କନକ ବ୍ୟୁରୋ: ନେପାଳରେ ମାତ୍ର ଦୁଇ ଦିନର ଆନ୍ଦୋଳନ ପ୍ରଧାନମନ୍ତ୍ରୀ କେପି ଓଲିଙ୍କୁ କ୍ଷମତାରୁ ବାହାରକୁ ଯିବାର ରାସ୍ତା ଦେଖାଇଥିଲା । ଏହି ସପ୍ତାହରେ ନେପାଳରେ ଯାହା ଦେଖିବାକୁ ମିଳିଲା, ଏହାର ପ୍ରଭାବ କେବଳ ନେପାଳର ରାଜନୀତି ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଏହା ସମଗ୍ର ଏସୀୟ ରାଜନୀତିକୁ ପ୍ରଭାବିତ କରିଛି । କାରଣ ଓଲିଙ୍କୁ ଚୀନର ସବୁଠାରୁ ନିକଟତମ ବୋଲି ବିବେଚନା କରାଯାଉଥିଲା ଆଉ ତାଙ୍କ ବିଦାୟ ସହିତ, ଏହା ବିଶ୍ୱାସ କରାଯାଉଛି ଯେ ଆମେରିକା ଏକ ବଡ଼ ଚାଲ୍ ସଫଳ ହୋଇଛି ।
ତେବେ ଆମେରିକାର ଏହି ଚାଲ୍, ଚୀନକୁ ଝଟକା ଦେଇଛି । ଆପଣ ଜାଣିଥିବେ, ନେପାଳ ସବୁବେଳେ ଭାରତ ଏବଂ ଚୀନ୍ ମଧ୍ୟରେ ସନ୍ତୁଳନ ବଜାୟ ରଖିଛି । କିନ୍ତୁ ଓଲିଙ୍କ କାର୍ଯ୍ୟକାଳ ମଧ୍ୟରେ, ନେପାଳର ଚୀନ୍ ପ୍ରତି ଆକର୍ଷିତ ହେବା ଅଧିକ ସ୍ପଷ୍ଟ ହୋଇଯାଉଥିଲା । ସେ ବେଜିଂର "ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍"କୁ ମଧ୍ୟ ପ୍ରୋତ୍ସାହିତ କରିଥିଲେ ଏବଂ ଚୀନ୍ର ବିଜୟ ଦିବସ ପରେଡ୍ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଯାହାକି ଆମେରିକାକୁ ବିଚଳିତ କରିଥିଲା । ଆଉ ସେହି କାରଣରୁ ଆମେରିକା ବଡ଼ ଗେମ୍ ଖେଳିବା ସହିତ ଓଲିଙ୍କୁ କ୍ଷମତାରୁ ହଟାଇଛି ବୋଲି ଚର୍ଚ୍ଚା ହେଉଛି ।
ନେପାଳ ଆନ୍ଦୋଳନ ପଛରେ ଆମେରିକା !
ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକା ଚଳିତ ବର୍ଷ ନେପାଳରେ ମିଲେନିୟମ ଚ୍ୟାଲେଞ୍ଜ କମ୍ପାକ୍ଟ (MCC)କୁ ପୁନର୍ଜୀବିତ କରିଥିଲା । ଏହି ପ୍ରକଳ୍ପ ପ୍ରାୟ 500 ନିୟୁତ ଡଲାର ସହାୟତାରେ ଶକ୍ତି ଏବଂ ରାସ୍ତା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ରହିଥିଲା । ଏହାକୁ ଚୀନର "ବେଲ୍ଟ ଆଣ୍ଡ ରୋଡ୍" ସହିତ ଏକ ସିଧାସଳଖ ପ୍ରତିଯୋଗିତା ପ୍ରକଳ୍ପ ଭାବରେ ବିବେଚନା କରାଯାଉଥିଲା । ତେଣୁ, ବିଶେଷଜ୍ଞମାନଙ୍କ କହିବା କଥା, ଓଲିଙ୍କ ବିରୋଧରେ ଅସନ୍ତୋଷ ଏବଂ ଆନ୍ଦୋଳନରେ ଆମେରିକାର ଗଭୀର ଭୂମିକା ଥାଇପାରେ ।
ଜାଣିରଖିବା ଉଚିତ ଯେ, ସୁଶୀଳା କାର୍କି ବର୍ତ୍ତମାନ ନେପାଳର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବାକୁ ଯାଉଛନ୍ତି । କାର୍କିଙ୍କର ଭାରତ ସହିତ ଭଲ ସମ୍ପର୍କ ଅଛି, ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ପାଠ ପଢ଼ିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ନେଇ କୃତଜ୍ଞତା ମଧ୍ୟ ପ୍ରକାଶ କରିଛନ୍ତି । ତେଣୁ ଏହା ସ୍ପଷ୍ଟ ଯେ ନେପାଳର ରାଜନୀତି ଏବେ ଚୀନ୍ ଠାରୁ ଟିକିଏ ଦୂରକୁ ଯାଉଛି ଏବଂ ଭାରତ-ଆମେରିକାର ନିକଟତର ହେଉଛି ।
ଭାରତ-ଆମେରିକା ବନ୍ଧୁତା !
