ୍ତୁ ପାଲଲହଡ଼ାରେ ପଦ୍ମ ଫୁଟିବା ସହିତ ଅଶୋକ ମହାନ୍ତି ଏଠାରୁ ନିର୍ବାଚନ ଜିଣିଛନ୍ତି । ତେଣୁ ମନ୍ତ୍ରୀ ହେବା ଲିଷ୍ଟରେ ତାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏହାସହିତ ଅନୁସୂଚିତ ଜାତି ବର୍ଗରୁ ପ୍ରତିନିଧିତ୍ୱ କରୁଥିବା ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କୁ ମଧ୍ୟ ମୋହନ ନିଜ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇପାରନ୍ତି ବୋଲି ତାଙ୍କର କିଛି ସମର୍ଥକ ଯୁକ୍ତି ବାଢୁଛନ୍ତି । ହେଲେ ଦେଖିବାକୁ ବାକି ରହିଲା ଅନୁଗୁଳର ଏହି ୩ ନେତାଙ୍କ ଭିତରୁ କେଉଁ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ଜାଗା ମିଳୁଛି?
ଅନୁଗୁଳ ଜିଲ୍ଲା ଦୀର୍ଘ ୧୧ ବର୍ଷ ହେଲା ମନ୍ତ୍ରୀ ଶୂନ୍ୟ ରହିଛି । ବିଜେଡି ସରରକାରକୁ ଅନୁଗୁଳର ଭୋଟର ବିପୁଳ ସମର୍ଥନ ଦେଇଥିଲେ ବି, ଗତ ଦୁଇ ପାଳିରେ ନବୀନ ଜଣଙ୍କୁ ମଧ୍ୟ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିନଥିଲେ । ଶେଷଥର ପାଇଁ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମନ୍ତ୍ରୀ ହୋଇଥିଲେ । ତେଣୁ ଏଥର ମୋହନ ଯଦି ଅନୁଗୁଳରୁ ଜଣେ ନେତାଙ୍କୁ ମନ୍ତ୍ରୀ କରନ୍ତି । ତେବେ ଦୀର୍ଘ ୧୧ ବର୍ଷ ପରେ ମନ୍ତ୍ରୀ ମୁହଁ ଦେଖିପାରେ ଅନୁଗୁଳ ଜିଲ୍ଲା ।