କନକ ବ୍ୟୁରୋ: ଛାତ୍ରନେତାଙ୍କୁ ହତ୍ୟା ନେଇ ବାଂଲାଦେଶରେ ବ୍ୟାପକ ହିଂସାକାଣ୍ଡ । ଛାତ୍ରନେତା ସରିଫ୍ ଓସମାନ ହାଦିଙ୍କ ହତ୍ୟାର ପ୍ରତିବାଦରେ ତାଙ୍କ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଓସମାନ ହାଦିଙ୍କ ନେତୃତ୍ବରେ ଗତବର୍ଷ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିଥିଲା ଓ ଶେଖ୍ ହସିନା ସରକାରଙ୍କ ପତନ ହୋଇଥିଲା । ଆସନ୍ତାବର୍ଷ ବାଂଲାଦେଶରେ ନିର୍ବାଚନ ହେବାକୁ ଥିବା ବେଳେ ଓସମାନ ଢାକାରେ ପ୍ରଚାର ଆରମ୍ଭ କରିଥିଲେ । ଡିସେମ୍ବର ୧୨ ତାରିଖରେ ଓସମାନଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ । ୩୨ ବର୍ଷ ବୟସ୍କ ଓସମାନ ହାଦିଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସିଙ୍ଗାପୁରକୁ ସ୍ଥାନାନ୍ତର ପରେ ସେଠାରେ ତାଙ୍କର ଗତକାଲି ମୃତ୍ୟୁ ହୋଇଛି ।  ଏହାପରେ ସ୍ଥିତି ନେଇଛି ଉଗ୍ରରୂପ ।  

Advertisment

ଅଧିକ ପଢନ୍ତୁ :ବାଂଲାଦେଶରେ ବଡ଼ ବିକ୍ଷୋଭ; ହସିନାଙ୍କ ମୃତ୍ୟୁ ଦଣ୍ଡାଦେଶକୁ ବିରୋଧ

ଢାକା ସହ ବାଂଲାଦେଶର ବହୁ ସହରରେ ଓସମାନଙ୍କ ସମର୍ଥକମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି । ୩ଟି ଖବରକାଗଜର ଅଫିସକୁ ପୋଡ଼ି ଦିଆଯାଇଛି । ଭାରତୀୟ ଉଚ୍ଚାୟୁକ୍ତଙ୍କ ଅଫିସରେ କଡ଼ା ନିରାପତ୍ତା ବ୍ୟବସ୍ଥା କରାଯାଇଛି । ଗୁଳିକାଣ୍ଡର  କିଛି ସମୟ ପୂର୍ବରୁ ପୂର୍ବ ଭାରତର କିଛି ଅଂଶକୁ ମିଶାଇ ହାଦି 'ଗ୍ରେଟର ବାଂଲାଦେଶ'ର ବିବାଦୀୟ ଫେସବୁକ୍ ମ୍ୟାପ୍ ପୋଷ୍ଟ କରିଥିଲେ। ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍ ଗଭୀର ଶୋକ ପ୍ରକାଶ କରି ଘଟଣାର ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଆଜି ହାଦିଙ୍କ ମୃତଦେହ ବାଂଲଦେଶ ଅଣାଯିବ ।