କନକ ବ୍ୟୁରୋ: ଯେଉଁ ରଥରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆସୀନ ହୁଅନ୍ତି, ତା’ର ନାମ ନନ୍ଦିଘୋଷ । କେହି କେହି ଏହାକୁ ଗରୁଡ଼ଧ୍ବଜ ବୋଲି କହୁଥିଲେ ବି ଏହା କିନ୍ତୁ ନନ୍ଦିଘୋଷ ନାମରେ ବିଶ୍ବ ବିଦିତ । ଏକଥା କେବଳ ଓଡ଼ିଆ ନୁହେଁ ବରଂ ବିଶ୍ବବାସୀ ଜାଣିଥିବେ । ହେଲେ ଜାଣନ୍ତି , ମହାପ୍ରଭୁଙ୍କ ରଥର ନାମ ନନ୍ଦିଘୋଷ କାହିଁକି ? ଅନ୍ୟ କିଛି ତ ହୋଇପାରିଥାନ୍ତା । ହେଲେ ନନ୍ଦିଘୋଷ କାହିଁକି? ଏ ସମ୍ପର୍କରେ ଯେତେବେଳେ ପଚରାଗଲା ନିରବୀ ଗଲେ ଶାସ୍ତ୍ରକାର । ହେଲେ ଉତ୍ତର ରଖିଲେ ଉତ୍କଳ ମାଟିର ବରପୁତ୍ର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ।
କାଳଜୟୀ ’ବୈଦେହୀଶ ବିଳାସ’ରେ ପ୍ରଥମ ଥର ପାଇଁ ଲେଖିଲେ ଏହାର କାରଣ । ମହାପ୍ରଭୁଙ୍କ ରଥର ନାଁ ନନ୍ଦିଘୋଷ ଏଥିପାଇଁ, ଯେତେବେଳେ ତ୍ରେତୟାରେ ପୁରୁଷୋତ୍ତମ ଶ୍ରୀରାମ ଓ ରାବଣଙ୍କ ମଧ୍ୟରେ ଯୁଦ୍ଧ ଲାଗିଲା ସେତେବେଳେ ରାବଣ ରଥ ଓ ପୁଷ୍ପକ ଯାନ ଚଢ଼ି ଯୁଦ୍ଧ କରୁଥିବାବେଳେ ଶ୍ରୀରାମ କିନ୍ତୁ ପଦଚାରୀ । ଚାଲି ଚାଲି ଯୁଦ୍ଧ କରୁଥାନ୍ତି । ତାଙ୍କ ପାଖରେ ତ କିଛି ନାହିଁ । କାରଣ ସେ ତ ଏଭଳି ଭୀଷଣ ଯୁଦ୍ଧର ଲକ୍ଷ୍ୟ ନେଇ ବନବାସ ଆସିନଥିଲେ । ତେଣୁ ତାଙ୍କର ଏସବୁରେ କିଛି ଆବଶ୍ୟକତା ନଥିଲା । ହେଲେ ଯେତେବେଳେ ମା’ ସୀତାଙ୍କୁ ହରଣ କରିଥିବା ରାବଣ ସହ ଯୁଦ୍ଧ କରିବାର ସମୟ ଆସିଲା, ସେ ଭୂପୃଷ୍ଠରେ ରହି କେବେ ରଥାରୂଢ଼ ତ କେବେ ଶୂନ୍ୟରେ ପୁଷ୍ପକ ଯାନରେ ବସି ପ୍ରହାର କରୁଥିବା ରାବଣ ସହ ଯୁଦ୍ଧ କରୁଛନ୍ତି । ଏହା ଦେଖି ବ୍ରହ୍ମାଙ୍କ ଅବତାର କୁହାଯାଉଥିବା ଜାମ୍ବବନ୍ତ ଦେବତା ମାନଙ୍କୁ ପ୍ରାର୍ଥନା କଲେ ଶ୍ରୀରାମଙ୍କୁ ଏକ ରଥ ଦେବା ପାଇଁ । ପ୍ରାର୍ଥନା ଶୁଣି ସମସ୍ତ ଦେବତା ଏକାଠି ହୋଇ ଏକ ରଣ ନିର୍ମାଣ କଲେ । ଏଥିରେ ନିଜ ନିଜର ଶକ୍ତିକୁ ସମନ୍ବିତ କଲେ । ଏହା ଦେଖି ସ୍ବୟଂ ମହାଦେବ ପ୍ରଭୁଙ୍କୁ ପ୍ରାର୍ଥନା କଲେ । ପ୍ରଭୁଙ୍କ ସେବାରେ ନିଜର ସେବା ଦେବାକୁ ନିବେଦନ କଲେ । ଏଥିପାଇଁ ପ୍ରଭୁ ସହମତି ଦିଅନ୍ତେ , ମହାଦେବ ନିଜର ସେବକ ନନ୍ଦିଙ୍କୁ ପ୍ରେରଣ କଲେ । କହିଲେ, ନନ୍ଦିଙ୍କ ନିର୍ଘାତ ଶବ୍ଦ ଶୁଣିଲେ ମନରେ ଭୟ ସୃଷ୍ଟି ହୁଏ । ତେଣୁ ଯେତେବେଳେ ରଥ ଚାଲୁଥିବ ରଥର ଗୋଟିଏ ଚକର ଉର୍ଦ୍ଧ୍ବରେ ଅବସ୍ଥାନ କରିବେ ନନ୍ଦି । ସେ ଯେଉଁ ନିର୍ଘୋଷ , ବିକଟାଳ ଶବ୍ଦ କରିବେ କରିବେ ସେଥିରେ ରାବଣର ସେନା ଭୟରେ ଛତ୍ରଭଙ୍ଗ ଦେବେ ।
