କନକ ବ୍ୟୁରୋ: ଅକ୍ଟୋବର ୨୦ ନା ଅକ୍ଟୋବର ୨୧, କେଉଁଦିନ ପାଳନ ହେବ ଦୀପାବଳି ଏବଂ କେଉଁଦିନ ଦିଆଯିବ ପୟାଶ୍ରାଦ୍ଧ, ତାକୁ ନେଇ ଉପୁଜିଛି ଦ୍ବନ୍ଦ୍ବ । ପାଞ୍ଜି ଗୋଟିଏ, କିନ୍ତୁ ଦୁଇଟି ତାରିଖ । କୋହିନୂର ପାଞ୍ଜିରେ ଅକ୍ଟୋବର ୨୦ ତାରିଖରେ ଦୀପାବଳି ଏବଂ ପୟାଶ୍ରାଦ୍ଧ ବୋଲି ଲେଖାଅଛି । ଆଉ ଅକ୍ଟୋବର ୨୧ରେ ରହିଛି ଅମାବାସ୍ୟା ତିଥି । ସେପଟେ ରାଧାରମଣ ପଞ୍ଜିକାରେ ଅକ୍ଟୋବର ୨୦ ଦୀପାବଳି ବୋଲି ଲେଖାଅଛି । ମୁକ୍ତିମଣ୍ଡପ ପଣ୍ଡିତ ସଭା କହିଛି, ୨୦ ତାରିଖରେ ଲୋକେ ଶ୍ରାଦ୍ଧ ଦିଅନ୍ତୁ । ଜ୍ୟୋତିର୍ବିଦ କିନ୍ତୁ ଏନେଇ ଆପତ୍ତି ଉଠାଇଛନ୍ତି ।
କେବଳ ଦୀପାବଳି ନୁହେଁ, ପୂର୍ବରୁ ଅନେକ ପର୍ବପର୍ବାଣୀକୁ ନେଇ ପାଞ୍ଜିରେ ଭିନ୍ନ ଭିନ୍ନ ତାରିଖ ଆସିଥିଲା । କୁମାର ପୂର୍ଣ୍ଣିମା, ରାଖି ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ ପାଳନକୁ ନେଇ ମଧ୍ୟ ସାଧାରଣ ଲୋକେ ଆଶଙ୍କାରେ ଥିଲେ । ତେବେ କାହିଁକି ଏଭଳି ଭିନ୍ନ ଭିନ୍ନ ତାରିଖ ଆସୁଛି ? ମୁକ୍ତିମଣ୍ଡପ ପଣ୍ଡିତ ସଭା ଏବଂ ପାଞ୍ଜି ଗଣନାକାରୀଙ୍କ ମଧ୍ୟରେ ରହୁନି କି ସମନ୍ବୟ ?
ପର୍ବପର୍ବାଣୀ ଏବଂ ଉତ୍ସବ ପାଳନ ପାଇଁ ଓଡ଼ିଆ ମାନେ ପାଞ୍ଜି ଦେଖନ୍ତି । କିନ୍ତୁ ଏବେ ପାଞ୍ଜିକୁ ଲୋକେ ବିଶ୍ବାସ କରିପାରୁ ନାହାନ୍ତି । ପାଞ୍ଜିର ବିଶ୍ବସନୀୟତାକୁ ନେଇ ଉଠିଛି ପ୍ରଶ୍ନ ।