Maa Chamunda Photograph: (KanakNews)
କନକ ବ୍ୟୁରୋ : ନବରାତ୍ରୀ ସମୟରେ ମା’ ଆଦିଶକ୍ତିଙ୍କ ୯ ସ୍ବରୂପକୁ ଆରାଧନା କରାଯାଏ । ନବରାତ୍ରୀର ଅଷ୍ଟମ ଏବଂ ନବମ ଦିନରେ ସନ୍ଧି ପୂଜା ମଧ୍ୟ କରାଯାଏ । ସନାତନ ଧର୍ମରେ ଉଲ୍ଲେଖ ଅଛି ଯେ ସନ୍ଧି ପୂଜା ସମୟରେ ଦେବୀ ଦୁର୍ଗାଙ୍କ ଉଗ୍ର ରୂପ ଦେବୀ ଚାମୁଣ୍ଡାଙ୍କୁ ପୂଜା କରାଯାଏ । ଧାର୍ମିକ ବିଶ୍ୱାସ ଅନୁସାରେ ଯେଉଁମାନେ ମା ଚାମୁଣ୍ଡାଙ୍କୁ ପୂଜା କରନ୍ତି ସେମାନେ ଜୀବନର ସମସ୍ତ କଷ୍ଟରୁ ମୁକ୍ତି ପାଆନ୍ତି ଏବଂ ଅପାର ସୁଖ ଓ ସୌଭାଗ୍ୟ ଅନୁଭବ କରନ୍ତି । କିନ୍ତୁ ଆପଣ କ’ଣ ଜାଣିଛନ୍ତି କି ଦେବୀ ଦୁର୍ଗା କେବେ, କିପରି ଏବଂ କାହିଁକି ମା’ ଚାମୁଣ୍ଡାଙ୍କ ରୂପ ଧାରଣ କରିଥିଲେ ? ଶାସ୍ତ୍ରରେ କୁହାଯାଇଛି ଯେ ଅଷ୍ଟମୀ ତିଥିର ଶେଷରେ ଏବଂ ନବମୀ ତିଥିର ଆରମ୍ଭରେ ସନ୍ଧି ପୂଜା କରାଯାଏ । ଏହି ସମୟରେ ମୋଟ ଦୁଇଟି ଘଡ଼ି ପାଇଁ ଅର୍ଥାତ୍ ୪୮ ମିନିଟ୍ ପାଇଁ ଏହି ପୂଜା କରାଯାଏ । ଗୋଟିଏ ଘଡ଼ି ୨୪ ମିନିଟର ହୋଇଥାଏ । ଯେଉଁଥିପାଇଁ ଅଷ୍ଟମୀ ଶେଷ ହେବାର ୨୪ ମିନିଟ୍ ପୂର୍ବରୁ ଏବଂ ନବମୀ ଆରମ୍ଭ ହେବାର ୨୪ ମିନିଟ୍ ପରେ ସମାନ ସମୟକୁ ସନ୍ଧି କାଳ କୁହାଯାଏ । ସନ୍ଧି ପୂଜା ବେଳେ ମା’ ଚାମୁଣ୍ଡାଙ୍କ କଠୋର ପୂଜା ଏବଂ ଧ୍ୟାନ କରାଯାଏ ।
ଭାରତର ଏମିତି ଏକ ମନ୍ଦିର : ରାତିରେ ଗାୟବ ହୋଇଯାଏ ମା’କାଳୀଙ୍କ ମୂର୍ତ୍ତି !