ଭକ୍ତ ଜାଣିଥିବେ, ଯେତେବେଳେ ସଦାଶିବ ପ୍ରଳୟ ତାଣ୍ଡବ କରନ୍ତି , ନନ୍ଦି ଏକ ଶୃଙ୍ଗି ବାଦ୍ୟକୁ ନିନାଦନ କରନ୍ତି । ତାଣ୍ଡବରେ ନନ୍ଦିଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବାଦ୍ୟ ବଜାଇ ନନ୍ଦି ପ୍ରଳୟ ଉଦଘୋଷଣା କରନ୍ତି । ତାଙ୍କ ଉଦଘୋଷଣାରେ ହିଁ ଅଧା ପ୍ରଳୟ ହୋଇଯାଏ । ତେଣୁ ଯେତେବେଳେ ମହାଦେବ ନନ୍ଦିଙ୍କୁ ପ୍ରେରଣ କଲେ ନନ୍ଦି ଶ୍ରୀରାମଙ୍କ ରଥର ଚକ ଉପରେ ବସିଲେ । ନନ୍ଦିଙ୍କ ମୁହଁରୁ ଯେଉଁ ବିକଟାଳ ଶବ୍ଦ ନିର୍ଗତ ହେଲା ସେଥିରେ ରାବଣର ଅର୍ଦ୍ଧେକ ଦାନବ ସେନା ଧ୍ବଂସ ହୋଇଗଲେ । ଏହି ନ୍ୟାୟରେ ପୁରୁଷୋତ୍ତମଙ୍କ ରଥର ନାମ ହେଲା ’ନନ୍ଦିଘୋଷ’ । କବି ଶ୍ରୀ ଉପେନ୍ଦ୍ର ଭଞ୍ଜଙ୍କ ଏହି କଥାକୁ ସ୍ବୀକୃତି ଦେଇଛନ୍ତି ଖୋଦ୍ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର ।
ଏହା ବାଦ୍ ଆଉ କିଛି ପୁରାଣ କଥିତ କାରଣ ମଧ୍ୟ ବର୍ଣ୍ଣିତ ହୋଇଛି । ଆଉ ଏକ ରୋଚକ କାରଣ ହେଉଛି, ’ନନ୍ଦ’ ଶବ୍ଦର ଅର୍ଥ ହେଉଛି ଯିଏ ଅନ୍ୟକୁ ଆନନ୍ଦ ପ୍ରଦାନ କରେ ସେ ହେଉଛନ୍ତି ନନ୍ଦ । ଜଗନ୍ନାଥ ମହାପ୍ରଭୁ ନିଜକୁ ସବୁବେଳେ ନନ୍ଦ ରାଜାଙ୍କ ସେଇ ଟିକି ପିଲାଟି ବୋଲି ଭାବୁଥାନ୍ତି । ନିଜ ଭିତରେ ଉଦ୍ରେକ କରନ୍ତି ନନ୍ଦ ରାଜା, ମା ଦେବକୀଙ୍କ ଅପାର ସ୍ନେହ, ଶହ ଶହ ଗୋପାଙ୍ଗନାଙ୍କ ପ୍ରେମକୁ । ଯେତେଯାହା ହେଉ ନନ୍ଦ ଯେ ତାଙ୍କର ସବୁଠାରୁ ପ୍ରିୟ , ସତେ ଯେପରି ସେ କୁନି କାହ୍ନା ହୋଇ ନନ୍ଦରାଜାଙ୍କ କାନ୍ଧରେ ବସି ବୁଲୁଛନ୍ତି । ରଥରେ ବସି ମହାପ୍ରଭୁ ଏହା ଘୋଷଣା କରନ୍ତି । କୁହାଯାଏ ଏଥିପାଇଁ ମଧ୍ୟ ମହାପ୍ରଭୁଙ୍କ ରଥର ନାମ ’ନନ୍ଦିଘୋଷ’।
’ନନ୍ଦିଘୋଷ’ ରଥକୁ ଆନନ୍ଦଘୋଷ ମଧ୍ୟ କୁହାଯାଏ । ଏ ନନ୍ଦିଘୋଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ କଲେ ଏହାର କୋଣ ପ୍ରତିକୋଣ ଭକ୍ତକୁ ଆନନ୍ଦ ପ୍ରଦାନ କରେ । ସେଥିପାଇଁ ମଧ୍ୟ ଏହି ରଥର ନାମ ’ନନ୍ଦିଘୋଷ’ ।