Sreesanth-PKG-T Photograph: (KanakNews)
କନକ ବ୍ୟୁରୋ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ପ୍ରଥମ ସଂସ୍କରଣ ଅନେକ ଦୃଷ୍ଟିରୁ ବେଶ୍ ଚର୍ଚ୍ଚାରେ ରହିଥିଲା । ପ୍ରଥମ ସିଜିନରୁ ହିଁ କ୍ରିକେଟ୍ ପ୍ରଶଂସକଙ୍କ ହୃଦୟରେ ରାଜ୍ କରୁଥିବା ଏହି ଲିଗ୍ ଏକ ଘଟଣା ଦ୍ଵାରା ସ୍ତବ୍ଧ ହୋଇଯାଇଥିଲା । ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ପୂର୍ବତନ ଭାରତୀୟ ଖେଳାଳି ହରଭଜନ ସିଂହ ଦ୍ରୁତ ବୋଲର ଏସ୍. ଶ୍ରୀସନ୍ଥଙ୍କୁ ପଡ଼ିଆ ମଝିରେ ଚାପୁଡ଼ା ମାରିଥିଲେ । ଏହି ସମୟରେ କିଙ୍ଗ୍ସ XI ପଞ୍ଜାବ ପକ୍ଷରୁ ଖେଳୁଥିବା ଶ୍ରୀସନ୍ଥ କାନ୍ଦି ପକାଇଥିଲେ । ଏହି ଘଟଣାକୁ ନେଇ ହରଭଜନ ସିଂହ ଆଜି ବି ଅନୁତାପ କରୁଛନ୍ତି ଏବଂ ପ୍ରାୟ ୨୦୦ ଥର କ୍ଷମା ମାଗି ସାରିଛନ୍ତି କିନ୍ତୁ ସେତେବେଳେ ତାଙ୍କୁ ବଡ଼ ଝଟକା ଲାଗିଥିଲା, ଯେତେବେଳେ ଶ୍ରୀସନ୍ଥଙ୍କ ୧୦ ବର୍ଷର ଝିଅ ଏହି ପୂର୍ବତନ ଭାରତୀୟ ସ୍ପିନରଙ୍କ ସହିତ କଥା ହେବାକୁ ମନା କରିଦେଇଥିଲା । ଏହାର ଖୁଲାସା ନିଜେ ହରଭଜନ ସିଂହ ଏକ ସାକ୍ଷାତକାର ସମୟରେ କରିଥିଲେ ।
କିଏ ଶ୍ରୀସନ୍ଥଙ୍କ ଝିଅ ?
ଟିମ୍ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଏସ୍. ଶ୍ରୀସନ୍ଥ IPL ୨୦୧୩ରେ ସ୍ପଟ୍ ଫିକ୍ସିଂ ପରେ କ୍ରିକେଟରୁ ପ୍ରାୟ ଦୂରେଇ ଯାଇଥିଲେ । ୨୦୦୭ T-20 ବିଶ୍ଵକପ୍ ଏବଂ ୨୦୧୧ ଦିନିକିଆ ବିଶ୍ଵକପ୍ ବିଜେତା ଦଳର ଅଂଶ ରହିଥିବା ଶ୍ରୀସନ୍ଥ ଏହା ପରେ କେବେ ବି ଟିମ୍ ଇଣ୍ଡିଆକୁ ଫେରି ନଥିଲେ । ତେବେ ଏହି ସମୟରେ ସେ ନିଜ ବ୍ୟକ୍ତିଗତ ଜୀବନରେ ଆଗକୁ ବଢ଼ିଥିଲେ । ୨୦୧୩ରେ ସେ ଭୁବନେଶ୍ଵରୀ କୁମାରୀଙ୍କୁ ବିବାହ କରିଥିଲେ ଏବଂ ଦୁଇ ବର୍ଷ ପରେ ୨୦୧୫ରେ ତାଙ୍କ ଘରେ ଏକ ଝିଅ ଜନ୍ମ ନେଇଥିଲା । ସେ ତାଙ୍କ ଝିଅର ନାମ ଶ୍ରୀସାଂଭିକା ରଖିଥିଲେ ।
