କନକ ବ୍ୟୁରୋ : ଆଜିକାଲି ସ୍ମାର୍ଟଫୋନ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବାରେ ଲାଗିଛି । କଲ୍, ମେସେଜ୍ ଏବଂ ୟୁପିଆଇ ଅନଲାଇନ୍ ପେମେଣ୍ଟ ମଧ୍ୟ ଏବେ ମୋବାଇଲ୍ ଫୋନ୍ ମାଧ୍ୟମରେ କରାଯାଉଛି । ଏହା ବ୍ୟତୀତ ଅନେକ ଗୁଡ଼ିଏ ଜରୁରୀ ଅନଲାଇନ୍ କାର୍ଯ୍ୟ ମଧ୍ୟ ମୋବାଇଲ୍ ମାଧ୍ୟମରେ କରାଯାଉଛି । କିନ୍ତୁ ଏ ସବୁ ଭିତରେ ଆମର ପ୍ରଥମ ଦାୟିତ୍ୱ ହେଉଛି ସ୍ମାର୍ଟ ଫୋନ୍କୁ ସୁରକ୍ଷିତ ରଖିବା । କାରଣ ବର୍ତ୍ତମାନ ଗୋଟିଏ ମୁଖ୍ୟ ସମସ୍ୟା ହେଉଛି ସ୍ମାର୍ଟଫୋନ୍ ଗରମ ହେବା , ଯାହାକି ବହୁତ ବିପଦଜନକ ।
ଯଦି ଆପଣଙ୍କ ହ୍ୟାଣ୍ଡ୍ସେଟ୍ ବାରମ୍ବାର ତାତି ଗରମ ହେଇଯାଉଛି , ତେବେ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ । କାରଣ ମୋବାଇଲ୍ ଗରମ ହେଲେ ତା’ ଭିତରର ପାର୍ଟଗୁଡ଼ିକୁ କ୍ଷତି ପହଞ୍ଚାଇପାରେ ଏବଂ ଫୋନ୍ର କାର୍ଯ୍ୟଦକ୍ଷତାକୁ ମଧ୍ୟ ପ୍ରଭାବିତ କରିପାରେ । ଏହା ପଛରେ ଅନେକ କାରଣ ଅଛି । ଅଧିକ ସମୟ ଧରି ଗେମ୍ ଖେଳିବା କିମ୍ବା ହାଇ-ଡେଫିନିସନ୍ ଭିଡିଓ ଦେଖିବା ଦ୍ୱାରା ଫୋନ୍ ଗରମ ହୋଇଯାଏ । ଏହି କାର୍ଯ୍ୟଗୁଡ଼ିକ ଫୋନ୍ର ପ୍ରୋସେସର୍ ଉପରେ ଅଧିକ ଚାପ ପକାଇଥାଏ, ଯାହା ଫଳରେ ଏହା ଅଧିକ ଉତ୍ତାପ ସୃଷ୍ଟି କରେ । ଦ୍ୱିତୀୟରେ, ବ୍ୟାକ୍ଗ୍ରାଉଣ୍ଡରେ ଅନେକ ଆପ୍ ଚାଲୁ ରହିବା ମଧ୍ୟ ଫୋନ୍କୁ ଗରମ କରେ । ଏହି ଆପ୍ଗୁଡ଼ିକ ଲଗାତାର ଫୋନ୍ର ରିସୋର୍ସ ବ୍ୟବହାର କରେ, ଯାହା ଫଳରେ ତାପମାତ୍ରା ବଢ଼ିଯାଏ ।
ଏହା ବ୍ୟତୀତ, ତୃତୀୟ କାରଣ ହେଉଛି ଖରାପ କିମ୍ବା ନକଲି ଚାର୍ଜର ବ୍ୟବହାର । କମ୍ ମାନର ଚାର୍ଜର ବ୍ୟବହାର କରିବା ଦ୍ୱାରା ଫୋନ୍ ଅଧିକ ଗରମ ହୁଏ ଏବଂ ବ୍ୟାଟେରୀର କ୍ଷମତା ମଧ୍ୟ ହ୍ରାସ ପାଏ । ଏହା ଛଡ଼ା ସିଧାସଳଖ ସୂର୍ଯ୍ୟ କିରଣରେ ଫୋନ୍କୁ ରଖିବା କିମ୍ବା ଅଧିକ ଉତ୍ତାପ ଥିବା ପରିବେଶରେ ବ୍ୟବହାର କରିବା ମଧ୍ୟ ଏହାର ତାପମାତ୍ରା ବଢ଼ାଇଥାଏ । ଫୋନ୍ର ସଫ୍ଟୱେର୍ ଅପଡେଟ୍ ନ ହେବା କିମ୍ବା ମାଲୱେର୍ ଆକ୍ରମଣ ହେବା ମଧ୍ୟ ଫୋନ୍କୁ ଗରମ କରିବାର ଅନ୍ୟ କାରଣ ।
ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛିଟା ସାଧାରଣ ପଦକ୍ଷେପ ନିଆଯାଇପାରେ । ଯେମିତିକି, ଅଧିକ ସମୟ ଧରି ଗେମ୍ ଖେଳିବା କିମ୍ବା ଭିଡିଓ ଦେଖିବା ଠାରୁ ବିରତ ରୁହନ୍ତୁ । ବ୍ୟାକ୍ଗ୍ରାଉଣ୍ଡରେ ଚାଲୁଥିବା ଆପ୍ଗୁଡ଼ିକୁ ବନ୍ଦ କରନ୍ତୁ । କେବଳ ଅସଲି ଏବଂ ଭଲ ମାନର ଚାର୍ଜର ବ୍ୟବହାର କରନ୍ତୁ । ଫୋନ୍କୁ ସିଧାସଳଖ ସୂର୍ଯ୍ୟ କିରଣରୁ ଦୂରେଇ ରଖନ୍ତୁ ।ନିୟମିତ ଭାବରେ ଫୋନ୍ର ସଫ୍ଟୱେର୍ ଅପଡେଟ୍ କରନ୍ତୁ ଏବଂ ଆଣ୍ଟିଭାଇରସ୍ ସଫ୍ଟୱେର୍ ବ୍ୟବହାର କରନ୍ତୁ । ଯଦି ଏହି ସବୁ ପଦକ୍ଷେପ ପରେ ବି ଫୋନ୍ ଗରମ ହୁଏ ଏକ୍ସପର୍ଟଙ୍କ ସହ ପରାମର୍ଶ କରନ୍ତୁ ।