ତାୱାରେ ତିଆରି ହୋଇଥିବା ଗରମ ଗରମ ରୁଟି ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ଏହି ରୁଟି ଥରେ ଥଣ୍ଡା ହୋଇ ବାସି ହୋଇଗଲେ କିଛି ଲୋକଙ୍କ ପାଟିକୁ ରୁଚେନାହିଁ । ଚାଉମିନ୍ , ନୁଡଲ୍ସ , ପାସ୍ଥା , ପିଜ୍ଜା ଭଳି ସୁଆଦିଆ ଖାଦ୍ୟର ଚାହିଦା ବଢିଥିବା ଆଜିର ସମୟରେ ବି କିଛି ଘରର ରୋଷେଇ ଘରେ ସକାଳ ଜଳଖିଆ କହିଲେ ବାସିରୁଟି ସାଙ୍ଗକୁ ଚା’ । ଗିଲାସେ ଚା’ରେ ବାସିରୁଟି ବୁଡ଼ାଇ ଖାଇବାର ମଜା ଯିଏ ଜାଣିଛି ତାକୁ କ’ଣ ଏ ନୁଡଲ୍ସ ମୋହ ବାନ୍ଧି ରଖିପାରିବ । କିନ୍ତୁ ସମସ୍ତଙ୍କୁ ତ ଆଉ ବାସିରୁଟି ସୁହାଇବନି , କିଛି ଲୋକ ବାସିରୁଟି ଦେଖିଲେ ନାକ ଟେକି ଡଷ୍ଟବିନରେ ପକାଉଛନ୍ତି । ଯଦି ଆପଣ ବି ଏଭଳି ବାସିରୁଟିକୁ ହେୟଜ୍ଞାନ କରୁଛନ୍ତି ତେବେ ଘର ତିଆରି ମହୌଷଧିକୁ ଅଳିଆଗଦାରେ ପକାଉଛନ୍ତି କହିଲେ କିଛି ଭୁଲ୍ ହେବନି । ଏକ ଗବେଷଣାରୁ ଜଣାପଡ଼ିଛି ଯେ ବାସିରୁଟି ଆପଣଙ୍କ ପୁରୁଣା ରୋଗକୁ ଦୂର କରିବାରେ ସହାୟକ ହୁଏ । ସତେଜ ରୁଟି ଅପେକ୍ଷା ବାସିରୁଟି ଦେହ ପାଇଁ ଆହୁରି ଭଲ । ଏଥିରେ ଅଧିକ ମାତ୍ରାରେ ପ୍ରୋଟିନ୍ ମହଜୁଦ୍ ଥାଏ ଯାହା ଶରୀରକୁ ଉର୍ଜ୍ଜାବାନ ରଖେ ।
ବାସିରୁଟି ଖାଇବା ଦ୍ୱାରା ଶରୀରର ବ୍ଲଡ୍ ଗ୍ଲୁକୋଜ୍ ନିୟନ୍ତ୍ରଣ ରହିଥାଏ । ଡାଏବେଟିସ୍ ରୋଗୀଙ୍କ ପାଇଁ ବାସିରୁଟି ଏକ ପ୍ରକାର ଔଷଧ କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ଏଥିରେ ବ୍ଲଡ୍ ଗ୍ଲୁକୋଜର ସ୍ତର ନିୟନ୍ତ୍ରଣରେ ରହିଥାଏ । ଡାଏବେଟିସ୍ ରୋଗୀଙ୍କୁ ସକାଳୁ ସକାଳୁ ଥଣ୍ଡା କ୍ଷୀର ସହ ବାସିରୁଟି ଖାଇବା ଦରକାର । ଏଥିରେ ଶରୀରରେ ବ୍ଲଡ୍ ଗ୍ଲୁକୋଜର ସ୍ତର ନିୟନ୍ତ୍ରଣ ରହିଥାଏ । ବାସିରୁଟି ଖାଇଲେ ବ୍ଲଡ୍ ପ୍ରେସର୍ କଣ୍ଟ୍ରୋଲରେ ରହିଥାଏ । ସକାଳୁ ଥଣ୍ଡା କ୍ଷୀର ସହ ବାସିରୁଟି ଖାଇଲେ ବ୍ଲଡ୍ ପ୍ରେସରର ଲେବଲ୍ ନିୟନ୍ତ୍ରଣରେ ରହିଥାଏ । ଏହାଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।
