କନକ ବ୍ୟୁରୋ: ରେଢାଖୋଲ ନାକଟି ଦେଉଳ ବନାଞ୍ଚଳ ବୁରୁମାଳ ଜଙ୍ଗଲରେ ବିଦ୍ୟୁତ ଆଘାତରେ ୩ ହାତୀ ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ଦୋଷ ଲଦାଲଦି । ନିଜକୁ ଦୋଷମୁକ୍ତ କରିବାକୁ ଉଭୟ ଜଙ୍ଗଲ ଓ ଶକ୍ତି ବିଭାଗ ପରସ୍ପର ଉପରକୁ ଦୋଷ ଠେଲିବାରେ ବ୍ୟସ୍ତ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହାତୀ ମୃତ୍ୟୁର ଖଳନାୟକ ସାଜିଥିଲେ ସ୍ବୟଂ ବନ ଅଧିକାରୀ। ସେହି କାଳରାତିରେ ହାତୀ ଜଙ୍ଗଲ ଭିତରେ ଗୋଟିଏ ବିଟରୁ ଅନ୍ୟ ବିଟକୁ ଆସିଥିଲେ। ହାତୀଙ୍କ ସୁରକ୍ଷା ପାଇଁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବାକୁ ହ୍ବାଟସଆପ ମେସେଜରେ ଆସିଥିଲା ଆଗୁଆ ସତର୍କ ସୂଚନା । କିନ୍ତୁ ଫରେଷ୍ଟର ଓ ଅନ୍ୟ ବନ୍ୟ ଅଧିକାରୀ ମେସେଜ ଦେଖିଥିଲେ ମଧ୍ୟ ଶୀତୁଆ ରାତିରେ ଉଠିବାକୁ ଇଚ୍ଛା କରିନଥିଲେ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚିତ୍କାର କରୁଥିଲେ ହାତୀ, କିନ୍ତୁ କୁମ୍ଭକର୍ଣ୍ଣ ନିଦରେ ଶୋଇଥିଲେ ଅଧିକାରୀ। ଏବେ ପ୍ରଶ୍ନ ଉଠୁଛି, କାହା ସୁରକ୍ଷା ପାଇଁ ଅଛନ୍ତି ବନ ଅଧିକାରୀ? ଯେଉଁମାନଙ୍କ ସୁରକ୍ଷା ପାଇଁ ଦରମା ନେଉଛନ୍ତି ସେମାନଙ୍କ ସୁରକ୍ଷାକୁ ଅଣଦେଖା କରାଗଲା କେମିତି ? ଅନ୍ୟପଟେ ହାତୀ ମୃତ୍ୟୁ ପାଇଁ ଦାୟୀ କର୍ମଚାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେବେ? ପ୍ରଶ୍ନ କରିବାରୁ ଏଡାଇ ଚାଲି ଯାଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।
କାର୍ଯ୍ୟାନୁଷ୍ଠାନ ନାଁରେ କେବଳ ଦୁଇ ଫରେଷ୍ଟର ଓ ୩ କ୍ଷେତ୍ର ଅଧିକାରୀଙ୍କୁ ନିଲମ୍ବିତ କରି ଚୁପ୍ ବସିଛି ବିଭାଗ। ପ୍ରାଥମିକ ରିପୋର୍ଟ ପାଇବା ପରେ ଦୁଇ ବଡ ବାବୁଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନେବାକୁ କହିଛନ୍ତି ସମ୍ବଲପୁର ଆରସିସିଏଫ। କିନ୍ତୁ ପ୍ରଶ୍ନ ଉଠୁଛି, ରେଢାଖୋଲ ଡିଏଫଓ ଅରବିନ୍ଦ ମହାନ୍ତି ଓ ନାକଟିଦେଉଳ ରେଞ୍ଜର ଅଶ୍ବିନୀ କୁମାର ବେହେରାଙ୍କ ଉପରେ କେବେ ନିଆଯିବ ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ବଡ ବାବୁ ବୋଲି କଣ ହାତୀ ମୃତ୍ୟୁର ମୁଣ୍ଡାଇବେନି କି ପାପ? କେବଳ ବନ ବିଭାଗର ଅପରାଗତା ପାଇଁ ନୁହେଁ ବରଂ ଶକ୍ତି ବିଭାଗର ଦାୟିତ୍ବହୀନତା ପାଇଁ ଲଗାତାର ଯାଉଛି ହାତୀଙ୍କ ଜୀବନ। ବେଇଆନ ଭାବେ ଜନ୍ତୁ ଶିକାର ପାଇଁ ପଡୁଥିବା ହୁକକୁ ବନ୍ଦ କରିବାକୁ ପୂର୍ବରୁ ଶକ୍ତି ବିଭାଗକୁ ପାଟ୍ରୋଲିଂ କରିବାକୁ କୁହାଯାଇଥିଲା । ବିଦ୍ୟୁତ ଆଘାତରୁ ଜଙ୍ଗଲୀ ଜନ୍ତୁଙ୍କୁ ସୁରକ୍ଷା ଦେବାକୁ ଆର୍ଥ ଲିକେଜ ସର୍କିଟ ବ୍ରେକର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ କୌଣସି କଥାକୁ କର୍ଣ୍ଣପାତ କରୁନି ଶକ୍ତି ବିଭାଗ । ହାତୀ ମୃତ୍ୟୁର ଫାଇନାଲ ରିପୋର୍ଟ ଆସିବା ପରେ ବଡ ବାବୁଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଉପରେ ନଜର ରହିଛି। କିନ୍ତୁ ଆଗକୁ ବିଦ୍ୟୁତ ସଂସ୍ପର୍ଶରେ ହାତୀର ମୃତ୍ୟୁ ହେଲେ ବିତରଣ କମ୍ପାନିକୁ ଦାୟୀ କରାଯିବ ବୋଲି ସ୍ପଷ୍ଟ କରିଛି ଜଙ୍ଗଲ ବିଭାଗ।