କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ବାଲିଛାୟି ଗାଁ। ଗ୍ରାମରେ ୩ଶହରୁ ଅଧିକ ପରିବାର ବସବାସ କରନ୍ତି। ୨୦୦୦ ମସିହାରୁ ଗାଁରେ ଜାତିବାଦ ବିବାଦ ଲାଗି ରହିଛି। ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ଉଗ୍ର ରୂପ ନେବା ସହ କିଛି ପରିବାର ଗାଁରୁ ବିତାଡ଼ିତ ହୋଇଛନ୍ତି। ୨୦୦୦ ମସିହା ଫ୍ରେବୃଆରୀ ୨୦ରେ ଭିଟାମାଟି ଛାଡ଼ିଥିଲେ ୫୦ଟି ପରିବାର। ୨୫ ବର୍ଷ ହେଲା ଘର ଠାରୁ ଦୂରେଇ ଯାଇଛନ୍ତି। ଗାଁରେ ଥିବା ଘରଦ୍ୱାର ମାଟିରେ ମଶିଗଲାଣି। ସବୁଆଡ଼େ ଲଟା ବୁଦାରେ ମାଡ଼ିଗଲାଣି।
ବର୍ଣ୍ଣ-ଅସବର୍ଣ୍ଣ ବିବାଦ ବେଳର ଅନେକ ଲୋକ ଆରପାରିକୁ ଚାଲିଗଲେଣି। ଗାଁରେ ଘରଦ୍ୱାର ଓ ବିଲବାଡି ଛାଡି ଚାଲିଯାଇଥିବା ଅନେକ ପରିବାର ନିଜର ନୂଆ ଠିକଣା ବନେଇ ସାରିଲେଣି। କିନ୍ତୁ ଭିଟାମାଟିର ମୋହ କ'ଣ ତୁଟିପାରେ? ମଣିଷ ଯେଉଁଠି ରହିଲେ ବି ଗାଁକୁ ଝୁରେ। ୨୫ ବର୍ଷ ଧରି ଜନ୍ମମାଟି ଠାରୁ ଦୂରେଇ ରହୁଥିବା ପରିବାର ନିଜ ଗାଁକୁ ଝୁରୁଛନ୍ତି। ବାଲିଛାୟି ଗାଁକୁ ଫେରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି। ଜାତିବାଦ ବିବାଦର ସମାଧାନ ପାଇଁ ପ୍ରଶାସନ ଉଦ୍ୟମ କରୁଛି ।
ଗତ ୧୯ ତାରିଖରେ ଆସିକା ବ୍ଲକ ଅଫିସରେ ଗାଁର ଉଭୟ ପକ୍ଷଙ୍କୁ ବସାଇ ଆଲୋଚନା କରାଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ, ଆସିକା ତହସିଲଦାର, ବି.ଡି.ଓ ଏବଂ ଥାନା ଅଧିକାରୀ ମିଳିତ ଭାବେ ବୁଝାଇଛନ୍ତି। ସାର୍ବଭୌମତ୍ୱରେ ବିଶ୍ୱାସ କରୁଥିବା ଭାରତବର୍ଷରେ ଏଭଳି ଜାତିଗତ ବିବାଦର ଅନ୍ତ କରି ଶନ୍ତି ଫେରାଇ ଆଣିବା ବ୍ୟବସ୍ଥା କରୁଛନ୍ତି ପ୍ରଶାସନିକ ଅଧିକାରୀ। ଆସନ୍ତା ୨୪ ତାରିଖରେ ବିତାଡ଼ିତଙ୍କ ସ୍ଥାନ ଚିହ୍ନଟ କରି ଗାଁରେ ପୁନଃଥଇଥାନ କଥା ଚିନ୍ତା କରାଯାଉଛି। ତେବେ ପ୍ରଶାସନର ଉଦ୍ୟମ କେତେ ସଫଳ ହେଉଛି, ତାହା ଆଗକୁ ଜଣାପଡ଼ିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/02/21/5gZmvVfT0HFVaUh2994n.jpg)