କନକ ବ୍ୟୁରୋ: ପୋଲିଓ ନିରାକରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବିଶ୍ୱବ୍ୟାପୀ ପ୍ରୟାସ ଚାଲିଛି । ତଥାପି ଏପର୍ଯ୍ୟନ୍ତ କୌଣସି ଦେଶ ସମ୍ପୂର୍ଣ୍ଣ ସଫଳତା ପାଇପାରି ନାହାନ୍ତି । ଏତିକି ବେଳେ ଜର୍ମାନୀର ହାମବର୍ଗରେ ଜଙ୍ଗଲୀ ପୋଲିଓଭାଇରସ୍ ଟାଇପ୍ 1 ଚିହ୍ନଟ ହୋଇଛି । ଯାହାକୁ ନେଇ ବିଶ୍ବର ବଡ଼ ବଡ଼ ଦେଶ ଚିନ୍ତାରେ ପଡ଼ିଛନ୍ତି । 

Advertisment

ଜର୍ମାନୀରେ ହୋଇଥିବା ବର୍ଜ୍ୟଜଳ ପରୀକ୍ଷଣରେ ଜଙ୍ଗଲୀ ପୋଲିଓ ଭାଇରସ ଟାଇପ-୧ ବା (WPV1)ର ଉପସ୍ଥିତି ସ୍ପଷ୍ଟ ହୋଇଛି । ନଭେମ୍ବର ୧୦ରେ ଗ୍ଲୋବାଲ୍ ପୋଲିଓ ନିରାକରଣ ପଦକ୍ଷେପକୁ ଏନେଇ ସୂଚନା ଦିଆଯାଇଥିଲା । ଜର୍ମାନୀରେ ଏହି ପୋଲିଓ ଭାଇରସ୍ ସଂକ୍ରମଣର ଶେଷ ମାମଲା ୩୦ ବର୍ଷ ପୂର୍ବେ ଚିହ୍ନଟ ହୋଇଥିଲା । ୨୦୨୧ରେ ଏହି ପ୍ରକାରର ନିୟମିତ ମନିଟରିଂ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ ଦେଶରେ ନମୁନା ପରୀକ୍ଷାରୁ ଭାଇରସ୍ ଚିହ୍ନଟ ହୋଇଛି । ଭାଇରସ୍ ଚିହ୍ନଟ ହେବା ପରେ ହାମବର୍ଗ ଅଧିକାରୀ ଏହାକୁ ନିୟନ୍ତ୍ରଣ ପାଇଁ ଏକ ବିଶେଷଜ୍ଞ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଏହି ଟାସ୍କ ଫୋର୍ସ ଦେଶର ପ୍ରମୁଖ ସାର୍ବଜନୀନ ସ୍ୱାସ୍ଥ୍ୟ ସଂସ୍ଥା ରବର୍ଟ କଚ୍ ଇନଷ୍ଟିଚ୍ୟୁଟ୍ ସହିତ ସମନ୍ୱୟ ସ୍ଥାପନ କରିବ ଏବଂ ଭାଇରସ୍ ସହିତ ଜଡିତ ବିପଦଗୁଡ଼ିକର ଅଧ୍ୟୟନ କରିବ ।

ଆହୁରି ପଢନ୍ତୁ... ୧୫ ଛକା, ୧୧ ଚୌକା: ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ

ବଡ଼କଥା ହେଉଛି ବର୍ଜ୍ୟଜଳରେ ମିଳୁଥିବା ଏହି ଭାଇରସ ଚିନ୍ତାର କାରଣ ନୁହେଁ, କାରଣ ଜର୍ମାନୀରେ ଏପର୍ଯ୍ୟନ୍ତ ଏହା ଦ୍ୱାରା ପୀଡ଼ିତ ହେବାର କୌଣସି ମାମଲା ଚିହ୍ନଟ ହୋଇନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୱେବସାଇଟ୍ ଅନୁଯାୟୀ, ଏହି ଭାଇରସ ଶେଷଥର ପାଇଁ ଅଗଷ୍ଟ ୨୪ରେ ଆଫଗାନିସ୍ତାନର କାନ୍ଦାହାରରେ ସଂଗୃହୀତ ନମୁନାରୁ ଚିହ୍ନଟ କରାଯାଇଥିଲା ।

ଏହି ଭାଇରସ ଟୀକାକରଣ ହୋଇନଥିବା କିମ୍ବା ସମ୍ପୂର୍ଣ୍ଣ ଟୀକାକରଣ ହୋଇନଥିବା ଲୋକଙ୍କ ମଧ୍ୟରେ ପୋଲିଓ ସୃଷ୍ଟି କରିପାରେ । ତଥାପି, ଏହା ଏକ ଆଶ୍ୱସ୍ତିର କଥା ଯେ ଏପର୍ଯ୍ୟନ୍ତ କୌଣସି ମଣିଷ ସଂକ୍ରମଣ ନିଶ୍ଚିତ ହୋଇନାହିଁ । ବିଶେଷଜ୍ଞମାନେ କହିଛନ୍ତି ଯେ ଜର୍ମାନୀରେ ପୋଲିଓ ଟୀକାକରଣ ବ୍ୟାପକ ହୋଇଥିବାରୁ ସଂକ୍ରମଣର ଆଶଙ୍କା ସୀମିତ । ପ୍ରଥମରୁ ଭାଇରସ ଚିହ୍ନଟ ଯୋଗୁ ଉପଯୁକ୍ତ ପଦକ୍ଷେପ ଶୀଘ୍ର କାର୍ଯ୍ୟକାରୀ କରିବାରେ ସହାୟକ ହେବ ।