କନକ ବ୍ୟୁରୋ : ବିଘ୍ନକର୍ତ୍ତା..ମଙ୍ଗଳକର୍ତ୍ତା..ବିଦ୍ୟାଦାତା ପ୍ରଭୁ ଗଣେଶ । ପ୍ରତ୍ୟେକ ଶୁଭ କାର୍ଯ୍ୟରେ ପ୍ରଥମେ ତାଙ୍କୁ ପୂଜା କରିବା ଆମ ପରମ୍ପରାର ଅଂଶ । ଆଜି ଭାରତରେ ଗଣେଶ ଚତୁର୍ଥୀ ବହୁତ ଉଲ୍ଲାସ ଓ ଆସ୍ଥାର ସହିତ ପାଳନ କରାଯାଏ । ଅଧିକାଂଶ ସ୍ଥାନରେ ଦଶ ଦିନ ପର୍ଯ୍ୟନ୍ତ ଘରେ ଘରେ ଏବଂ ପେଣ୍ଡାଲରେ ଗଣପତି ବାବାଙ୍କ ପ୍ରତିମା ସ୍ଥାପିତ ହୋଇଥାଏ । ଦଶ ଦିନ ପୂଜା ପାଇବା ପରେ ଶେଷରେ ବିସର୍ଜନ ସହିତ ବିଦାୟ ଦିଆଯାଏ ପ୍ରଭୁ ଗଣେଶଙ୍କୁ ।

Advertisment

ସାରା ଦେଶରେ ଗଣପତି ବାବାଙ୍କର ଶହ ଶହ ମନ୍ଦିର ରହିଛି, କିନ୍ତୁ କିଛି ମନ୍ଦିର ନିଜର ବିଶେଷତା ଏବଂ ଅନନ୍ୟ ପରମ୍ପରା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ । ସେହିପରି ତାଙ୍କର ଏକ ଅନନ୍ୟ ନାମ ...ଲାଲବାଗଚା ରାଜା, ଅର୍ଥାତ୍ 'ଲାଲବାଗର ରାଜା' । ମୁମ୍ବାଇର ସବୁଠାରୁ ପ୍ରସିଦ୍ଧ ସାର୍ବଜନୀନ ଗଣେଶ ପୂଜା । ପ୍ରତିବର୍ଷ ଗଣେଶ ଚତୁର୍ଥୀ ଅବସରରେ ଲକ୍ଷ ଲକ୍ଷ ଭକ୍ତ ତାଙ୍କ ଦର୍ଶନ ପାଇଁ ଆସିଥାନ୍ତି । ତାଙ୍କୁ 'ନବସାଚା ଗଣପତି' ବା 'ମନସ୍କାମନା ପୂରଣ କରୁଥିବା ଗଣପତି' ବୋଲି ମଧ୍ୟ କୁହାଯାଏ ।

ଏହି ଗଣେଶୋତ୍ସବର ଆରମ୍ଭ ୧୯୩୪ ମସିହାରେ ହୋଇଥିଲା । ସେହି ସମୟରେ ମୁମ୍ବାଇର ଲାଲବାଗ ଅଞ୍ଚଳ , ମୁଖ୍ୟତଃ ମତ୍ସ୍ୟଜୀବୀ ଏବଂ ବ୍ୟବସାୟୀମାନଙ୍କର ବସ୍ତି ଥିଲା । ୧୯୩୨ ମସିହାରେ ସେଠାରେ ଥିବା ପେରୁ ଚୌଲ ବଜାର ବନ୍ଦ ହୋଇଯିବାରୁ ସ୍ଥାନୀୟ ମତ୍ସ୍ୟଜୀବୀ ଓ ବ୍ୟବସାୟୀମାନେ ନିଜର ଜୀବିକା ହରାଇଥିଲେ ।

ସେମାନେ ଏକ ସ୍ଥାୟୀ ବଜାର ପାଇଁ ଭଗବାନ ଗଣେଶଙ୍କ ନିକଟରେ ମାନସିକ କରିଥିଲେ । କିଛି ସମୟ ପରେ ସେମାନଙ୍କର ମନସ୍କାମନା ପୂରଣ ହେଲା ଏବଂ ସେମାନଙ୍କୁ ବଜାର ପାଇଁ ଏକ ସ୍ଥାୟୀ ସ୍ଥାନ ମିଳିଗଲା । ଏହି ମନସ୍କାମନା ପୂରଣ ହେବାର କୃତଜ୍ଞତା ସ୍ୱରୂପ, ସ୍ଥାନୀୟ ଲୋକମାନେ ୧୯୩୪ ମସିହା ସେପ୍ଟେମ୍ବର ୧୨ ତାରିଖରେ ପ୍ରଥମ ଥର ପାଇଁ ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ । ଯେହେତୁ ଏହି ମୂର୍ତ୍ତି ଲାଲବାଗ ଅଞ୍ଚଳରେ ସ୍ଥାପିତ ହୋଇଥିଲା ଏବଂ ସେ ସମସ୍ତଙ୍କର ମନସ୍କାମନା ପୂରଣ କରିଥିବାରୁ ଲୋକମାନେ ତାଙ୍କୁ ସେହି ଅଞ୍ଚଳର ରାଜା ଭାବରେ ମାନିବାକୁ ଲାଗିଲେ । ସେହି ଦିନଠାରୁ ଏଠାରେ ଥିବା ଗଣପତି ବାବା 'ଲାଲବାଗଚା ରାଜା' ନାମରେ ପ୍ରସିଦ୍ଧ ହେଲେ । 

ତେବେ ରହସ୍ୟ ଯାହାବି ହେଉନା କାହିଁକି , ମଣିଷର ଆସ୍ଥା , ବିଶ୍ୱାସ ଏବଂ ଭକ୍ତି ହିଁ ଇଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଜୀବନ ଭରିଦିଏ , ଜୀବନ୍ୟାସ ଦିଏ ।