କନକ ବ୍ୟୁରୋ: ସମଗ୍ର ସୃଷ୍ଟିର ନିଃଶ୍ବାସ, ବିଶ୍ବାସ, ପ୍ରଶ୍ବାସ ଶ୍ରୀ ଜଗନ୍ନାଥ । ତାଙ୍କର ପ୍ରଥମ ସେବକ ଗଜପତି , ଯିଏ ଛେରାପହଁରା ସେବା ଟିକେ ନକଲେ ରଥ ଚଳେନି । ହେଲେ ସବୁଠି ପୂର୍ବରୁ ରାଜା କୁହାଯାଉଥିବାବେଳେ  ପୁରୀର ରାଜାଙ୍କୁ ଗଜପତି କାହିଁକି କୁହଯାଏ । ହୁଏତ କେହି କେହି ଏ ବିଷୟରେ ଜାଣିଥିବେ । ହେଲେ ଅନେକ ହୁଏତ ଏହାର ତତ୍ତ୍ବକୁ ଜାଣି ନଥିବେ ।

Advertisment

ଆଗରୁ ରଥଯାତ୍ରାରେ ହାତୀ ସାମିଲ ହେଉଥିଲେ । ଏମାନଙ୍କ ରଙ୍ଗ ଥିଲା ସ୍ବତନ୍ତ୍ର ଅର୍ଥାତ୍ ଧୂସର କେହି କେହି କୁହନ୍ତି ଶ୍ବେତ ରଙ୍ଗର ଥିଲା ।  ପାଖାପାଖି ୧ହଜାର ବର୍ଷ ତଳେ ଶ୍ରୀହର୍ଷଙ୍କ ଦ୍ବରା ରଚିତ ନୈସଦ ଚରିତରେ ଅତି ସୁନ୍ଦର ଭାବେ ପୁରୀ ଗଜପତିଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି । ଏଥିରେ ସେ ସଂସ୍କୃତରେ ବର୍ଣ୍ଣନା କରିଛନ୍ତି , ଯେ ପୁରୀ ରାଜାଙ୍କୁ ଗଜପତି କୁହାଯାଏ କାହିଁକି  ।

ଉତ୍କଳରେ ଆଗରୁ ବିରାଟ ହସ୍ତୀ ସେନା ଥିଲେ, ଯାହାଙ୍କୁ ଗନ୍ଧ ଗଜ ଭାବେ ନାମାୟିତ କରାଇଥିଲା, ଯେଉଁମାନଙ୍କ ମଥାରେ ମୋତି ଥାଏ ବୋଲି କୁହାଯାଉଥିଲା । ସେ କାଳର ହସ୍ତୀଙ୍କ ମଥାରେ ମୋତି ଥିଲା ବୋଲି ଶ୍ରୀହର୍ଷ ବର୍ଣ୍ଣନା କରିଛନ୍ତି । ଉତ୍କଳରେ ଯେଉଁ ହସ୍ତୀମାନେ ଥିଲେ ସେମାନଙ୍କ ମଥାରେ ମୋତି ନିବାସ କରୁଥିଲା । ସେଥିପାଇଁ ଏମାନଙ୍କୁ ଗନ୍ଧ ଗଜ ବୋଲି କୁହାଯାଉଥିଲା । ଏମାନେ ଅନେକ ସଂଖ୍ୟାରେ ଥିଲେ, ଏମାନଙ୍କ ବର୍ଣ୍ଣ ଥିଲା ଶ୍ବେତ ବର୍ଣ୍ଣ । ଯେତେବେଳେ ସମୂହ ହାତୀ ପଲ୍ଲ ସମୁଦ୍ରକୁ ସ୍ନାନ କରିବାକୁ ଯାଉଥିଲେ, ସେମାନଙ୍କ ଶ୍ବେତ ବର୍ଣ୍ଣ ସମୁଦ୍ର ଜଳରେ ପ୍ରତିଫଳିତ ହେଉଥିଲା । ଏହି ହସ୍ତୀଙ୍କର ଦୁଇ ଦନ୍ତ ସମୁଦ୍ର ଜଳରେ ପଡ଼ି ଦ୍ବିଗୁଣିତ ହେଊଉଥିଲା, ଯାହାର ଦୃଶ୍ୟ ଏତେ ସୁନ୍ଦର ଥିଲା ଯେ ଏହାକୁ ଦେଖି ସ୍ବର୍ଗର ହସ୍ତୀ ଐରାବତ ମଧ୍ୟ ଇର୍ଷା କରୁଥିଲା । ଯେହେତୁ ଉତ୍କଳର ହସ୍ତୀଙ୍କର ପ୍ରବଳ ପ୍ରଶସ୍ତି ଥିଲା, ଉତ୍କର୍ଷ ଥିଲା , ତେଣୁ ଏମାନଙ୍କର ରାଜାଙ୍କୁ କୁହାଗଲା ’ଗଜପତି’ ।