କନକ ବ୍ୟୁରୋ: ଆବାସିକ ବିଦ୍ୟାଳୟରେ ଚାଲିଛି ସାଂଘାତିକ ଖେଳ । ପିଲାଙ୍କ ଭୋଜନ ଓ ରକ୍ଷଣାବେକ୍ଷଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ । ମାଲକାନଗିରି ଅନୁସୁଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ପଦ୍ମଗିରି ସରକରୀ ଉଚ୍ଚ ବିଦ୍ୟାଳୟରେ ଏପରି ଅବବ୍ୟସ୍ଥା ଚାଲୁ ଥିବା ଖବର ପାଇ ଚଢାଉ କରିଥିଲେ ସ୍ଥାନୀୟ ବିଧାୟକ । ସ୍ଥିତି ଅନୁଧ୍ୟାନ କରି ପିଲାଙ୍କ ଖାଇବା ଥାଳିରୁ ଚାଉଳ ଚୋରି ଘଟଣାର ପର୍ଦାଫାଶ କରିଛନ୍ତି ବିଧାୟକ ନରସିଂହ ମାଡକାମୀ । 

Advertisment

ମାଲକାନଗିଗରି ବିଧାୟକ ନରସିଂହ ମାଡକାମୀଙ୍କ ଗାଁ ନିକଟବର୍ତି ପଦ୍ମଗିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅନିୟମିତିତା ଅଭିଯୋଗ ଆସିବା ପରେ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଚଢାଉ କରିଥିଲେ ବିଧାୟକ । ଗୋଟିଏ ଶ୍ରେଣୀରେ ୮୪ ପିଲାଙ୍କ ଉପସ୍ଥାନ ଦର୍ଶାଯାଇଥିବା ବେଳେ ୫୪ ଜଣ ପିଲା ଥିଲେ । ସେହିପରି ବିଦ୍ୟାଳୟରେ ମୋଟ ୫୪୫ ଛାତ୍ରଛାତ୍ରୀ ଥିବା ଉପସ୍ଥାନରେ ଦର୍ଶାଯାଇଛି । କିନ୍ତୁ ଶ୍ରେଣୀ ଗୃହର ଉପସ୍ଥିତି ଓ ଉପସ୍ଥାନ ଖାତାରେ ତଥ୍ୟ ମେଳ ଖାଉନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ବିଧାୟକ । 

ବିଧାୟକ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଚଢାଉ ବେଳେ ଗୋଦାମ ଗୃହରେ ୧୪୧ ବସ୍ତା ଚାଉଳ ନିଅଣ୍ଟ ଥିବା ଜଣାପଡ଼ିଛି । ଏହାସହ ପିଲାଙ୍କ ପାଇଁ ଆସୁଥିବା ତେଲ, ସାବୁନ ଯୋଗାଣରେ ମଧ୍ୟ ଗୋଳମାଳିଆ ସ୍ଥିତି ଜଣିବାକୁ ପାଇଛନ୍ତି ବିଧାୟକ ଓ ଏଡିଏମ। ବିଦ୍ୟାଳୟର ସ୍ୱଚ୍ଛାତ ମଧ୍ୟ ଆଦୌ ଭଲ ନଥିବାରୁ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।  ମାଲକାନଗିରି ଜିଲ୍ଲାର ବିଭିନ୍ନ ଆବାସିକ ବିଦ୍ୟାଳୟରେ ନିମ୍ନମାନର ଖାଦ୍ୟ ଯୋଗାଣ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ତେବେ ଅନୁସୁଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟର ବ୍ୟବସ୍ଥାରେ କେବେ ଆସିବ ସୁଧାର, ତାକୁ ହିଁ ଅପେକ୍ଷା ।