parade Photograph: (kanak news)
କନକ ବ୍ୟୁରୋ : ଏଥର ଗଣତନ୍ତ୍ର ଦିବସ ଅବସରରେ କର୍ତ୍ତବ୍ୟ ପଥରେ ଏକ ପ୍ରଜ୍ଞାପନ ମେଢକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ତାହା ହେଉଛି ଅପରେସନ୍ ସିନ୍ଦୁର (Victory through Jointness) । ଗଣତନ୍ତ୍ର ଦିବସ ପରେଡ ରିହରସାଲରେ ଭାରତୀୟ ସଶସ୍ତ୍ର ବାହିନୀର ଏହି ତ୍ରି-ସେବା (Tri-service) ମେଢ଼ ସମସ୍ତଙ୍କୁ ଆକର୍ଷିତ କରୁଛି । ଏହି ମେଢ଼ରେ ସ୍ଥଳସେନା, ନୌସେନା ଏବଂ ବାୟୁସେନାର ପାରସ୍ପରିକ ସମନ୍ୱୟ ଓ ଆଧୁନିକ ସାମରିକ ଶକ୍ତିକୁ ସରଳ ଭାବରେ ଉପସ୍ଥାପନ କରାଯାଇଛି ।
ଏଥିରେ ରହିଛି ୮୮ ଘଣ୍ଟାର ସମ୍ପୂର୍ଣ୍ଣ କାହାଣୀ
ଭାରତୀୟ ସଶସ୍ତ୍ର ବାହିନୀର ଅଧିକାରୀ କୁହନ୍ତି ଯେ ଆଜି ଅପରେସନ୍ ସିନ୍ଦୁର ଦେଶର ପ୍ରତ୍ୟେକ ନାଗରିକଙ୍କ ମୁହଁରେ ଅଛି । ଏହି କାରଣରୁ ଏହାକୁ ଗଣତନ୍ତ୍ର ଦିବସ ପରେଡରେ ପ୍ରଭାବଶାଳୀ ଭାବରେ ଉପସ୍ଥାପନ କରାଯାଇଛି । ସେ କହିଛନ୍ତି ଯେ ଭାରତ ପୂର୍ବରୁ ମଧ୍ୟ ମିଳିତ ସାମରିକ ଅଭିଯାନ କରିଆସିଛି, କିନ୍ତୁ ଏହି ଅପରେସନରେ ଯେଉଁ ସ୍ତରର ସମନ୍ୱୟ ଦେଖିବାକୁ ମିଳିଛି, ତାହା ଅଭୂତପୂର୍ବ । ଏଥିରେ 'ନୂତନ ଭାରତ'ର ଝଲକ ଦେଖିବାକୁ ମିଳିଛି । ଏହି ମେଢ଼ରେ ୮୮ ଘଣ୍ଟାର କାର୍ଯ୍ୟାନୁଷ୍ଠାନକୁ ଅତି ସୁନ୍ଦର ଭାବେ ଦର୍ଶାଯାଇଛି । ଏଥିରେ ସୁଖୋଇ-୩୦ MKI ଯୁଦ୍ଧ ବିମାନରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ ମିସାଇଲ୍ ଫାୟାରିଂକୁ ଦେଖାଯାଇଛି । ଏହା ବ୍ୟତୀତ S-400 ଏୟାର ଡିଫେନ୍ସ ସିଷ୍ଟମର ଭୂମିକାକୁ ମଧ୍ୟ ଦର୍ଶାଯାଇଛି, ଯାହା ଦୂରରୁ ଶତ୍ରୁର ଆକାଶମାର୍ଗୀୟ ବିପଦକୁ ଶେଷ କରିଦେଇଥିଲା ।
ଅଧିକ ପଢ଼ନ୍ତୁ--ଦିନକ ପରେ ସାଧାରଣତନ୍ତ୍ର ଦିବସ : ଦିଲ୍ଲୀର କର୍ତ୍ତ୍ୟବପଥରେ ଯବାନଙ୍କ ଫୁଲ୍ ଡ୍ରେସ ରିହରସାଲ
