କନକ ବ୍ୟୁରୋ: ନୂଆଦିଲ୍ଲୀରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମିର ଖାନ୍ ମୁତ୍ତାକିଙ୍କ ସାମ୍ୱାଦିକ ସମ୍ମିଳନୀରେ ମହିଳା ସାମ୍ୱାଦିକଙ୍କୁ ସୁଯୋଗ ଦିଆଯାଇ ନଥିଲା । ଏହାକୁ ନେଇ ରାଜନୀତି ଜୋର୍ ଧରିଛି । କଂଗ୍ରେସ ସମେତ ବିଭିନ୍ନ ଦଳ ଓ ବହୁ ସାମ୍ବାଦିକ ଏହାକୁ ବିରୋଧ ସହିତ ସମାଲୋଚନା କରିଛନ୍ତି ।
ମହିଳା ସାମ୍ବାଦିକଙ୍କୁ ବାରଣ
ସରଗରମ ହେଲା ରାଜନୀତି
ଭାରତ ଗସ୍ତରେ ଥିବା ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମିର ଖାନ୍ ମୁତ୍ତାକି ଓ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ମଧ୍ୟରେ ଗତକାଲି ସାକ୍ଷାତ ଆଲୋଚନା ହୋଇଯାଇଥିଲା । ଏହାପରେ ନୂଆଦିଲ୍ଲୀସ୍ଥିତ ଆଫଗାନ ଦୂତାବାସରେ ଆୟୋଜନ କରାଯାଇଥିଲା ଏକ ସାମ୍ବାଦିକ ସମ୍ମିଳନୀ । କିନ୍ତୁ ଏଥିରେ ମହିଳା ସାମ୍ବାଦିକଙ୍କୁ ଭାଗ ନେବାର ସୁଯୋଗ ଦିଆଯାଇ ନଥିଲା । ଏହାକୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଡ଼ା ସମାଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ X ରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା । ମହିଳାଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ପ୍ରିୟଙ୍କା ଦାବି କରିଛନ୍ତି । କେବଳ ନିର୍ବାଚନ ସମୟରେ ମହିଳାଙ୍କ ଭୋଟ୍ ହାସଲ ପାଇଁ ସରକାର ବୟାନବାଜି କରୁଥିବା ଅଭିଯୋଗ କରିଛନ୍ତି ପ୍ରିୟଙ୍କା । ଅନ୍ୟ ନେତା ଓ ବହୁ ସାମ୍ୱାଦିକ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି ।
ସେପଟେ ଏନେଇ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଆଫଗାନ ବୈଦେଶିକ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରେ ଭାରତ ସରକାରଙ୍କ କୌଣସି ଭୂମିକା ନଥିଲା ବୋଲି କହିଛି ଭାରତର ବୈଦେଶିକ ମନ୍ତ୍ରାଳୟ । କିଛି ଧାର୍ମିକ ଗୋଷ୍ଠୀ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । କେହି ଏହାକୁ ଆଫଗାନିସ୍ତାନର ନିଜସ୍ବ ବ୍ୟାପାର ବୋଲି କହୁଛନ୍ତି । ତେବେ ଭାରତରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହିଳା ସାମ୍ବାଦିକଙ୍କୁ ଭାଗ ନେବା ପାଇଁ ବାରଣ କରାଯିବାକୁ ଅନେକ ନାପସନ୍ଦ କରିଛନ୍ତି ।