କନକ ବ୍ୟୁରୋ: ଏବେ ଚାଲିଛି ବର୍ଷା ଋତୁ । ବର୍ଷା ଦିନେ ଅନେକ ପ୍ରକାରର ସଂକ୍ରାମକ ରୋଗ ଏବଂ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ।  ଏହି ସମୟରେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ପାଣିପାଗରେ ପରିବର୍ତ୍ତନ ହେତୁ ଆମର ପାଚନ ତନ୍ତ୍ର ଦୁର୍ବଳ ହୋଇଯାଏ, ଯେଉଁ କାରଣରୁ ଥଣ୍ଡା, କାଶ, ଜ୍ୱର, ପେଟ ସମସ୍ୟା ଏବଂ ଚର୍ମ ରୋଗ ବଢ଼ିଥାଏ ।  ଏପରି ପରିସ୍ଥିତିରେ କଲରା ରାମବାଣ ସାବ୍ୟସ୍ତ ହୋଇପାରେ।   କଲରାର ପିତା ସ୍ୱାଦ ଯୋଗୁଁ ଅନେକଙ୍କର ନାପସନ୍ଦ  କିନ୍ତୁ  ଏହା ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ ।  ଆସନ୍ତୁ ଜାଣିବା ବର୍ଷା ଦିନେ କଲରା ଖାଇବାର ଫାଇଦା କ'ଣ ଏବଂ ଏହା କିପରି ଆମକୁ ବିଭିନ୍ନ ରୋଗରୁ ରକ୍ଷା କରେ ।

Advertisment

୧. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ
ବର୍ଷା ଦିନେ ସଂକ୍ରମଣର ଆଶଙ୍କା ସବୁଠାରୁ ଅଧିକ ଥାଏ । କଲରାରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବାରେ ସାହାଯ୍ୟ କରେ ।  ଏହା ଆମ ଶରୀରକୁ ବିଭିନ୍ନ ପ୍ରକାରର ଭାଇରାଲ୍ ଏବଂ ବ୍ୟାକ୍ଟେରିଆ ସଂକ୍ରମଣରୁ ରକ୍ଷା କରେ । ନିୟମିତ କଲରା ସେବନ କଲେ ଥଣ୍ଡା, କାଶ ଭଳି ସାଧାରଣ ସମସ୍ୟା ଦୂର ହୋଇଥାଏ ।

୨. ପାଚନ ତନ୍ତ୍ରକୁ ସୁସ୍ଥ ରଖେ
ବର୍ଷା ଦିନେ ଅଧିକାଂଶ ଲୋକଙ୍କର ପେଟ ସମସ୍ୟା ଯେପରିକି ଗ୍ୟାସ୍, ଅପଚ, କୋଷ୍ଠକାଠିନ୍ୟ ଏବଂ ପେଟ କାମୁଡ଼ିବା ଭଳି ସମସ୍ୟା ଦେଖାଯାଏ । କଲରାରେ ଥିବା ଫାଇବର ଏବଂ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ  ପାଚନ ପ୍ରକ୍ରିୟାକୁ ସୁଧାରିବାରେ ସାହାଯ୍ୟ କରେ । ଏହା ପେଟକୁ ସଫା ରଖେ ଏବଂ ଖାଦ୍ୟକୁ ସହଜରେ ହଜମ କରାଏ,  ଯାହା ଦ୍ୱାରା ପେଟ ଜନିତ ସମସ୍ୟା କମ୍ ହୁଏ ।

୩. ଚର୍ମ ରୋଗ ପାଇଁ ଲାଭଦାୟକ
ବର୍ଷା ଦିନର ଆର୍ଦ୍ରତା ଯୋଗୁଁ ଚର୍ମରେ କୁଣ୍ଡେଇ ହେବା, ଘିମିରି, ବ୍ରଣ ଏବଂ ଅନ୍ୟାନ୍ୟ ଚର୍ମ ସଂକ୍ରମଣର ଆଶଙ୍କା ବଢ଼ିଯାଏ । କଲରାରେ ଥିବା ଆଣ୍ଟି-ମାଇକ୍ରୋବିଆଲ୍ ଏବଂ ଆଣ୍ଟି-ଫଙ୍ଗାଲ୍ ଗୁଣ ରକ୍ତକୁ ଶୁଦ୍ଧ କରିବାରେ ସାହାଯ୍ୟ କରେ ।  ଏହାର ସେବନ ଦ୍ବାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଏ, ଯାହା ଚର୍ମକୁ ସୁସ୍ଥ ଓ ଚମକଦାର ରଖେ ।

୪. ମଧୁମେହ ନିୟନ୍ତ୍ରଣ କରେ
ମଧୁମେହ ରୋଗୀଙ୍କ ପାଇଁ କଲରା ଏକ ବରଦାନ ସଦୃଶ । ଏଥିରେ ପଲିପେପ୍ଟାଇଡ୍-ପି ନାମକ ଏକ ତତ୍ତ୍ୱ ରହିଛି, ଯାହା ଇନସୁଲିନ୍ ଭଳି କାର୍ଯ୍ୟ କରେ ଏବଂ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ । ବର୍ଷା ଦିନେ ମଧୁମେହ ରୋଗୀମାନେ ଏହାକୁ ନିଜ ଖାଦ୍ୟରେ ନିଶ୍ଚିତ ଭାବେ ସାମିଲ କରିବା ଉଚିତ୍ ।

କିପରି ସେବନ କରିବେ?
କଲରାର ପିତା ସ୍ୱାଦ ଯୋଗୁଁ ଅନେକେ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଏହାକୁ ସ୍ୱାଦିଷ୍ଟ କରିବା ପାଇଁ ବିଭିନ୍ନ ଉପାୟ ଅଛି:
କଲରା ଭଜା:  କଲରାକୁ ପତଳା ପତଳା  କାଟି ଲୁଣ ପାଣିରେ କିଛି ସମୟ ବୁଡ଼ାଇ ରଖିଲେ ଏହାର ପିତା ଅଂଶ କମିଯାଏ । ଏହାପରେ ଏହାକୁ ଭାଜି କରି ଖାଇପାରିବେ ।
କଲରା ତରକାରୀ:  ପିଆଜ, ଟମାଟୋ ଏବଂ ଅନ୍ୟ ମସଲା ସହିତ କଲରାର ତରକାରୀ ମଧ୍ୟ ପ୍ରସ୍ତୁତ କରାଯାଇପାରେ ।
କଲରା ରସ: ସକାଳେ ଖାଲି ପେଟରେ କଲରା ରସ ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ  । 
ତେଣୁ, ଏହି ବର୍ଷା ଋତୁରେ ନିଜକୁ ଏବଂ ନିଜ ପରିବାରକୁ ସୁସ୍ଥ ରଖିବା ପାଇଁ, ନିଜ ଖାଦ୍ୟରେ କଲରାକୁ ନିଶ୍ଚିତ ଭାବେ ସାମିଲ କରନ୍ତୁ । ଏହାର ଔଷଧୀୟ ଗୁଣ ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିବ ।