କନକ ବ୍ୟୁରୋ : ଭୁବନେଶ୍ୱର ପଳାସପଲ୍ଲୀ ଲେନ୍ ୭ । ରାତି ପ୍ରାୟ ୯ଟାରୁ ସାଢେ ୯ ଟା । ନିଜ ସ୍କୁଟି ଯୋଗେ ଘରକୁ ଫେରୁଥିଲେ ଶିବ ଶ୍ରୀଚନ୍ଦନ । ଆଗେ ଆଗେ ଯାଉଥିଲେ ଶିବ । ପଛ ପଛେ ଦୁଇଟି ବାଇକରେ ପିଛା କରୁଥିଲେ ଦୁର୍ବୁତ୍ତ । ହାତରେ ଥିଲା ଖଣ୍ଡା ଭୁଜାଲି ଆଉ ମାରଣାସ୍ତ୍ର । କିଛି ବୁଝିବା ଆଗରୁ ଶିବଙ୍କ ପଛ ପଟୁ ଚୋଟ ପକାଇଥିଲେ ଦୁର୍ବୃତ୍ତ । ଗାଡିରୁ ଘୁଷୁଡି ତଳେ ପଡିବା ପରେ ବି ଛାଡି ନଥିଲେ ଦୁର୍ବୁତ୍ତ । ବିଚ ରାସ୍ତାରେ ଗୋଡାଇ ଗୋଡାଇ ହାଣି ପକାଇଥିଲେ ।

Advertisment

ଜୀବନ ବିକଳରେ ଚିତ୍କାର କରୁଥିବା ଶିବଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖି ପୁଲିସ ପଚରା ଉଚୁରା କରୁଥିବା ବେଳେ, ଏକାଧିକଙ୍କ ଘରେ ରେଡ କରିଛି । ଏହି ଘଟଣାର ମାଷ୍ଟର ମାଇଣ୍ଡ ଗଣେଶ ମହାପାତ୍ର ଓରଫ କଲର ଗଣେଶକୁ ଗିରଫ କରିଛି ।

ରାତି ପ୍ରାୟ ୧୨ ଟା ବେଳେ ଡମଣା ଛକରେ ଦେଖିବାକୁ ମିଳିଲା ଆଉ ଏକ କାଣ୍ଡ । ମାଲ ପିଇ ମାତାଲ ଅବସ୍ଥାରେ ଥିବା ପ୍ରେମୀ ଯୁଗଳ ରିଲ୍ସ କରୁଥିବା ବେଳେ, ଏହି ନାରକୀୟ କାଣ୍ଡ ଦେଖିବାକୁ ମିଳିଥିଲା । ଚର୍ଚ୍ଚା ହେଉଛି କୁଆଡେ ବାଲେନୋ କାରରେ କୁଆଡେ ୨୦୦ ସ୍ପିଡ ଲଗାଇ ଭିଡିଓ ସୁଟ ବେଳେ ଘଟିଲା ଦୁର୍ଘଟଣା । କାରଟି ଫଲ୍ସ ଷ୍ଟାଲରେ ଉଡି ସିଧା ଟ୍ରାଫିକ ପୋଷ୍ଟ ଉଡାଇ ନେଇଥିଲା । ଯେଉଁଥିରେ ଏକାଧିକ ଲୋକେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ୱି କେୟାର ୱି ଡେୟାର ନାରାବାଜି କେବଳ ସ୍ଲୋଗାନ ହୋଇ ରହିଯାଇଛି କି ? ମାଳ ମାଳ ଅଫିସର, ୨୦ରୁ ଅଧିକ ଥାନା । ଶତାଧିକ ପିସିଆର ଭ୍ୟାନର ଦିନ ରାତି ପଇଁତରା । ତଥାପି ରାତି ହେଲେ, ଉପର ମୁହାଁ ହେଉଛନ୍ତି ଅପରାଧୀ । କମିସନରେଟ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି । କିଏ ହାଣୁଛି ତ ପୁଣି ଆଉ କିଏ ଗାଡି ଉଡାଉଛି । ଏସବୁକୁ ନେଇ କେବଳ ଗୋଟିଏ ପ୍ରଶ୍ନ ରାଜଧାନୀରେ ଚାଲିଛି କଣ ? କାହିଁକି ପୁଲିସକୁ ହାଲୁକା ଭାବେ ନେଉଛନ୍ତି ଅପରାଧୀ ? ଅପରାଧୀଙ୍କ ପଛର ଗଡ ଫାଦର କିଏ ?