କିଛି ଦିନ ହେଲା ଶୁଳ୍କ ବିବାଦକୁ ନେଇ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା । କିନ୍ତୁ ଏବେ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକୀୟ ନେତୃତ୍ୱ ମଧ୍ୟରେ ଆଲୋଚନା ବୃଦ୍ଧି ପାଉଛି । ଆମେରିକୀୟ ପ୍ରତିନିଧିମାନେ ଆସନ୍ତା ସପ୍ତାହରେ ଭାରତ ଆସିପାରନ୍ତି ଯେଉଁଥିରେ -8I ବିମାନ ସମ୍ପର୍କରେ ଏକ ଚୁକ୍ତି ହୋଇପାରେ । ଯଦି ଆଗାମୀ ଦିନରେ ଶୁଳ୍କ ସମ୍ପର୍କରେ କିଛି ସ୍ପଷ୍ଟତା ମିଳେ, ତେବେ ଭାରତ-ଆମେରିକା ସମ୍ପର୍କ ପୁଣିଥରେ ଟ୍ରାକକୁ ଆସିପାରିବ ବୋଲି କୁହାଯାଉଛି ।
ପାକିସ୍ତାନକୁ ସାଙ୍ଗ କରୁଛି ଆମେରିକା!
ଅନ୍ୟପଟେ କିନ୍ତୁ ପାକିସ୍ତାନ ଦୀର୍ଘ ଦିନ ଧରି ଚୀନ୍ର ସବୁଠାରୁ ବଡ଼ ସହଯୋଗୀ ହୋଇଆସିଛି । ଆର୍ଥିକ ସହାୟତା ହେଉ କିମ୍ବା ପ୍ରତିରକ୍ଷା ଚୁକ୍ତି, ବେଜିଂ ସର୍ବଦା ଇସଲାମାବାଦ ସହିତ ଠିଆ ହୋଇଛି । କିନ୍ତୁ ପାକିସ୍ତାନର ନିଜସ୍ୱ ରାଜନୈତିକ ଏବଂ ଆର୍ଥିକ ସମସ୍ୟା ପରିସ୍ଥିତିକୁ ବଦଳାଇ ଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ପାକିସ୍ତାନ ପ୍ରତି ଅଧିକ ଦୟାଳୁ ହେଉଥିବା ପରି ମନେହେଉଛି । ନିକଟରେ ପାକିସ୍ତାନୀ ସେନା ମୁଖ୍ୟ ହ୍ୱାଇଟ୍ ହାଉସ୍ରେ ଆମେରିକା ରାଷ୍ଟ୍ରପତିଙ୍କ ସହିତ ରାତ୍ରୀଭୋଜନ କରିଛନ୍ତି । ଯେଉଁଥିରୁ ସ୍ପଷ୍ଟ ଯେ, ଆମେରିକା ଏବେ ଚୀନ୍ର ସବୁଠାରୁ ବିଶ୍ୱସ୍ତ ସହଯୋଗୀକୁ ନିଜ ଆଡ଼କୁ ଟାଣିବାକୁ ଚେଷ୍ଟା କରୁଛି ।