ଅପରେସନ୍ ସିନ୍ଦୁର ପ୍ରଜ୍ଞାପନ ମେଢ଼ରେ ନୌସେନାର ଅପରେସନକୁ ମଧ୍ୟ ଦର୍ଶାଯାଇଛି , ସେ କିପରି ଆରବ ସାଗରରେ ପାକିସ୍ତାନକୁ ଘେରି ରଖିଥିଲା ତାହା ଦେଖିବାକୁ ମିଳିବ । ସମ୍ପୂର୍ଣ୍ଣ ଅପରେସନକୁ କ୍ରମାନ୍ୱୟରେ ଦେଖାଯିବ, ଯାହାଫଳରେ ସାଧାରଣ ଲୋକେ ସହଜରେ ବୁଝିପାରିବେ ଯେ ତିନୋଟି ସେନା ମିଶି କିପରି ଅପରେସନ୍ କରନ୍ତି । କାର୍ଯ୍ୟାନୁଷ୍ଠାନର ପ୍ରଥମ ପର୍ଯ୍ୟାୟରେ ପ୍ରଥମ ରାତିରେ ନଅଟି ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ସାତଟି ଆଡ୍ଡା ସ୍ଥଳସେନା ଏବଂ ଦୁଇଟି ଆଡ୍ଡା ବାୟୁସେନା ଦ୍ୱାରା ଧ୍ୱଂସ କରାଯାଇଥିଲା । ଏହା ପରେ ଶତ୍ରୁର ଏୟାର ଡିଫେନ୍ସ ସିଷ୍ଟମ ଏବଂ ସାମରିକ ଆଡ୍ଡାକୁ ମଧ୍ୟ ନଷ୍ଟ କରିଦିଆଯାଇଥିଲା ।
ଏଥିରେ M-777 ଅଲ୍ଟ୍ରା ଲାଇଟ୍ ତୋପ ସାହାଯ୍ୟରେ ଶତ୍ରୁ ଶିବିର ଉପରେ ସଠିକ୍ ଲକ୍ଷ୍ୟଭେଦ କରିବା ଦୃଶ୍ୟକୁ ଦର୍ଶାଯାଇଛି । ଏହା ପଛରେ 'ଆକାଶ' ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ରହିଛି, ଯାହା ଦେଶର ଶକ୍ତିଶାଳୀ ଏବଂ ମଲ୍ଟି-ଲେୟାର୍ ଆକାଶମାର୍ଗୀୟ ସୁରକ୍ଷାର ପ୍ରତୀକ । ସେହିପରି ମେଢ଼ର ମଧ୍ୟଭାଗରେ ନୂତନ ଜାତୀୟ ସୁରକ୍ଷା ନୀତିକୁ ଦର୍ଶାଯାଇଛି । ଯେଉଁଥିରେ ଦ୍ରୁତ , ସଠିକ୍ ଏବଂ ସୀମିତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଛି । ହାରୋପ୍ (Harop) ଡ୍ରୋନ୍ ଏବଂ ରାଫେଲ ବିମାନର 'ସ୍କାଲ୍ପ ସର୍ଜିକାଲ୍ ଷ୍ଟ୍ରାଇକ୍' (SCALP surgical strike) ର ଦୃଶ୍ୟ ଭାରତର ଆଧୁନିକ ଯୁଦ୍ଧ କ୍ଷମତାକୁ ପ୍ରମାଣିତ କରୁଛି ।
ଏହି ପ୍ରଜ୍ଞାପନ ମେଢ଼ ଭାରତର ପରିବର୍ତ୍ତିତ ସାମରିକ ରଣନୀତି ଏବଂ ଆତ୍ମନିର୍ଭରଶୀଳ ପ୍ରତିରକ୍ଷା କ୍ଷମତାର ପ୍ରତୀକ ଅଟେ । ଏହା 'ବିକଶିତ ଭାରତ' ଏବଂ 'ବ୍ରାଣ୍ଡ ଇଣ୍ଡିଆ ଡିଫେନ୍ସ'ର ଶକ୍ତିକୁ ପ୍ରତିଫଳିତ କରୁଛି, ଯାହା ଦର୍ଶାଉଛି ଯେ ଭାରତ ଏବେ ନିଜର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ସକ୍ଷମ ଏବଂ ପ୍ରସ୍ତୁତ ।
Follow Us