କନକ ବ୍ୟୁରୋ: ସ୍ୱାର୍ଥ ସାଧନ ପାଇଁ ମଣିଷ ଯେକୌଣସି ସ୍ତରକୁ ବି ଖସି ଯାଇପାରେ । କାହାର ଜୀବନ ନେବାକୁ ବି ପଛାଏ ନାହିଁ । ଏଥିପାଇଁ ଘର ପରିବାର ସଦସ୍ୟ ଜୀବନ ଚାଲିଯାଏ । ଏଭଳି ହିଁ ଏକ ଆଜି ଘଟଣା ଆଜି ସାରା ଦେଶରେ ଚହଳ ସୃଷ୍ଟି କରିଛି । ଘଟଣା ଘଟିଛି ଉତ୍ତରପ୍ରଦେଶର ମିରଟରେ । ଏଠାରେ ଜଣେ ମହିଳା ପ୍ରେମିକ ପାଇଁ ନିଜ ମର୍ଚାଣ୍ଟ୍ ନେଭି ଅଫିସର ସ୍ୱାମୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି । ସ୍ତ୍ରୀ ମୁସ୍କାନଙ୍କ ନିର୍ମମତା ଏତେ ଥିଲା ଯେ, ସେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ଏକ ଡ୍ରମରେ ରଖି ସିମେଣ୍ଟ କଂକ୍ରିଟ୍ରେ ଘୋଡାଇ ଦେଇଥିଲେ । ଏହି ହତ୍ୟାକାଣ୍ଡ ବିଷୟରେ ଯିଏ ବି ଶୁଣୁଛି, ଆଶ୍ଚର୍ଯ୍ୟ ହେଉଛି । ସ୍ଥାନୀୟ ଲୋକଙ୍କ କହିବା କଥା ସମ୍ପୃକ୍ତ ମହିଳାଙ୍କ ଏଭଳି ନିଷ୍ଠୁରତା କେବେ ଦେଖି ନାହାଁନ୍ତି ।
ପୋଲିସର ପଚରାଉଚରା ସମୟରେ ଅଭିଯୁକ୍ତ ପତ୍ନୀ ମୁସ୍କାନ ସ୍ୱୀକାର କରିଛନ୍ତି ଯେ ଗତ ମାର୍ଚ୍ଚ ୪ ତାରିଖରେ ସେ ତାଙ୍କ ପ୍ରେମିକଙ୍କ ସହିତ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ । ପ୍ରଥମେ, ଖାଦ୍ୟରେ ଏକ ନିଶା ଔଷଧ ଦେଇ ଖାଇବାକୁ ଦେଇଥିଲେ । ଏହାପରେ, ତାଙ୍କ ପ୍ରେମିକଙ୍କ ସହାୟତାରେ ତାଙ୍କ ସ୍ୱାମୀଙ୍କ ଛାତିକୁ ଏକ ଛୁରୀରେ ଆକ୍ରମଣ କରିଥିଲେ । ମୁସ୍କାନ ଏବଂ ତାଙ୍କ ପ୍ରେମିକ ପଚରାଉଚରା ସମୟରେ କହିଥିଲେ ଯେ ମୃତଦେହକୁ ଖଣ୍ଡ ଖଣ୍ଡ କରିବା ପରେ ବଜାରରୁ ଏକ ଡ୍ରମ୍ ଆଣିଥିଲେ । ସେହି ଡ୍ରମରେ, ମୁସ୍କାନ ତାଙ୍କ ପ୍ରେମିକଙ୍କ ସହ ମିଶି ତାଙ୍କ ସ୍ୱାମୀଙ୍କ ଖଣ୍ଡବିଖଣ୍ଡିତ ଶରୀରକୁ ଭର୍ତ୍ତି କରି