ପୁରାଣ ଅନୁସାରେ ଶୁମ୍ଭ ଏବଂ ନିଶୁମ୍ଭ ନାମକ ୨ ଅସୁରଙ୍କ ଅତ୍ୟାଚାର ତିନିଲୋକରେ ହାହାକାର ସୃଷ୍ଟି କରିଥିଲା । ଶୁମ୍ଭ ଏବଂ ନିଶୁମ୍ଭ ଯୁଦ୍ଧରେ ଦେବରାଜ ଇନ୍ଦ୍ରଙ୍କୁ ପରାସ୍ତ କରି ସ୍ୱର୍ଗ ହାସଲ କରିଥିଲେ । ଏମିତିକି ସମସ୍ତ ଦେବତା ବ୍ରହ୍ମାଙ୍କ ମାଧ୍ୟମରେ ଭଗବାନ ବିଷ୍ଣୁଙ୍କ ପାଖକୁ ଯାଇ ସେମାନଙ୍କର ଦୁଃଖ ଜଣାଇଲେ । ଏହା ଶୁଣି ଶ୍ରୀହରି କହିଲେ, "କେବଳ ମାତା ଜଗଦମ୍ବା ତୁମର ସମସ୍ୟାର ସମାଧାନ କରିପାରିବେ । ତୁମ୍ଭେ ତାଙ୍କର ଶରଣ ନିଅ ।’’ ତା’ପରେ ସମସ୍ତେ ହିମାଳୟରେ ପହଞ୍ଚି ହିମାଳୟ ପୁତ୍ରୀ ମା’ପାର୍ବତୀଙ୍କ ପୂଜା କରିବା ଆରମ୍ଭ କଲେ । ମା’ ପାର୍ବତୀ ସ୍ନାନ ପାଇଁ ଯେତେବେଳେ ହ୍ରଦକୁ ଆସିଲେ ବାଟରେ ଦେବତାମାନଙ୍କର ତୀବ୍ର ଭକ୍ତି ଦେଖି ସେ ଉଦ୍ଦେଶ୍ୟ ଜାଣିବାକୁ ଚେଷ୍ଟା କଲେ । ଦେବତା ଶୁମ୍ଭ ଏବଂ ନିଶୁମ୍ଭଙ୍କ ଅତ୍ୟାଚାରରୁ ନିଜକୁ ରକ୍ଷା କରିବା ପାଇଁ ଶିବ-ଶକ୍ତିଙ୍କ ଆଶ୍ରୟରେ ଅଛନ୍ତି ଜାଣିବା ପରେ ମା’ଙ୍କ ହୃଦୟ ତରଳିଲା । ଦେବୀଙ୍କ ତେଜରୁ ଜଣେ ଦେବୀ ଆବିର୍ଭାବ ହେଲେ ମା’ କୌଶିକୀ ଯିଏ ଅତ୍ୟନ୍ତ ସୁନ୍ଦର ଥିଲେ । ଯାହାଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଶୁମ୍ଭ ଏବଂ ନିଶୁମ୍ଭଙ୍କ ଦୂତ ତାଙ୍କୁ କୌଶିକୀଙ୍କ ବିଷୟରେ ଜଣାଇଲେ । ଦୂତ ୨ ଅସୁରଙ୍କ କହିଲେ ଯେ ଦେବୀ କୌଶିକୀ ପ୍ରତିଜ୍ଞା କରିଛନ୍ତି ଯେ ଯିଏ ତାଙ୍କୁ ଯୁଦ୍ଧରେ ପରାସ୍ତ କରିବ ସେ ହିଁ ତାଙ୍କୁ ବିବାହ କରିବେ । ଏହା ଜାଣି ଶୁମ୍ଭ ଏବଂ ନିଶୁମ୍ଭ ସେମାନଙ୍କର ଦୂତ ଚଣ୍ଡ ଏବଂ ମୁଣ୍ଡଙ୍କୁ ଯୁଦ୍ଧ କରିବାକୁ ପଠାଇଲେ । ଦେବୀଙ୍କ ବିଷୟରେ ଅଜ୍ଞ ଚଣ୍ଡ ଏବଂ ମୁଣ୍ଡ ଅଜାଣତରେ ତାଙ୍କୁ ଯୁଦ୍ଧ ପାଇଁ ଆହ୍ବାନ ଦେଲେ । ଯେତେବେଳେ ମା’ ଯୁଦ୍ଧ ପାଇଁ ଇଚ୍ଛୁକ ଦେଖାଇଲେ ନାହିଁ ଚଣ୍ଡ ଏବଂ ମୁଣ୍ଡ ଦେବୀଙ୍କୁ ଘୋଷାଡ଼ି ଆଣିବାକୁ ଚେଷ୍ଟା କଲେ । ସେହି ସମୟରେ ମାତାଙ୍କ କ୍ରୋଧ ପ୍ରଚଣ୍ଡ ହେଲା ଏବଂ ଦେବୀଙ୍କ କ୍ରୋଧରୁ ଏକ କନ୍ୟା ଜନ୍ମ ନେଲା । ମାତା କୌଶିକୀଙ୍କ କ୍ରୋଧିତ ରୂପ କିଛି କ୍ଷଣରେ ୨ ଅସୁରଙ୍କୁ ହତ୍ୟା କରିଥିଲା । ଯେଉଁଥିପାଇଁ ଦେବୀ ଦୁର୍ଗାଙ୍କ କ୍ରୋଧିତ ରୂପକୁ ମାତା ଚାମୁଣ୍ଡା କୁହାଯାଏ । ଏହି ସନ୍ଧି ସମୟରେ ଦେବୀ ଅସୁରଙ୍କ ବଧ କରିଥିବାରୁ ଏହାକୁ ସନ୍ଧି ପୂଜା ଭାବରେ ପାଳନ କରାଯାଏ ।
Follow Us