କନକ ବ୍ୟୁରୋ: ଓଡ଼ିଶାରୁ ଅଲଗା ହୋଇ ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ ଦାବି ବଢୁଥିବାବେଳେ ବଡ ରାଜନୈତିକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଦଳବଳ ଧରି ଭୁବନେଶ୍ବରରୁ ଯାଇ ସମ୍ବଲପୁରରେ ଜନଶୁଣାଣି କରିଛନ୍ତି । ସଦଳବଳ ଧରି ସମ୍ବଲପୁରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଙ୍ଗରେ ୧୧ ମନ୍ତ୍ରୀ, ୧୧ ସଚିବ ଓ ୧୦ ଜିଲ୍ଲାପାଳଙ୍କୁ ନେଇ ଲୋକଙ୍କ ପାଖରେ ପହଞ୍ଚିଛନ୍ତି । ଜନଶୁଣାଣି କରି ଲୋକଙ୍କ ସମସ୍ୟା ବୁଝିଛନ୍ତି । ଲୋଙ୍କ ଦୁଃଖସୁଖ ବୁଝିବା ପରେ ପୂର୍ବ ସରକାରଙ୍କୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ପଶ୍ଚିମଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ନୂଆ ରାଜ୍ୟ ଦାବି ଉଠୁଥିବାବେଳେ ମୋହନଙ୍କ ପୂରା ଟିମ୍ ସମ୍ବଲପୁର ଯାଇ ଜନଶୁଣାଣି କରିବା ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି । ଚର୍ଚ୍ଚା ହେଉଛି ଦୀର୍ଘଦିନ ହେବ ବିଭିନ୍ନ ପ୍ରସଙ୍ଗରେ ଅବହେଳିତ ହୋଇଥିବା ପଶ୍ଚିମଓଡ଼ିଶାବାସୀଙ୍କ ବିଶ୍ବାସ ଭାଜନ ହେବା ପାଇଁ ମୋହନ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ରାଜ୍ୟ ସରକାରଙ୍କ ଫୋକସ୍ରେ ପଶ୍ଚିମ ଓଡ଼ିଶାର ବିକାଶ ରହିଛି ବୋଲି ବାର୍ତ୍ତା ଦେବାକୁ ଉଦ୍ୟମ କରିଛନ୍ତି । ତେବେ ଏଭଳି ଜନଶୁଣାଣିକୁ କଟାକ୍ଷ କରିଛନ୍ତି ବିରୋଧୀ ।
ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣିକୁ ନେଇ ରାଜନୀତି ତେଜିଥିବାବେଳେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସ୍ଥାୟୀ କାର୍ଯ୍ୟାଳୟ, ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା, ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଭଳି ବିବାଦର ସମାଧାନ ହୋଇଯିବ କି, ସେ ନେଇ ଆଲୋଚନା ହେଉଛି । ମୋହନ ସରକାର ରାଜଧାନୀଠୁ ଦୂରରେ ଲୋକଙ୍କ ଅଭିଯୋଗ ଶୁଣି ବଡ ବାର୍ତ୍ତା ଦେବାକୁ ଚାହୁଥିଲେ ବି ଏହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶ୍ନ ଉଠୁଛି, ହଠାତ୍ ପଶ୍ଚିମ ଓଡ଼ିଶା ପ୍ରୀତି କାହିଁକି? ପଶ୍ଚିମ ଓଡ଼ିଶା ବିକାଶ ଚିନ୍ତା ନା ଆଉ କିଛି ? ନା ନୂଆ ଭୋଟ୍ବ୍ୟାଙ୍କ ହାତେଇବା ଯୋଜନା? ଶୁଣାଣି ପରେ ପଶ୍ଚିମ ଓଡ଼ିଶାବାସୀଙ୍କ ଉନ୍ନତି ହେବ ତ?