ଶ୍ରୀସାଂଭିକା ନାମରେ ସାଂଭି ଶବ୍ଦର ଅର୍ଥ ହେଉଛି ଧନର ଦେବୀ ମା’ ଲକ୍ଷ୍ମୀ । ମା’ ଲକ୍ଷ୍ମୀଙ୍କୁ ସାଂଭି ନାମରେ ମଧ୍ୟ ସମ୍ବୋଧନ କରାଯାଏ । ଶ୍ରୀସନ୍ଥ ତାଙ୍କ ଝିଅକୁ ବହୁତ ଭଲ ପାଆନ୍ତି ଏବଂ ସୋସିଆଲ ମିଡିଆରେ ତାଙ୍କର ଫଟୋ ସେୟାର କରନ୍ତି । ୨୦୦୮ରେ ଯେତେବେଳେ ହରଭଜନ ସିଂହ ଏବଂ ଶ୍ରୀସନ୍ଥଙ୍କ ମଧ୍ୟରେ ବିବାଦ ହୋଇଥିଲା ସେତେବେଳେ ଶ୍ରୀସାଂଭିକାଙ୍କ ଜନ୍ମ ମଧ୍ୟ ହୋଇନଥିଲା କିନ୍ତୁ ତା’ ପରେ ମଧ୍ୟ ଶ୍ରୀସାଂଭିକା ହରଭଜନ ସିଂହଙ୍କ ସହିତ କଥା ହେବାକୁ ଚାହୁନାହାନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ଦିଆଯାଇଥିବା ସାକ୍ଷାତକାରରେ ହରଭଜନ ସିଂହ କହିଥିଲେ ଯେ ମୁଁ ଶ୍ରୀସନ୍ଥଙ୍କୁ ଅନେକ ଥର କ୍ଷମା ମାଗି ସାରିଛି । ସେହି ଘଟଣା ପାଇଁ ମୁଁ ଆଜି ବି ଅନୁତାପ କରୁଛି । ଏବେ ମୁଁ ଏବଂ ଶ୍ରୀସନ୍ଥ ଭଲ ବନ୍ଧୁ କିନ୍ତୁ ସେତେବେଳେ ମୋ ହୃଦୟ ଭିତରୁ ଭାଙ୍ଗି ଯାଇଥିଲା ଯେତେବେଳେ ଶ୍ରୀସନ୍ଥଙ୍କ ଝିଅ ମୋ ସହିତ କଥା ହେବାକୁ ମନା କରିଦେଇଥିଲେ ।
ଭଜ୍ଜି କହିଥିଲେ ଯେ ଯେତେବେଳେ ମୁଁ ଶ୍ରୀସନ୍ଥଙ୍କ ଝିଅ ଶ୍ରୀସାଂଭିକାଙ୍କୁ ଭେଟିଲି ତାଙ୍କ ସହିତ ଭଲ ଭାବରେ କଥା ହେବାକୁ ଚାହୁଥିଲି । କିନ୍ତୁ ସେ କହୁଛନ୍ତି ଯେ ଆପଣ ମୋ ବାପାଙ୍କୁ ମାରିଥିଲେ ମୁଁ ଆପଣଙ୍କ ସହିତ କଥା ହେବି ନାହିଁ । ଝିଅଟିର ଏଭଳି କଥା ଶୁଣି ମୋ ହୃଦୟ ଭିତରୁ ଭାଙ୍ଗିଗଲା ଏବଂ ମୁଁ କାନ୍ଦି ପକାଇଥିଲି । ହରଭଜନ ମାନିଥିଲେ ଯେ ଯଦି କୌଣସି ଗୋଟିଏ ଜିନିଷ ତାଙ୍କୁ ନିଜ କ୍ୟାରିୟରର ଲିଷ୍ଟରେ ବଦଳାଇବାକୁ ହୁଏ ତେବେ ସେ ସେହି ଘଟଣାକୁ ବଦଳାଇବାକୁ ଚାହିବେ ।
Follow Us