Haris Mahapatra Photograph: (kanakNews)
କନକ ବ୍ୟୁରୋ : ଅଲୋଡ଼ା -କଳାକାର ଖୋଜା ପଡ଼ିଲେ । ପୁଣି ଅଭିନୟ ଜଗତକୁ ଫେରିବେ ଗପ ହେଲେ ବି ସତ ସିନେମାର ନାୟକ ହରିଶ ମହାପାତ୍ର । କନକ ନ୍ୟୁଜରେ ଏକ ଆଲୋଚନାରେ ହରିଶଙ୍କୁ ମିଳିଛି ଅଭିନୟର ଅଫର୍ । ଆଉ ହରିଶ ବି ସିନେ ଦୁନିଆକୁ ଫେରିବାର ସଂକେତ ଦେଇଛନ୍ତି ।
ଆପଣଙ୍କର ମନେ ଥିବ ‘ ଏ ବନର ଛାଇ, ଜହିଁ ପ୍ରଥମ ପ୍ରେମ ଚଇତି ’ ଏ ଗୀତଟି ଆଜି ବି ପ୍ରତ୍ୟେକ ଓଡ଼ିଆ ସଂଗୀତପ୍ରେମୀଙ୍କୁ ଆନମନା କରିଦିଏ । ହେଲେ ଏ ଗୀତର ନାୟକ ଆଜି ବି ଅଲୋଡ଼ା, ଅଖୋଜା । ଖୋଜା ପଡୁନାହାନ୍ତି ଓଲିଉଡ୍ ସିନେମାର ପ୍ରଥମ ରଙ୍ଗୀନ ସିନେମାର ରଙ୍ଗୀନ ହିରୋ ହରିଶ ମହାପାତ୍ର । କନକ ନ୍ୟୁଜର ଏକ ଆଲୋଚନା କାର୍ଯ୍ୟକ୍ରମରେ ଏ ଗୀତ ପଛର ଚେହେରା ଆଜି ଅଭିମାନ ଭରା କଣ୍ଠରେ ନିଜର କ୍ଷୋଭ, ଦୁଃଖକୁ ବଖାଣିଲା ବେଳେ ବେଶ୍ ଭାବବିହ୍ବଳ ହୋଇ ପଡ଼ିଥିଲେ । ଆଲୋଚନାରେ ଭାଗ ନେବା ବେଳେ ପୁଣି ଥରେ ଅଭିନୟ ଜଗତକୁ ଫେରିଆସିବା ପାଇଁ ହରିଶ ମହାପାତ୍ରଙ୍କୁ ପ୍ରସ୍ତାବ ଦେଇଛନ୍ତି ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । ତାଙ୍କ ଆଗାମୀ ଚଳଚ୍ଚିତ୍ରରେ ହରିଶଙ୍କୁ ଅଭିନୟ କରିବା ପାଇଁ ସୁଯୋଗ ଦେବେ ବୋଲି କହିଛନ୍ତି ସବ୍ୟସାଚୀ । ଅଲୋଡ଼ା କଳାକାର ପୁଣି ଥରେ ସିଲଭର୍ ସ୍କ୍ରିନକୁ ଫେରିବେ । ସେପଟେ ସୁପରଷ୍ଟାର ବାବୁଶାନ ମହାନ୍ତି ମଧ୍ୟ ହରିଶଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ଗପ ହେଲେ ବି ସତ, କନକଲତା ସିନେମା ଜରିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ହରିଶ ମହାପାତ୍ର ପୁଣି ଅଭିନୟ ଜଗତକୁ ଫେରିବେ ଏବଂ ନିଜର ଅଭିନୟ ଜରିଆରେ ପୁଣି ଦର୍ଶକଙ୍କ ହୃଦୟକୁ ଛୁଇଁବେ ସିନେପ୍ରେମୀଙ୍କ ମନରେ ଏହି ଆଶା।
  
 Follow Us