କନକ ବ୍ୟୁରୋ : ପ୍ରେମର ପ୍ରତିକ ହେଉଛି ତାଜମହଲ । ଏହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏହାକୁ ଦେଖିବା ପାଇଁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଛୁଟିଆସିଥାଆନ୍ତି । ତାଜମହଲ ବିଷୟରେ ଅନେକ କଥା ଆପଣ ଜାଣିଥିବେ କିନ୍ତୁ ବୋଧ ହୁଏ ଏହା ଜାଣିନଥିବେ ଯେ କାହିଁକି ତାଜମହଲ ଉପରେ ବିମାନ ଉଡେନା ? ତାଜମହଲର ଆଖପାଖ ୭ କିଲୋମିଟର କ୍ଷେତ୍ର ପର୍ଯ୍ୟନ୍ତ ବିମାନ ଉଡାଇବା ମନା । ଏହି ନିଷ୍ପତ୍ତି ୨୦୦୬ରୁ ନିଆଯାଇଛି । ସୁରକ୍ଷା କାରଣରୁ ମଧ୍ୟ ତାଜମହଲ କୁ ନୋ ଫ୍ଲାଏ ଜୋନ୍ ଘୋଷଣା କରାଯାଇଛି । ପ୍ରତ୍ୟେକ ଦିନ ତାଜମହଲକୁ ହଜାର ହଜାର ସଂଖ୍ୟାରେ ଲୋକେ ଆସିଥାଆନ୍ତି । ତେଣୁ କୌଣସି ପ୍ରକାରର ଦୁର୍ଘଟଣା ଏବଂ ଆକ୍ରମଣରୁ ରୁ ରକ୍ଷା ପାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଖାଲି ତାଜମହଲକୁ ନୋ ଫ୍ଲାଏ ଜୋନ୍ ଘୋଷଣା କରାଯାଇଛି ତାହା ନୁହେଁ ବରଂ ଭାରତର ଆହୁରି ଅନେକ ସ୍ଥାନ ରହିଛି ଯାହାକୁ ନୋ ଫ୍ଲାଏ ଜୋନ୍ ଘୋଷଣା କରାଯାଇଛି । ଦିଲ୍ଳୀସ୍ଥିତ ରାଷ୍ଟ୍ରପତି ଭବନ, ସଂସଦ ଭବନ, ପ୍ରଧାନମନ୍ତ୍ରୀ ଆବାସ ଉପରେ ବିମାନ ଉଡାଇବା ନିଷେଦ୍ଧ । ଏଥିସହିତ ସୁରକ୍ଷାକାରଣରୁ ମୁମ୍ବାଇର ଦ ଟାୱାର ଅଫ୍ ସାଇଲେନ୍ସ, ଭାଭା ମରମାଣୁ ଅନୁସନ୍ଧାନ କେନ୍ଦ୍ର ଏବଂ ମଥୁରା ରିଫାଇନରୀକୁ ମଧ୍ୟ ନୋ ଫ୍ଲାଏ ଜୋନ୍ ଘୋଷଣା କରାଯାଇଛି । ତିରୁମାଲା ଭେଙ୍କେଟେଶ୍ବର ମନ୍ଦିର, ହରିକୋଟା ସ୍ପେସ୍ ଷ୍ଟେସନ, ଅମୃତସରର ସ୍ବର୍ଣ୍ଣ ମନ୍ଦିର ଉପରେ ମଧ୍ୟ ବିମାନ ଉଡାଇବା ବାରଣ କରାଯାଇଛି।