କନକ ବ୍ୟୁରୋ: ଲୋକଙ୍କ ସମସ୍ୟା ସହ ରହିବା ବିରୋଧୀଙ୍କ କାମ । ସାମ୍ୱିଧାନିକ ବ୍ୟବସ୍ଥା ଅନୁସାରେ ଲୋକଙ୍କ ସ୍ୱର ସାଜିବା ବିରୋଧୀଙ୍କ ରାଜନୈତିକ ଧର୍ମ । କିନ୍ତୁ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟରେ କୌଣସି ସୋର ଶବ୍ଦ ନଶୁଭିବା ଚକିତ କରୁଛି । ଲୋକଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ ଧର୍ମଘଟ କରି ହୁଲୁସ୍ତୁଲ କରିବା ବଦଳରେ ପ୍ରମୁଖ ବିରୋଧୀ ବିଜେଡି ଓ କଂଗ୍ରେସ ନୀରବ ରହିବା ବଡ଼ ପ୍ରଶ୍ନ ସୃଷ୍ଟି କରିଛି । 

Advertisment

ରୋଷେଇ ଗ୍ୟାସ ସିଲିଣ୍ଡର ଦର ବଢ଼ିଛି । ମଧ୍ୟବିତ୍ତ ପରିବାର ଗ୍ୟାସ ଜଳାଇବାକୁ ଡରୁଛନ୍ତି । ଗ୍ୟାସ ଦର ବୃଦ୍ଧିକୁ ନେଇ ଜନ ଅସନ୍ତୋଷ ଗୁମୁରୁଛି । ଆଶ୍ଚର୍ୟ୍ୟଜନକ ଭାବେ ପ୍ରମୁଖ ବିରୋଧୀ ବିଜେଡି ଓ କଂଗ୍ରେସର ନିରବତା ଯୋଗୁଁ ରାଜରାସ୍ତାରେ ଏହାର ପ୍ରତିଫଳନ ଦେଖିବାକୁ ମିଳୁନାହିଁ । ରାଜ୍ୟରେ କୌଣସି ପ୍ରତିବାଦ କି ଆନ୍ଦୋଳନ ହେଉ ନାହିଁ । କେନ୍ଦ୍ର ସରକାର ଗତ ୭ ତାରିଖରେ ଗ୍ୟାସ ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି ଘୋଷଣା କଲେ । 

ଘରୋଇ ଏଲପିଜି ସିଲିଣ୍ଡର ଦାମ୍ ୮୦୩ରୁ ବଢ଼ି ୮୫୩ ଛୁଇଁଛି 
ଉଜ୍ଜ୍ବଳା ଗ୍ୟାସ୍ ସିଲିଣ୍ଡର ୫୦୩ ଟଙ୍କାରୁ ବଢ଼ି ୫୫୩ ଟଙ୍କା ହୋଇଛି 

ଗ୍ୟାସ ଦର ବୃଦ୍ଧି ଘୋଷଣାକୁ ୫ଦିନ ହେଲାଣି । ଗରିବ ଓ ମଧ୍ୟବିତ୍ତଙ୍କ ହାଣ୍ଡିଶାଳ ଉପରେ ନିର୍ଘାତ ପ୍ରହାର ହୋଇଛି । ଯାହାକୁ ନେଇ ଲୋକଙ୍କ ଭିତରେ ବଢ଼ିବାରେ ଲାଗିଛି ଅସନ୍ତୋଷ ।

 ମହଙ୍ଗା ମାଡକୁ ନେଇ ଲୋକେ ହନ୍ତସନ୍ତ ହେଉଥିବାବେଳେ ବିରୋଧୀଙ୍କ ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ବିଜେଡି କହିଛି, ଏବେ ସାଂଗଠନିକ ନିର୍ବାଚନ ଚାଲିଥିବାରୁ ଦଳ ଚୁପ ଅଛି । ଦଳୀୟ ନିର୍ବାଚନ ସରିଗଲେ ଗ୍ୟାସ ଦର ବୃଦ୍ଧିକୁ ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି । ବିଜେପି ସରକାରକୁ ବାଟରେ ଚଲାଇ ଦେବନାହିଁ । 

ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ସିଧାସଳଖ ଲୋକଙ୍କ ପକେଟକୁ ପ୍ରଭାବିତ କରୁଛି ।  ପ୍ରଶ୍ନ ଉଠୁଛି,  ସରକାର ଦର ବଢ଼ାଇଲେ, ବିରୋଧୀ କାହିଁକି ମାନିନେଲେ? ଗ୍ୟାସ୍ ଦର ବୃଦ୍ଧି ଏକ ବଡ଼ ପ୍ରସଙ୍ଗ କି ନୁହେଁ? ଲୋକଙ୍କୁ ବାଧୁଛି, ନେତାଙ୍କୁ ବାଧୁନି କି?