ତା' ଉପରେ ସିମେଣ୍ଟ କଂକ୍ରିଟ୍ ଢାଳି ଦେଇଥିଲେ । ତା’ପରେ ମୁସ୍କାନ୍ ତାଙ୍କ ଝିଅକୁ ତାଙ୍କ ମାଆଙ୍କ ପାଖରେ ଛାଡିଦେଲେ । ଘର ବନ୍ଦ କରି ତାଙ୍କ ସ୍ୱାମୀଙ୍କ ସହ ବାହାରକୁ ଯାଉଛନ୍ତି ବୋଲି କହି ଚମ୍ପଟ୍ ମାରିଥିଲେ ।
ମୁସ୍କାନ ତାଙ୍କ ପରିବାର ଏବଂ ଶ୍ୱଶୁର ଘର ଲୋକଙ୍କୁ କହିଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କ ସହ ହିମାଚଳ ଯାଉଛନ୍ତି । ପରିବାର ଲୋକେ ଜାଣି ନଥିଲେ ଯେ ମୁସ୍କାନ ତାଙ୍କ ସ୍ୱାମୀ ସୌରଭଙ୍କୁ ହତ୍ୟା କରିଛନ୍ତି ଏବଂ ତାଙ୍କ ପ୍ରେମିକଙ୍କ ସହ ମନାଲି ଯାଉଛନ୍ତି । ହତ୍ୟା ପରେ, ମୁସ୍କାନ ଏବଂ ତାଙ୍କ ପ୍ରେମିକ ସାହିଲ ମନାଲୀରେ କିଛି ଦିନ ବିତାଇଥିଲେ । ସେଠାରେ ଏକ ମନ୍ଦିରରେ ବିବାହ କରିଥିଲେ । ସୋସିଆଲ ମିଡିଆରେ ହୋଟେଲ ରୁମର ଫଟୋ ମଧ୍ୟ ପୋଷ୍ଟ କରୁଥିଲେ । ଏଥିପାଇଁ ସୌରଭଙ୍କ ଫୋନ୍ ସାଙ୍ଗରେ ନେଇଯାଇଥିଲେ ଏବଂ କେହି ଯେପରି ସନ୍ଦେହ ନକରନ୍ତି ସେଥିପାଇଁ ବେଳେବେଳେ ତାଙ୍କ ହ୍ୱାଟ୍ସଆପ୍ ନମ୍ବରରୁ ମେସେଜ୍ର ରିପ୍ଲାଇ ବି ଦେଉଥିଲେ ।
କିଛି ଦିନ ପରେ ସୌରଭଙ୍କ ଭାଇ ତାଙ୍କୁ ଭେଟିବା ପାଇଁ ଇନ୍ଦିରା ନଗର ଆସିଥିଲେ, ଯେଉଁଠାରେ ସୌରଭ ଓ ମୁସ୍କାନ ଏକ ଭଡା ଘରେ ରହୁଥିଲେ । ଭାଇ ସେଠାରେ ପହଞ୍ଚିବା ପରେ ସେ କାହାକୁ ପାଇଲେ ନାହିଁ । ଯେତେବେଳେ ସେ ସ୍ଥାନୀୟ ଲୋକଙ୍କୁ ପଚାରିଲେ, ଗୋଟିଏ ପରେ ଗୋଟିଏ ଗୁମର କଥା ଜାଣିବାକୁ ପାଇଲେ । କିଛି ସମୟ ପରେ, ଯେତେବେଳେ ମୁସ୍କାନ ତାଙ୍କ ପ୍ରେମିକ ସାହିଲ ସହିତ ଘରେ ପହଞ୍ଚିଲେ, ସୌରଭଙ୍କ ଭାଇଙ୍କ ସନ୍ଦେହ ଦୃଢ଼ିଭୁତ ହୋଇଗଲା । ଏହାପରେ ସେ ପୋଲିସକୁ ଖବର ଦେଇଥିଲେ । ପୋଲିସର ଛାନଭିନ ବେଳେ ସମସ୍ତ ସତ ପଦାକୁ ଆସିଥିଲା ।