କନକ ବ୍ୟୁରୋ: ଉତ୍ତରକାଶୀରେ ଯେଉଁ ପ୍ରଳୟ ଘଟିଲା ତାହା ତ ଆପଣ ନିଶ୍ଚୟ ଜାଣିଥିବେ । ହଠାତ୍ ପାଣିର ପ୍ରଖର ସ୍ରୋତ ସବୁକିଛି ଭସାଇ ନେବା ସହିତ ପ୍ରଳୟ ରଚିଲା । ହେଲେ ପ୍ରଶ୍ନ ଉଠୁଛି, ସବୁବେଳେ ହିମାଳୟର ପାଦଦେଶରେ କାହିଁକି ଏମିତି ଘଟୁଛି? କାହିଁକି ଏତେ ଧନଜୀବନ ନଷ୍ଟ ହେଉଛି? ଆଉ ସତରେ କଣ ଦିନକୁ ଦିନ ଦୁର୍ବଳ ହେଉଛି ହିମାଳୟ?
ଅଧିକାଂଶ ସମୟରେ ପର୍ବତର କଥା କହିଲେ ଆମ ଆଖି ଆଗରେ ଗୋଟିଏ ଶକ୍ତ ଏବଂ ଉଚ୍ଚ ପାହାଡ଼ର ଚିତ୍ର ଚାଲିଆସେ । ହେଲେ ଆପଣ ଜାଣିନଥିବେ ଯେ, ଭାରତର ସୀମାକୁ ଦୃଢ଼ ଭାବେ ସୁରକ୍ଷା ଦେଉଥିବା ହିମାଳୟର ବିଶ୍ୱର ସବୁଠାରୁ ଦୁର୍ବଳ ପର୍ବତ ମଧ୍ୟରୁ ଗୋଟିଏ । ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ଥିବା ହିମାଳୟର ଅନେକ ସ୍ଥାନ ବହୁତ ଦୁର୍ବଳ ଏବଂ ଭଙ୍ଗୁର । ହିମାଳୟ ଏବଂ ଏହାର ଚାରିପାଖରେ ଥିବା ଭୂମି ବେଶ ଦୁର୍ବଳ ଥିବା କାରଣରୁ ଅନେକ ସମୟରେ ସେଠାରେ ଭୂ-ସ୍ଖଳନ ହେବା ଦେଖିବାକୁ ମିଳିଥାଏ ।
ହିମାଳୟ କିପରି ସୃଷ୍ଟି ହୋଇଥିଲା?
ଆମ ପୃଥିବୀ ତଳେ ଅନେକ ସ୍ତରର ପ୍ଲେଟ୍ ଅଛି ଯାହାକି ଗତିଶୀଳ। କେତେକ ସମୟରେ ଏହି ପ୍ଲେଟ୍ ଗୁଡ଼ିକ ମଧ୍ୟଭାଗରୁ ଉଠି ପରସ୍ପର ସହିତ ଧକ୍କା ହୁଅନ୍ତି, ଯାହାର ପ୍ରଭାବ ଏବଂ ପରିବର୍ତ୍ତନ ପୃଥିବୀରେ ମଧ୍ୟ ଦୃଶ୍ୟମାନ ହୁଏ । ପୃଥିବୀ ତଳେ ଥିବା ଏହିପରି ଦୁଇଟି ପ୍ଲେଟ୍ (ଭାରତୀୟ ଏବଂ ୟୁରେସିଆନ୍ ପ୍ଲେଟ୍) ପରସ୍ପର ସହିତ ମାଡ଼ ହେବା ଦ୍ୱାରା ହିମାଳୟ ଗଠିତ ହୋଇଛି । ତେବେ ଯେତେବେଳେ ଏହି ପ୍ଲେଟ୍ ସବୁ ପରସ୍ପର ଭିତରେ ମାଡ଼ ହୁଅନ୍ତି, ସେତେବେଳେ ଫଲ୍ଟ ଲାଇନ୍ ସୃଷ୍ଟି ହୋଇଥାଏ ।
ଜାଣିରଖିବା ଉଚିତ ଯେ, ହିମାଳୟରେ ଅନେକ ଫଲ୍ଟ ଲାଇନ୍ ଅଛି। ପ୍ରତ୍ୟେକ ଫଲ୍ଟ ଲାଇନ ପୃଷ୍ଠରେ ଥିବା ପର୍ବତ କିମ୍ବା ପଥର ପରସ୍ପରଠାରୁ ଭିନ୍ନ। ଏହି ଫଲ୍ଟ ଲାଇନ୍ ଗଙ୍ଗାର ସମତଳ ଭୂମିକୁ ତିବ୍ଦତୀୟ ମାଳଭୂମିକୁ ପୃଥକ କରେ। ତେବେ ହିମାଳୟ ପର୍ବତରେଖାରେ ଥିବା ମୁଖ୍ୟ ଫଲ୍ଟ ଲାଇନଗୁଡ଼ିକ ହେଉଛି ହିମାଳୟ କେନ୍ଦ୍ରୀୟ ଥ୍ରଷ୍ଟ, ଲେସର ହିମାଳୟ, ମେନ୍ ସେଣ୍ଟ୍ରାଲ୍ ଥ୍ରଷ୍ଟ, ଟେଥିୟାନ୍ ହିମାଳୟ ଥ୍ରଷ୍ଟ, ଟ୍ରାନ୍ସ ହିମାଳୟ ଫଲ୍ଟ ଲାଇନ୍, ଉଚ୍ଚ ହିମାଳୟ ଫଲ୍ଟ ଲାଇନ୍। ହିମାଳୟର ସମସ୍ତ ଫଲ୍ଟ ଲାଇନରେ ଥିବା ପଥରଗୁଡ଼ିକର ପ୍ରକୃତି ଭିନ୍ନ । ଏହି ପଥରଗୁଡ଼ିକରେ ଫାଟ ମଧ୍ୟ ଅଛି । ତେବେ ସେମାନଙ୍କର ବୟସ କମ୍ ଥିବାରୁ, ଏଗୁଡ଼ିକ ମଧ୍ୟ ବହୁତ ଦୁର୍ବଳ ।
ହିମାଳୟର ଦୁଇଟି ଅଂଶ ସବୁଠାରୁ ଦୁର୍ବଳ
ହିମାଳୟର ଦୁଇଟି ଫଲ୍ଟ ଲାଇନ୍ ସବୁଠାରୁ ସମ୍ବେଦନଶୀଳ । ପ୍ରଥମଟି ହେଉଛି କେନ୍ଦ୍ରୀୟ ଥ୍ରଷ୍ଟ ଯାହା ଶିବାଲିକ୍ ପର୍ବତମାଳାକୁ ଏବଂ ଗାଙ୍ଗେୟ ସମତଳକୁ ପୃଥକ କରିଥାଏ ଏବଂ ଦ୍ୱିତୀୟଟି ହେଉଛି ଉଚ୍ଚ ହିମାଳୟ ରେଖା, ଅର୍ଥାତ୍ ହିମାଳୟର ସର୍ବୋଚ୍ଚ ଅଂଶ । କେନ୍ଦ୍ରୀୟ ଥ୍ରଷ୍ଟ ଫଲ୍ଟ ଲାଇନର ଶିଳାଗୁଡ଼ିକ ମାଟି ଏବଂ ବାଲିରେ ତିଆରି। ଭୂମି ତଳେ ଯେକୌଣସି ଗତି ଦ୍ୱାରା ଏଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହୁଅନ୍ତି । ଭୂତତ୍ତ୍ୱବିତମାନେ ଏହି ଅଞ୍ଚଳକୁ ଭୂମିକମ୍ପ ପାଇଁ ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରିଛନ୍ତି । ଉଚ୍ଚ ହିମାଳୟର କଥା କହିବାକୁ ଗଲେ, ଏହି ଅଂଶ ଦୁଇଟି ପ୍ଲେଟ୍ ପରସ୍ପର ସହିତ ମାଡ଼ ହେବା ଦ୍ୱାରା ଗଠିତ ହୋଇଛି । ଯାହାକି ତାକୁ ଦୁର୍ବଳ କରିଥାଏ ।
ଜାଣିରଖିବା ଉଚିତ ଯେ, ଉତ୍ତରକାଶୀର ଧରାଲି ଗାଁରେ ଧ୍ୱଂସଲୀଳା ରଚିଥିଲା ବାଦଲଫଟା ବର୍ଷା । ଦୁର୍ଘଟଣାକୁ ଏହା ଭିତରେ ୪ ଦିନ ପୂରିଛି । ଏବେ ବି ସେଠାରେ କାଦୁଅ ଏବଂ ମାଟି ଭିତରୁ ଜୀବନର ସନ୍ଧାନ ଖୋଜା ଚାଲିଛି । ଦେବଦୂତ ସାଜି ଯବାନମାନେ ସେଠାରୁ ୪ ଶହରୁ ଅଧିକ ଲୋକଙ୍କୁ ଉଦ୍ଧାର କରିସାରିଲେଣି । ହେଲେ ଏବେ ବି ସେଠାରେ ଅନେକ ଲୋକ ଫସି ରହିଛନ୍ତି । ଏମିତି କି ଏହି ଅଘଟଣରେ ସେନାର ୯ ଜଣ ଯବାନଙ୍କର ମଧ୍ୟ ପତ୍ତା ମିଳୁନି । ମଙ୍ଗଳବାର ଜିଲ୍ଲା ପ୍ରଶାସନର କହିବା ମୁତାବକ, ଅଚାନକ ବନ୍ୟାରେ ୪ ଜଣଙ୍କର ମୃତ୍ୟୁ ଘଟିଛି କିନ୍ତୁ ଏଯାବତ ଦୁଇ ଜଣଙ୍କର ମୃତଦେହ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/08/11/himalaya-2025-08-11-11-43-01.jpg)