କନକ ବ୍ୟୁରୋ :   ସୁରତରୁ ଦାଦନ ଖଟି ଫେରିବା ବେଳେ ଚାଲିଗଲା ଶ୍ରମିକଙ୍କ ଜୀବନ । ସଡ଼କ ଦୁର୍ଘଟଣାରେ ଶ୍ରମିକ ଶରତ କୁମାରଙ୍କ ମୃତ୍ୟୁ ହୋଇଛି । ପରିବାର ପ୍ରତିପୋଷଣ ପାଇଁ ୬ ମାସ ହେବ ଗୁଜରାଟର ସୁରତକୁ ଦାଦନ ଖଟି ଯାଇଥିଲେ କେନ୍ଦ୍ରାପଡ଼ା ରାଜକନିକା ଥାନା ଅଚ୍ୟୁତପୁରୁ ଗାଁର ଶରତ କୁମାର । କାମ ସାରି ଘରକୁ ଫେରୁଥିଲେ । ପରିବାର ଲୋକେ ମଧ୍ୟ ତାଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ । କିନ୍ତୁ ଘରେ ପହଁଚିବା ପୂର୍ବରୁ ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି । ଶରତଙ୍କ ମୃତ୍ୟୁ ଖବର ମିଳିବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିବା ସହ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଶରତଙ୍କ ମୃତଦେହକୁ ଘରକୁ ଫେରାଇ ଆଣିବା ପାଇଁ ପରିବାର ପାଖରେ ଅର୍ଥ ନାହିଁ । ତେଣୁ ମୃତଦେହ ଫେରାଇ ଆଣିବାରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରାପଡ଼ା ସାଂସଦ ଓ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ମୃତ ଶରତଙ୍କ ପତ୍ନୀ ।