ଆୟୁର୍ବେଦ ଅନୁସାରେ , ସତେଜ ରୁଟି ତୁଳନାରେ ବାସିରୁଟି ପେଟକୁ ହାଲୁକା ରଖିଥାଏ । ବାସିରୁଟି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୁଏ । ଯଦି ଆପଣଙ୍କୁ ଏସିଡିଟି କିମ୍ବା ପେଟ ସମସ୍ୟା ରହିଛି ତ ବାସିରୁଟି ଖାଆନ୍ତୁ । ଏଥିରେ ଫାଇବର୍ ଥାଏ , ଯାହା ଖାଦ୍ୟକୁ ହଜମ କରାଏ ଏବଂ ପାଚନ ତନ୍ତ୍ର ସମସ୍ୟାକୁ ଦୂର କରେ । ଯଦି ଆପଣ ବ୍ୟାୟାମ କରିବାକୁ ଯାଉଛନ୍ତି ତାହେଲେ ବାସିରୁଟି ଖାଇଯାଆନ୍ତୁ । ଏଥିରେ ମାଂସପେଶୀ ମଜବୁତ୍ ହେବା ସହ ମଣିଷକୁ ଉର୍ଜ୍ଜା ମିଳିଥାଏ । ଏହାସହ ଶରୀରର ତାପମାନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଜିମ୍ ଯିବା ପୂର୍ବରୁ ସକାଳୁ କ୍ଷୀର ସହ ବାସିରୁଟି ଖାଆନ୍ତୁ । ଆୟୁର୍ବେଦ ଅନୁସାରେ , ବାତ-ପିତ-କଫକୁ କଣ୍ଟ୍ରୋଲ୍ କରେ ବାସିରୁଟି । ଶୁଖିଲା ବାସି ରୁଟି ଶରୀରରେ କଫକୁ ସନ୍ତୁଳନ ରଖେ ଏବଂ ଏହାର ଗରମ ପ୍ରଭାବ ବାତ ଦୋଷକୁ ସନ୍ତୁଳନ ରଖେ ।
ବାସିରୁଟିରେ କମ୍ କ୍ୟାଲୋରୀ ଥିବାରୁ ଏହା ଓଜନ କମାଇବାରେ ମଧ୍ୟ ସହାୟକ ହୁଏ । ଯଦି ଆପଣ ବି ଓଜନ କମାଇବାକୁ ଚାହାଁନ୍ତି ତାହେଲେ ମଇଦା ଯୁକ୍ତ ଖାଦ୍ୟକୁ ନା କହି ବାସିରୁଟିକୁ ହଁ କହିବା ଆରମ୍ଭ କରିଦିଅନ୍ତୁ । ଶରୀର ପତଳା ଥିଲେ ବି ବାସି ରୁଟି ଖାଇବା ବହୁତ ଭଲ । ପୂର୍ବରୁ ଜେଜେମା’ , ଆଇ କହିଥିବା ଶୁଣିଥିଲେ କ୍ଷୀର , ରୁଟି ଟିକେ ଖାଉନୁ ଦେହରେ ଲାଗିବ । ଫାଇବର୍ ଏବଂ ପ୍ରୋଟିନରେ ଭରପୂର ଥିବା ବାସିରୁଟି ଏବଂ କ୍ଷୀର ପତଳା ଶରୀରର ଗ୍ରୋଥ୍ କରାଏ । ତେବେ ଆପଣ ବି ଯଦି ବାସିରୁଟିର ଗୁଣବତ୍ତାକୁ ନଜାଣି ଫୋପାଡ଼ି ଦେଉଥିଲେ ତାହେଲେ ସେ ଭୁଲ୍ ଆଉ କରନ୍ତୁ ନାହିଁ । ବାସିରୁଟି ଖାଆନ୍ତୁ , ଶରୀରକୁ ସୁସ୍ଥ ରଖନ୍ତୁ ।