କନକ ବ୍ୟୁରୋ : ସୋସିଆଲ ମିଡିଆରେ ଅଜଣା ମହିଳାଙ୍କ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସୁଛି କି? ବନ୍ଧୁତା ସ୍ଥାପନ ପରେ ଆପଣଙ୍କୁ ମୋବାଇଲ ନମ୍ବର ମାଗୁଛନ୍ତି କି? ସମ୍ପର୍କ ବଢ଼ିବା ପରେ, ସାହାଯ୍ୟ ଆକାରରେ ଟଙ୍କା ମାଗୁଛନ୍ତି କି? ସତର୍କ ହୋଇଯାନ୍ତୁ I କାହିଁକି ନା ଫେସବୁକରେ ବନ୍ଧୁତା ଆଳରେ ହରିଲୁଟ୍ ଚାଲିଛି ।  ଅଭିଯୋଗ ପରେ ଜଣେ ଚାଲବାଜ୍ ମହିଳା ଗିରଫ ହୋଇଛନ୍ତି I

Advertisment

ସଂଯୁକ୍ତା ଭୂୟାଁ, ତାଙ୍କ ଚାଲବାଜର କାହାଣୀ କୌଣସି ଫିଲ୍ମର କାହାଣୀଠାରୁ କମ୍ ନୁହେଁ  I  ବିଷ୍ଣୁ ପ୍ରସାଦ ମୁଦୁଲି ନାମକ ଜଣେ ବ୍ୟକ୍ତିଙ୍କୁ ଫେସବୁକରେ ରିକ୍ୟୁଏଷ୍ଟ ପଠାଇ ବନ୍ଧୁତା କରିଥିଲେ I ସମ୍ପର୍କ ବଢ଼ିଥିଲା I ନିଜର ଦାରିଦ୍ର୍ୟ ଓ ଅସୁସ୍ଥତା ଦର୍ଶାଇ ବିଷ୍ଣଠୁ ସଂଯୁକ୍ତା ଟଙ୍କା ମାଗିଥିଲେ I ନେଇଯାଇଥିଲେ ୮ ଲକ୍ଷ ୭୫ ହଜାର ଟଙ୍କା I ବିଷ୍ଣୁ ଟଙ୍କା ଫେରସ୍ତ ମାଗିବାରୁ ଆରମ୍ଭ ହୋଇଥିଲା ହାଇଡ୍ରାମା I ସଂଯୁକ୍ତା ପୁଲିସ ଅଫିସର ପୋଷାକରେ  ମାରପିଟ କରିବାକୁ ଧମକ ଦେଇଥିଲେ ।  ବିଷ୍ଣୁ ବାରମ୍ବାର ସାଇବର ଥାନାରୁ  ନିରାଶ ହୋଇ ଗତ ଶୁକ୍ରବାର ପୁଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ I 

ଆରମ୍ଭ ହୋଇଥିଲା ପୁଲିସର ଆକ୍ସନ I ଶେଷରେ ଚାଲବାଜ ମହିଳା ବନ୍ଧା ହୋଇଛି ।  ନିଜକୁ କେନ୍ଦୁଝର ଟାଉନ ଥାନା ଅଧିକାରୀ କହୁଥିଲା କରିତକର୍ମା ମହିଳା । ଏପରିକି ଟଙ୍କା ମାଗି ଫୋନ କଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିଲା । ଏହି ମାମଲାରେ ସାମ୍ନାକୁ ଆସିଛି କିଛି ଫଟୋ । ସେଥିରେ ଦେଖିବାକୁ ମିଳିଛି କିଭଳି ମାରିଦେବାକୁ ଧମକ ଦେଇ ଫୋଟୋ ପଠାଉଥିଲେ ।  ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ଜଣେ ପୁଲିସ କନେଷ୍ଟବଳ ବୋଲି ଜାଣିବା ପରେ କମିସନରେଟ ପୁଲିସର ଅକଲ ଗୁଡୁମ ହୋଇଯାଇଛି । ମହିଳାଙ୍କୁ ରିମାଣ୍ଡରେ ଆଣି ଏଭଳି ଆଉ କାହାକୁ ଠକିଛନ୍ତି, ସେ ନେଇ ପୁଲିସ ଅଧିକ ତଥ୍ୟ ଆଦାୟ କରିବ ।

ଏଠାରେ ପ୍ରଶ୍ନ ଉଠୁଛି, ନକଲି ପୁଲିସକୁ ଅସଲି ପୁଲିସର ଏତେ ଡର କାହିଁକି? କାହିଁକି ମାମଲା ଥାନାକୁ ଆସିଲା ପରେ ବି ବାନ୍ଧୁ ନଥିଲେ? ଅଦୃଶ୍ୟ ଶକ୍ତିକୁ ବ୍ୟବହାର କରି ଖସି ଯିବାକୁ ଚାହୁଥିଲେ କି ଅଭିଯୁକ୍ତ ମହିଳା? ଯଦି ମହିଳା ଦୋଷୀ, କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଲା କାହିଁକି? ପୁଲିସ କମିସନରଙ୍କ ହସ୍ତକ୍ଷେପ ପର୍ଯ୍ୟନ୍ତ କାହିଁକି କଥାଗଲା ?