କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡରିଗଲେ କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟାରିଫ୍‌କୁ ନେଇ ଭାରତ-ଆମେରିକା ମଧ୍ୟରେ ତିକ୍ତତା ମଧ୍ୟରେ ସେ ବଡ଼ ବୟାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମ୍ପର୍କକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଟ୍ରମ୍ପ । ସେ କହିଛନ୍ତି, ମୋଦୀ ତାଙ୍କର ଭଲ ବନ୍ଧୁ, ଆଗକୁ ମଧ୍ୟ ଭଲ ବନ୍ଧୁ ହୋଇ ରହିବେ । ମୋଦୀ ମହାନ ବ୍ୟକ୍ତି । ଆଉ ସେ ଜଣେ ମହାନ ପ୍ରଧାନମନ୍ତ୍ରୀ । ସେପଟେ ଜାତିସଂଘ ସମ୍ମିଳନୀରେ ଯୋଗଦେବେନି ପ୍ରଧାନମନ୍ତ୍ରୀ ମୋଦୀ । କେନ୍ଦ୍ର ବୈଦଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏହି ମହାସଭା ବୈଠକରେ ଯୋଗ ଦେବେ ।  

Advertisment

ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଭାରତ ରୁଷ୍‌ଠାରୁ ବହୁ ପରିମାଣର ତେଲ କିଣିବା ଜାରି ରଖିଥିବାରୁ ସେ ଅତ୍ୟନ୍ତ ନିରାଶ । ଗତ ଶୁକ୍ରବାର ଚୀନ ପାଖରେ ଭାରତ ଭଳି ବନ୍ଧୁକୁ ହରାଇଥିବା କଥା କହିଥିଲେ ଆମେରିକା ରାଷ୍ଟ୍ରପତି । ଏହାର ଘଣ୍ଟାଏ ପରେ ସେ ପୁଣି କହିଛନ୍ତି ଯେ ସେ ଭାବୁ ନାହାନ୍ତି ବାସ୍ତବରେ ଭାରତ ଭଳି ବନ୍ଧୁକୁ ହରାଇଛନ୍ତି । ଭାରତ କେବଳ ରୁଷଠାରୁ ତେଲ କିଣୁଥିବାରୁ ମୁଁ ନିରାଶ । ଏହାକୁ ନେଇ ମୁଁ ତାଙ୍କୁ ଜଣାଇଦେଇଛି । ଏଣୁ ଭାରତ ଉପରେ ଏକ ବହୁତ ବଡ ଟାରିଫ ଲଗାଇଛୁ । ୫୦ ପ୍ରତିଶତ ଟାରିଫ ବହୁତ ଅଧିକ ହୋଇଥାଏ ।

ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ଗୁରୁତ୍ୱ ଦେଇଛନ୍ତି । କହିଛନ୍ତି "ମୋର ମୋଦୀଙ୍କ ସହ ଭଲ ସମ୍ପର୍କ, ଆପଣମାନେ ଜାଣିଛନ୍ତି । ସେ ଜଣେ ମହାନ ବ୍ୟକ୍ତି । ସେ କିଛି ମାସ ପୂର୍ବରୁ ହିଁ ଏଠାରେ ଥିଲେ ।"  ଭାରତ ଏବଂ ଆମେରିକା ମଧ୍ୟରେ "ବିଶେଷ ସମ୍ପର୍କ" କଥା କହିଛନ୍ତି ଟ୍ରମ୍ପ । କହିଛନ୍ତି ସାମୟିକ ମତଭେଦ ସତ୍ତ୍ୱେ ସେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ "ସବୁବେଳେ ବନ୍ଧୁ" ରହିବେ।

ଭାରତ ସହ ସମ୍ପର୍କ ପୁନଃସ୍ଥାପିତ କରିବାକୁ ସେ ପ୍ରସ୍ତୁତ କି ନାହିଁ ବୋଲି ସାମ୍ବାଦିକମାନେ ପଚାରିବାରୁ ଟ୍ରମ୍ପ ଉତ୍ତର ଦେଇଥିଲେ, "ମୁଁ ସବୁବେଳେ ବନ୍ଧୁତା କରିବି । ମୁଁ ଓ ପିଏମ୍ ମୋଦୀ ସହ ସବୁବେଳେ ବନ୍ଧୁ ରହିବୁ। ସେ ଜଣେ ମହାନ ପ୍ରଧାନମନ୍ତ୍ରୀ । ମୁଁ ସବୁବେଳେ ତାଙ୍କ ବନ୍ଧୁ ରହିବି, କିନ୍ତୁ ଏହି ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ସେ ଯାହା କରୁଛନ୍ତି ତାହା ମୁଁ ପସନ୍ଦ କରୁନାହିଁ । କିନ୍ତୁ ଭାରତ ଏବଂ ଆମେରିକା ମଧ୍ୟରେ ଏକ ଅତ୍ୟନ୍ତ ବିଶେଷ ସମ୍ପର୍କ ଅଛି । ଚିନ୍ତା କରିବାର କିଛି ନାହିଁ ।  ସାମୟିକ ଭାବେ ଏଭଳି କିଛି ମୁହୂର୍ତ୍ତ ଆସେ ।"
ଏହା ପୂର୍ବରୁ ଟ୍ରମ୍ପ ତାଙ୍କ ଟ୍ରୁଥ୍‌ ସୋସିଆଲ ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଫୋଟ  ସେୟାର କରିଥିଲେ, ଯେଉଁଥିରେ ସେ ତିଆନଜିନ ବୈଠକରେ ଭ୍ଲାଦିମିର ପୁଟିନ ଏବଂ ସି ଜିନପିଙ୍ଗଙ୍କ ସହ ଦେଖାଯାଇଥିଲେ । ଆମେରିକା ରାଷ୍ଟ୍ରପତି ସୂଚାଇ ଦେଇଥିଲେ ଯେ ୱାଶିଂଟନ୍ ଏବଂ ନୂଆଦିଲ୍ଲୀ ମଧ୍ୟରେ ସମ୍ପର୍କ ନିମ୍ନ ସ୍ତରକୁ ଆସିଛି ଏବଂ କହିଥିଲେ ଯେ ଆମେରିକା ସବୁଠାରୁ ଅନ୍ଧକାରମୟ ଚୀନ ନିକଟରେ ଭାରତ ଏବଂ ରୁଷକୁ ହରାଇଛି। ତିଆନଜିନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ତିନି ନେତା ଏକାଠି ହେବାର କିଛି ଦିନ ପରେ ତାଙ୍କର ଏହି ମନ୍ତବ୍ୟ ଆସିଥିଲା । ନିକଟରେ ଏସ୍‌ସିଓ ସମ୍ମିଳନୀରେ ମୋଦୀଙ୍କ ସହ ଚୀନ୍ ରାଷ୍ଟ୍ରପତି ଜିନ୍‌ପିଙ୍ଗ ଓ ରୁଷ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଘନିଷ୍ଟତା ଦେଖିଥିଲା ସାରା ବିଶ୍ବ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଟ୍ରମ୍ପଙ୍କ ଏପରି ବୟାନ ଚର୍ଚ୍ଚା ବଢାଇଛି ।